ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସ କେତେ ସୁରକ୍ଷିତ ତା’ର ଏକ ତଥ୍ୟ ପଦାକୁ ଆସିଛି। ବିଜେପି ବିଧାୟକ ରବି ନାୟକଙ୍କ ପ୍ରଶ୍ନର ଉତ୍ତରରେ ତଫସିଲଭୁକ୍ତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ବିଧାନସଭାରେ ରଖିଥିବା ଏକ ଲିଖିତ ଉତ୍ତରରୁ ରାଜ୍ୟର ଆଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସର କରୁଣ ପରିଣତି ସ୍ପଷ୍ଟ କରୁଛି।
ମଙ୍ଗଳବାର ଶ୍ରୀ ନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଝି ଦର୍ଶାଇଛନ୍ତି ଯେ ୨୦୧୦ରୁ ୨୦୧୮ ମଧ୍ୟରେ ୫ଟି ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ଥିବା ଜଣାଯାଇଛି। ଢେଙ୍କାନାଳର ସରଖାଇ ଶିକ୍ଷାନୁଷ୍ଠାନ ସହିତ କନ୍ଧମାଳର ଲିଙ୍ଗାଗଡ, କେନ୍ଦୁଝରର ଧୋବାକୁଚୁଡା, କୋରାପୁଟର କୁନ୍ଦାର ଓ ଉର୍ମିରେ ଛାତ୍ରୀମାନେ ଗର୍ଭବତୀ ହୋଇଥିବାବେଳେ ଲିଙ୍ଗାଗଡ଼ ଓ ଉର୍ମିରେ ୨ଜଣ ଛାତ୍ରୀ ପ୍ରସବ କରିଛନ୍ତି। ସେହିପରି ଏହି ଅବଧି ମଧ୍ୟରେ ୧୦ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଏହିସବୁ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ତତ୍ତ୍ବାବଧାରକ, ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଝି ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୧୬୭୦ଟି ବିଦ୍ୟାଳୟ ଓ ୬୦୦୦ ଛାତ୍ରାବାସ ରହିଛି। ହଷ୍ଟେଲଗୁଡିକର ସୁପରିଚାଳନା ପାଇଁ ୩୦୦୦ ତତ୍ତ୍ବାବଧାରକ ପଦ ସୃଷ୍ଟି କରାଯାଇ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାର ସମାଧାନ ଲାଗି ୩୩୬ ଏଏନଏମ ନିଯୁକ୍ତି ଦିଆଯାଇଛି।
ଛାତ୍ରୀମାନଙ୍କ ସୁରକ୍ଷା ଲାଗି ବହୁ ନିୟମାବଳୀ ସାଙ୍ଗକୁ ଟୋଲଫ୍ରି ନମ୍ବର କାର୍ଯ୍ୟକାରୀ, ଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲାର ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ଏସବୁର ତଦାରଖ କରୁଛନ୍ତି। ଏହାବାଦ୍ ଯେଉଁ କାର୍ଯ୍ୟକଳାପ ଦୃଷ୍ଟିଗୋଚର ହେଉଛି ସେଥିପ୍ରତି ଖିଲାପଧାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ରିପୋର୍ଟ: ୮ବର୍ଷରେ ୫ ଅନ୍ତଃସତ୍ତ୍ବା; ମାଆ ହୋଇଛନ୍ତି ୨
Popular Categories



