ନୂଆଦିଲ୍ଲୀ : ସାତକୋଶିଆରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀ ପ୍ରସଙ୍ଗରେ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଡ୍ୟୁୟର (ଏସଓପି) କଡ଼ାକଡ଼ି ପାଳନ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ରାଜ୍ୟ ଜଙ୍ଗଲ ବିଭାଗ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି। ଚିଠିରେ ଦର୍ଶାଯାଇଛି ଯେ ବାଘୁଣୀ ସୁନ୍ଦରୀ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଏସଓପିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ବାହାରକୁ ଏପର୍ଯ୍ୟନ୍ତ ବାଘୁଣୀ ସୁନ୍ଦରୀ ଯାଇନାହିଁ। ଯାହା କିଛି ଅଘଟଣ ଘଟିଛି ତାହା ଅଭୟାରଣ୍ୟ ପରିସୀମା ମଧ୍ୟରେ ସୀମିତ ରହିଛି। ବାଘୁଣୀର ଗତିବିଧି ଯୋଗୁଁ ଘଟିଥିବା ଅପ୍ରୀତିକର ପରିସ୍ଥିତିକୁ ଏସଓପି ପାଳନ ଦ୍ୱାରା ଏଡାଇ ଦିଆଯାଇପାରିବ ବୋଲି ଏନଟିସିଏ ଚିଠି ମାଧ୍ୟମରେ ଜଣାଇଦେଇଛି।
ତେବେ ଏନଟିସିଏର ଏସଓପିରେ ଅଭୟାରଣ୍ୟ ଅଞ୍ଚଳ ମଧ୍ୟରେ ବାଘ ଦ୍ୱାରା କୌଣସି ଅଘଟଣ ଘଟିଲେ ସଂପୃକ୍ତ ବାଘକୁ ଟ୍ରାଙ୍କୁଲାଇଜ୍ କରି ଏନକ୍ଳୋଜର ମଧ୍ୟରେ ରଖିବାର କୌଣସି ବ୍ୟବସ୍ଥା ନାହିଁ। ବାଘ ବଂଶ ବୃଦ୍ଧି ପାଇଁ ଦେଶର ପଞ୍ଚମ ପ୍ରକଳ୍ପ ଭାବେ ସାତକୋଶିଆରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ
ଆଣି ଛଡ଼ା ଯାଇଥିଲା। ସାତକୋଶିଆ ଭଳି ମଧ୍ୟପ୍ରଦେଶର ପାନ୍ନା ଓ ନୋରାଡିହୀ ଏବଂ ରାଜସ୍ଥାନର ସାରିସ୍କା ଓ ମୁକୁନ୍ଦରା ଅଭୟାରଣ୍ୟରେ ମଧ୍ୟ ବାଘ ଆଣି ପୂର୍ବରୁ ଛଡ଼ା ଯାଇଛି। ଏସବୁ ସ୍ଥାନରେ ବାଘ-ମଣିଷ ଲଢ଼େଇର ବିଶେଷ ଘଟଣା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ମଧ୍ୟପ୍ରଦେଶର ପାନ୍ନାରେ ବାଘ ବଂଶ ବୃଦ୍ଧି ଘଟଣା ଆନ୍ତର୍ଜାତିକ ସ୍ତରରେ ଏକ ଉଦାହରଣ ପାଲିଟିଛି। ବାଘ ବଂଶ ବିଲୁପ୍ତ ହୋଇ ପଡ଼ିଥିବା ପାନ୍ନା ଅଭାୟାରଣ୍ୟରେ ୨୦୦୯ରେ ପ୍ରଥମେ ଏକ ବାଘ ବାହାରୁ ଆଣି ଛଡ଼ାଯାଇଥିଲା। ପରେ ବିଭିନ୍ନ ସମୟରେ ଅଦ୍ୟାବଧି ୭ଟି ବାଘ ବାହାରୁ ଆଣି ଛଡ଼ା ଯାଇଛି। ଏଠାରେ ଏବେ ବଂଶ ବୃଦ୍ଧି ଘଟି ବାଘ ଓ ଶାବକ ସଂଖ୍ୟା ୪୦ରୁ ଊର୍ଦ୍ଧ୍ବ ହେଲାଣି। ଜଙ୍ଗଲ ବିଭାଗର ସମର୍ପିତ ଟିମ ଯୋଗୁଁ ଏଭଳି ସଫଳତା ମିଳିଛି ବୋଲି ପାନ୍ନା ଅଭୟାରଣ୍ୟର ଉପକ୍ଷେତ୍ର ନିର୍ଦେଶକ ବାସୁ କନୋଜା ‘ସମାଜ’କୁ କହିଛନ୍ତି।
ବିଗତ ନଅ ବର୍ଷ ମଧ୍ୟରେ ପାନ୍ନାରେ ବାଘ-ମଣିଷ ଲଢ଼େଇ କାଁଭାଁ ଦେଖିବାକୁ ମିଳିଛି। ଏଠାରେ ବାଘ ବଂଶ ବୃଦ୍ଧି ଘଟଣାରେ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ଜଙ୍ଗଲ ବିଭାଗ ଟିମ ପାଇଁ ଅନ୍ୟ ଏକ ସଫଳତା। ବ୍ୟାଘ୍ର ଅଭାୟରଣ୍ୟ ଅଞ୍ଚଳରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ନହେଲେ ଏଭଳି ପ୍ରକଳ୍ପ ସଫଳ ହୋଇପାରିବନାହିଁ ବୋଲି ଶ୍ରୀମତୀ କନୋଜା କହିଛନ୍ତି। ରେଡ଼ିଓ କଲାର ଯୋଗୁଁ ବାଘଙ୍କ ଗତିବିଧି ସହଜରେ ଜାଣି ହୋଇପାରୁଥିବାରୁ ପାନ୍ନା ଅଞ୍ଚଳରେ ବାଘର ଉପସ୍ଥିତି ବିଷୟରେ ପୂର୍ବରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇ ଦିଆଯାଉଛି। ସତର୍କତା ପଦକ୍ଷେପ ସ୍ୱରୁପ ରାତିରେ ଘରୁ ନ ବାହାରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାନୀୟ ଅଧିବାସୀଙ୍କୁ ପରାମର୍ଶ ଦିଆଯାଉଛି। ଏପରିକି କୌଣସି ଗୃହପାଳିତ ପଶୁ ବାଘ ଆକ୍ରମଣର ଶିକାର ହେଲେ ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରି ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଛି। ପାନ୍ନା ଅଭୟାରଣ୍ୟରେ ଜଙ୍ଗଲ ବିଭାଗର ସ୍ୱତନ୍ତ୍ର ଟିମ ଦ୍ୱାରା ପ୍ରତ୍ୟେକ ବାଘ ଗତିବିଧିକୁ ପ୍ରତି ସପ୍ତାହରେ ଅତିକମ୍ରେ ଥରେ ଅନୁଧ୍ୟାନ କରାଯାଉଛି। ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ତରଫରୁ ସ୍ଥାନୀୟ ଅଧିବାସୀଙ୍କ ପାଇଁ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ବିଜୁଳି ଓ ପାନୀୟଜଳ ଆଦି ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସେମାନଙ୍କୁ ମଧ୍ୟ ପାନ୍ନା ବାଘ ସଂରକ୍ଷଣ ଅଭିଯାନରେ ଭାଗିଦାରୀ କରାଯାଇଛି। ସାତକୋଶିଆ ଅଭୟାରଣ୍ୟରେ ମଧ୍ୟ ବାଘ ବଂଶ ବୃଦ୍ଧି ପ୍ରକଳ୍ପର ସଫଳତା ପାଇଁ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଶ୍ରୀମତୀ କନୋଜ ସମାଜ’କୁ କହିଛନ୍ତି।
ଜଙ୍ଗଲ ବିଭାଗର ସୁନ୍ଦରୀ ଚିନ୍ତା: ଏନ୍ଟିସିଏ ଦେଲା ପରାମର୍ଶ
Popular Categories



