www.samajalive.in
Sunday, December 7, 2025
14.1 C
Bhubaneswar

ଆଲୁଅ ଓ ପାଣି ପାଇଁ ଏବେ ବି ଯୁଝୁଛନ୍ତି ଡିଙ୍ଗିରା-ଢିପାସାହିବାସୀ

ବଡ଼ସାହି(ମନୋଜ ପଣ୍ଡା):ରାତିରେ ଆଲୁଅ ଓ ଦିନରେ ପାଣି ପାଇଁ ଏବେ ବି ଯୁଝୁଛନ୍ତି ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଯୋଗୀନୂଆଗାଁ ପଞ୍ଚାୟତ ଡିଙ୍ଗିରା-ଢିପାସାହିର ଗ୍ରାମବାସୀ। ସ୍ୱାଧୀନତାର ୭୨ବର୍ଷ ପରେ ବି ବିଦ୍ୟୁତ ଓ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ସେମାନେ ବଞ୍ôଚତ। ୨୬ଟି ଆଦିବାସୀ ପରିବାରର ୧୦୭ଜଣ ସଦସ୍ୟ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଛନ୍ତି ଏହି ଗ୍ରାମରେ। ଗ୍ରାମରେ ବିଦ୍ୟୁତ ଖୁଣ୍ଟ ରହିଛି, ୨ଟି ନଳକୂପ ମଧ୍ୟ ଅଛି। ମାତ୍ର ତାହା ଗ୍ରାମବାସୀଙ୍କ କାମରେ ଆସୁନି। ଉଭୟ ବିଭାଗର ଠିକାଦାର କେବଳ ଉପକୃତ ହୋଇଛନ୍ତି ଏହି ପ୍ରକଳ୍ପ ନିର୍ମାଣ କରି। ନିମ୍ନମାନର ପ୍ରକଳ୍ପ ନିର୍ମାଣ କରି ସେମାନେ ବିଲ୍‍ ଉଠାଇ ଧରାଛୁଆଁ ଦେଉନାହାନ୍ତି। ଫଳରେ ଗ୍ରାମବାସୀ ଭାଗ୍ୟକୁ ଆଦରି ଡିବିରି ଆଲୁଅରେ ରାତ୍ରିଯାପନ କରୁଥିବା ବେଳେ ରାତି ପାହିଲେ ପାଣି ପାଇଁ ଅନ୍ୟ ଗ୍ରାମ ଉପରେ ନିର୍ଭର କରୁଛନ୍ତି। ସରକାର ରାଜୀବ ଜ୍ୟୋତି, ବିଜୁ ଜ୍ୟୋତି, ଦୀନଦୟାଲ ବିଦ୍ୟୁତ ଯୋଜନାରେ ସବୁ ଗାଁକୁ ବିଜୁଳି ଯୋଗାଉଥିବା ବେଳେ ମୌଳିକ ସୁବିଧା ପାଇଁ ଘର, ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଜନା ଗୁଡିକର ସଫଳ ରୂପାୟନ ହୋଇପାରୁ ନାହିଁ।
୨୦୧୩ ଫାଇଲିନ ବନ୍ୟାରେ ଗ୍ରାମର ପ୍ରାୟ ସମସ୍ତ ଘର ମାଟିରେ ମିଶିଥିଲା। ଅଣ୍ଟା ସଳଖି ଛିଡ଼ା ହେବ ପାଇଁ ସମସ୍ତଙ୍କୁ ୪/୫ବର୍ଷ ଗାଁ ଛାଡ଼ି ଦାଦନ ଖଟିବାକୁ ପଡ଼ିଥିଲା। ରାଜୀବ ଜ୍ୟୋତି ଯୋଜନାରେ ୨୦୧୨ ମସିହାରେ ୪/୫ଜଣ ବିଦ୍ୟୁତ ସଂଯୋଗ ନେଇଥିଲେ। ମାତ୍ର ଅର୍ଥାଭାବରୁ ଦେୟ ପୈଠ କରି ନପାରିବାରୁ ୨୦୧୮ ସେପ୍ଟେମ୍ବର ମାସରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ସବୁ ପରିବାରକୁ ବିଜୁଳି ଯୋଗାଇବା ପାଇଁ ପୁଣି କେନ୍ଦ୍ରର ଦୀନଦୟାଲ ଯୋଜନାରେ ୨୨ଘରକୁ ବିଦ୍ୟୁତ ସଂଯୋଗ ପାଇଁ ସରଞ୍ଜାମ ଯୋଗାଯାଇଛି। ଗୋଦରେଜ ସଂସ୍ଥାର ଠିକାଦାରଙ୍କ କର୍ମଚାରୀ ଘରପିଛା ୧୦୦ଟଙ୍କା ଲେଖାଏଁ ନେଇ ୪ମାସ ତଳେ ତାର ଟାଣିବା ସହିତ ଓ ମିଟର ବସାଇ ଯାଇଛନ୍ତି। ମାତ୍ର ଅଦ୍ୟାବଧି ବିଦ୍ୟୁତ ସଂଯୋଗ ହୋଇନାହିଁ ବୋଲି ଗ୍ରାମର ରାଜେଶ ସିଂ, ସରସ୍ୱତୀ ସିଂ, ମାଳତୀ ସିଂ, କମଳାକାନ୍ତ ସିଂ, ଶତୃଘ୍ନ ସିଂ, ଦୁର୍ଗା ମୁର୍ମୁ ଓ ଗୁରୁଭା ମାରାଣ୍ଡି ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା କିରୋସିନି ମାସକ ଯାଉ ନାହିଁ। ସଞ୍ଜ ହେଲେ ପିଲାଛଆଙ୍କୁ ଧରି ତାଟିକବାଟ ଦେଇ ଅନ୍ଧାରରେ ରାତି କଟାଉଛନ୍ତି। ଠିକା ସଂସ୍ଥା କାର୍ଯ୍ୟ ସମାପନର ରିପୋର୍ଟ ପ୍ର୍ରଦାନ କରି ନାହିଁ। ରିପୋର୍ଟ ପ୍ରଦାନ କଲେ ଆମେ କ୍ଷେତ୍ର ପରିଦର୍ଶନ କରି ସମସ୍ତଙ୍କୁ ବିଦ୍ୟୁତ ଯୋଗାଇ ଦେବୁ ବୋଲି ବେତନଟୀ ବିଦ୍ୟୁତ ବିଭାଗର କନିଷ୍ଠଯନ୍ତ୍ରୀ ଦେବକାନ୍ତ ଚୌଧୁରୀ କହିଛନ୍ତି।
ସେହିପରି ଗ୍ରାମରେ ସ୍ଥାପିତ ଦୁଇଟି ନଳକୂପରୁ ଗୋଟିଏରୁ ଦିନକୁ ୭ବାଲଟି ପାଣି ବାହାରୁ ଥିବା ବେଳେ ଅନ୍ୟଟିରେ କାଦୁଅ ମିଶ୍ରିତ ପାଣି ବାହାରୁଛି। ଫଳରେ ବିଶୁଦ୍ଧ ପିଇବା ପାଣି ପାଇଁ ଗ୍ରାମବାସୀ ନିକଟ ଯୋଗୀନୂଆଗାଁ ଗ୍ରାମ ସୀମାରେ ଥିବା କୂଅ ଉପରେ ନିର୍ଭର କରୁଛନ୍ତି। ଅନ୍ୟାନ୍ୟ ସରକାରୀ ସୁବିଧା କହିଲେ ଗ୍ରାମରେ ଏକ କମ୍ୟୁନିଟି ଗୃହ ୨୦୧୨ ମସିହାରୁ ଆରମ୍ଭ ହୋଇ ଅଧପାନ୍ତରିଆ ହୋଇ ରହିଛି। ଗ୍ରାମରେ ସ୍କୁଲ ଦୂରେ ଥାଉ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡ଼ିଣ୍ଡିମ ପିଟୁଥିôବା ବେଳେ ବାସ୍ତବତା ଦେଖିବାକୁ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆମନ୍ତ୍ରଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର। ଗ୍ରାମବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories