www.samajalive.in
Sunday, December 7, 2025
14.1 C
Bhubaneswar

ଆମେରିକାର ନାଲି ଆଖିରେ ଗାନ୍ଧୀଦେଶ ଡରିବ କି?

ମହାତ୍ମା ଗାନ୍ଧୀଙ୍କୁ ଆମେ ଯେଉଁମାନେ ପୁରୁଣାକାଳିଆ ମାନ୍ଧାତା ଅମଳିଆ ଓ ଯୁଗୋପଯୋଗୀ ନୁହନ୍ତି ବୋଲି ପରିହାସ କରୁଥିଲୁ ଆଜି ଅପଦସ୍ଥ ହେଉଛୁ। ଆମେରିକାର ନାଲିଆଖି ଓ ପଡ଼ୋଶୀ ଦେଶ ନେପାଳର ପରିସ୍ଥିତି ଆମର ବୁଦ୍ଧି ହଜାଇ ଦେଇଛି। ଥଙ୍ଗେଇ ମଙ୍ଗେଇ ଆମେ ଦେଶର ସ୍ୱାବଲମ୍ବନ ଓ ସାମାଜିକ ଶାନ୍ତି କଥା କହୁଛୁ। ଶହେ ବର୍ଷ ତଳୁ ମୋହନଦାସ କରମଚାନ୍ଦ ଗାନ୍ଧୀ ସ୍ୱାବଲମ୍ବୀ ହିଂସାମୁକ୍ତ ସମାଜ କଥା କହି ଆସିଛନ୍ତି। ପ୍ରଥମରୁ ତାଙ୍କ ଲକ୍ଷ୍ୟ ସୁନିଶ୍ଚିତ ଓ ସ୍ପଷ୍ଟ ଯେ ଭାରତ ଏକ ଶୋଷଣମୁକ୍ତ ହିଂସାମୁକ୍ତ ନିଶାମୁକ୍ତ ସ୍ୱାଧୀନ ଦେଶ ଓ ସମାଜ ହେବ ଯାହା ଦୁନିଆକୁ ଦିଗ ଦେଖାଇବ ଓ ବାଟ କଢାଇବ।  ଅର୍ଥାତ୍ ବିଶ୍ୱଗୁରୁ ହେବ। ଲକ୍ଷ୍ୟ ହାସଲର ପନ୍ଥା ହେବ ସଶକ୍ତ ଅହିଂସ ସଂଗ୍ରାମ। କାମ ହେବ ପ୍ରାଣପାତ କରି ଅନ୍ୟାୟ ଓ ଅତ୍ୟଚାରର ପ୍ରତିବାଦ ତଥା ପ୍ରତିରୋଧ କରିବା। ଶୋଷକ ଓ ଶୋଷିତର ସଂଘର୍ଷ ମଧ୍ୟରେ ଯିଏ ନିରପେକ୍ଷତାର ଘଟାଟୋପ ଘୋଡାଇ ବସେ, ବୁଝିବାକୁ ହେବ ସେ ପ୍ରତ୍ୟକ୍ଷ ଭାବରେ ଶୋଷକକୁ ସାହାଯ୍ୟ କରୁଛି ଓ ଅନ୍ୟାୟକୁ ବଢାଉଛି। ଇଂଲଣ୍ଡ, ଫ୍ରାନ୍ସ ଓ ପର୍ତ୍ତୁଗାଲ ଭାରତ ଭୂଖଣ୍ଡକୁ ବେପାର ପାଇଁ ଦଖଲ କରିଥିଲେ ସାମ୍ରାଜ୍ୟବାଦୀ ଶୋଷଣ କରି ନିଜ ଦେଶର ପୁଞ୍ଜିବାଦୀ ବ୍ୟବସ୍ଥାକୁ ବଞ୍ଚାଇ ରଖିବାପାଇଁ। ମହାତ୍ମା ଗାନ୍ଧୀ ସେଥିପାଇଁ ବିଦେଶୀ ବର୍ଜନ ଓ ସ୍ୱଦେଶୀ ଗ୍ରହଣ କଥାକୁ ନିଜର ବ୍ରହ୍ମାସ୍ତ୍ର କରିଥିଲେ।  ତେଣୁ ଇଂଲଣ୍ଡ ରକ୍ଷଣଶୀଳ ଦଳର ବହୁଚର୍ଚ୍ଚିତ ଚେହେରା ଚର୍ଚ୍ଚିଲ ଗାନ୍ଧିଜୀଙ୍କୁ ଚରମ ଶତ୍ରୁଭାବେ ଚିହ୍ନଟ କରି ତାଙ୍କର ଆଶୁ ମୃତ୍ୟୁ କାମନା କରୁଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ୟୁରୋପୀୟ ଦେଶ ବିଶେଷ କରି ପ୍ରତ୍ୟକ୍ଷ ସାମ୍ରାଜ୍ୟବାଦର ସମ୍ରାଟ ବ୍ରିଟେନର ଅଣ୍ଟା ଭାଙ୍ଗି ଦେଲା। ଆମେରିକା ଏହି ସୁଯୋଗରେ ପରୋକ୍ଷ ସାମ୍ରାଜ୍ୟବାଦ ପାଇଁ ପାଲି ପ୍ରସ୍ତୁତ କଲା ଓ ଗ୍ୟାଟ୍ ରାଜିନାମା ତା’ର ସଫଳ ଗୋଟି ହେଲା। ବାଣିଜ୍ୟ ଓ ଶୁଳ୍କରେ ସାଧାରଣ ରାଜିନାମା ହେଲା। ଭାରତ, ଚୀନ ଭଳି ପ୍ରତ୍ୟକ୍ଷ ଉପନିବେଶବାଦରୁ ସଦ୍ୟ ମୁକୁଳିଥିବା ଦେଶର ଅର୍ଥନୀତିକୁ ତଥା ବଜାରକୁ ଆଉ ଜମିଦାର ଭଳି ଲାଠି ବଳରେ ନିୟନ୍ତ୍ରଣ ନକରି ମହାଜନ ଭଳି ଋଣ ଓ ସୁଧ ଶକ୍ତି ବଳରେ କାବୁ କରିବାର ଏହା ଥିଲା ଏକ ସୁନ୍ଦର ଫିକର, ସୁନିୟୋଜିତ ଷଡଯନ୍ତ୍ର। ଆମେ ଆମ ନେତା ଗାନ୍ଧିଜୀଙ୍କୁ ଧର୍ମ ନାଁରେ ଗୁଳି କରି ମାରିଦେଲୁ। ଚୀନବାସୀ ତାଙ୍କ  ନେତା ମାଓ ସେତୁଂଙ୍କୁ ନୂଆ ସମାଜ ଗଢିବାରେ ଅକୁଣ୍ଠ ସମର୍ଥନ ଦେଲେ। ଫଳରେ ଯୋଉ ଚୀନ ଜାପାନ ସହ ଯୁଦ୍ଧରେ ଆମଠୁ ସହାୟତା ମାଗିଥିଲା ଓ ପାଇଥିଲା, ସେ ଆମକୁ ୧୯୬୨ରେ ଦୟନୀୟ ଭାବରେ ଯୁଦ୍ଧରେ ହରାଇଲା।  ପରୋକ୍ଷ ଶୋଷଣରେ ଶୋଷକମାନଙ୍କର ପେଟ ପୂରିଲା ନାହିଁ।
୧୯୮୦ ମସିହାରେ ବିଶ୍ୱ ପୁଞ୍ଜିବାଦୀ ବଜାରରେ ଆର୍ଥିକ ସଂକଟ ଦେଖାଦେବାରେ ଗ୍ୟାଟର ଦକ୍ଷ କର୍ମକର୍ତ୍ତା ଡଙ୍କେଲଙ୍କୁ ସଂକଟ ମୋଚକ ଦାୟିତ୍ୱ ଦିଆଗଲା। ସେ ବାଣିଜ୍ୟ ଓ ଶୁଳ୍କ ନୀତିରେ ଏଭଳି ପ୍ରସ୍ତାବ ରଖିଲେ ଯାହା ଅବିକଶିତ ଓ ବିକାଶଶୀଳ ଦେଶର ପେଟରୁ କାଟି ବିକଶିତ ଦେଶର ପେଟ ପୂରାଇବ। ବ୍ରାଜିଲ ସହ ମିଶି ଭାରତ ବହୁଦିନ ଯାଏ ତାକୁ ବିରୋଧ କଲା। ଦୁର୍ଭାଗ୍ୟକୁ ସଂସଦର ସର୍ବଦଳୀୟ କମିଟିର ସର୍ବସମ୍ମତ  ବିରୋଧ ସତ୍ତ୍ୱେ ବିଦେଶୀ ଲବିର ଚାପରେ ଭାରତ ସରକାର ବ୍ରାଜିଲର ହାତ ଛାଡି ଦେଲେ ଓ ପରିବର୍ତ୍ତିତ ଗ୍ୟାଟ ରାଜିନାମାରେ ହାତ କାଟି ଦସ୍ତଖତ କରିଦେଲେ। ଚୀନ୍ ବୁଦ୍ଧିମତ୍ତାର ସହ ତତ୍‌କ୍ଷଣାତ୍ ଏ ରାଜିନାମାକୁ ଗ୍ରହଣ ନକରି ନିଜକୁ ପ୍ରସ୍ତୁତ କଲା। ଫଳରେ ସେ ଆଜି ଶୋଷକ ଆମେରିକାର ସମାସ୍କନ୍ଦ ଓ ଆମେ ଆମେରିକା ପାଖରେ ଅସହାୟ ବଜାର। ଆମେ ଆମେରିକାର ନାଲି ଆଖିକୁ ଡରି ସୀମା ଶତ୍ରୁ ଚୀନ୍‌ର କାନି ଧରୁଛୁ।
ଚୀନ କାନି ଧରିବା ନିଶ୍ଚିତ ଭାବରେ ଏକ ଜାତୀୟ ଲଜ୍ଜା। ହୁଏତ ଆମେରିକା ଚୀନ କାନି ଛାଡିବା ପାଇଁ ଆମକୁ ପାକେଳେଇବ। ସେଥିରେ ଭଳିଲେ ଆମେ ବିଶ୍ୱ ଦରବାରରେ ଆହୁର ଉଲଗ୍ନ ହେବା। ପୋଡିଗଲା ତିଆଣରେ ସୁଆଦ ନ ଥାଏ କି ତୁଟି ଗଲା ସଂପର୍କରେ ସରାଗ ନ ଥାଏ। ଆମ ଲୋକସଂଖ୍ୟା ଆମର ଶକ୍ତି। ୧୪୦ କୋଟି ଲୋକ ଏକଜୁଟ ହୋଇ ନିଜ ଭିତରେ ବେପାର କଲେ ଆମକୁ କେହି ନାଲି ଆଖି ଦେଖାଇ ପାରିବେ ନାହିଁ। ବିଶ୍ୱ ବଜାର ଭିତରେ ଆମେ ସ୍ୱାବଲମ୍ବୀ ସଫଳ ବଜାର ଚଳାଇ ପାରିବା। ଏବେ ବିଦେଶୀ ବର୍ଜନ କହିବାକୁ ସାହସ କୁଳାଉ ନଥିବାରୁ ସ୍ୱଦେଶୀ ଗ୍ରହଣ କଥାଟା କୁହାଯାଉଛି ; କିନ୍ତୁ ତାହା ଗାନ୍ଧୀଙ୍କ ସ୍ୱଦେଶୀ ନ ହୋଇ ଧନୀମାନଙ୍କ ସ୍ୱଦେଶୀ ହେଲେ କାମ ହେବ ନାହିଁ।  କାରଣ ବେକାରୀ ବଢିବ ଓ ନେପାଳ ଭଳି ଅବାଞ୍ଛିତ ପରିସ୍ଥିତି ସୃଷ୍ଟି ହେବ। ଭାରତ ନେପାଳ ଭଳି ଗୋଟିଏ ରାଜ୍ୟ ନୁହେଁ, ଏହା ବହୁ ସଂସ୍କୃତି ସଂପନ୍ନ ରାଜ୍ୟମାନଙ୍କ ସୁନ୍ଦର ସମାହାର। ଦୁନିଆର ଅନୁପମ ଦେଶ। ଏହାକୁ ସୁଜଳା ସୁଫଳା କରିବାକୁ ହେଲେ ‘ସବୁ ହାତକୁ କାମ, ସବୁ ଜମିକୁ ଜଳ’ ଦେବାକୁ ହେବ। ଏହା ଥିଲା ଆଜିର ଶାସକ ଦଳର ପୂର୍ବ ସଂଗଠନ ‘ଜନସଂଘ’ର ପ୍ରିୟ ସ୍ଲୋଗାନ। ଏବେ ସମାବେଶୀ ବିକାଶ ତା’ର ସହଯୋଗୀ ସ୍ଲୋଗାନ। ତେଲିଆମୁଣ୍ଡରେ ତେଲ ଢାଳିଲେ ସମାଜର ମୁଣ୍ଡ ନୁଖୁରା ରହିବ। ସ୍ୱାବଲମ୍ବନ ପାଇଁ ମହାତ୍ମା ଗାନ୍ଧୀଙ୍କ ଖସଡା ଯେତିକି ସ୍ପଷ୍ଟ ସେତିକି ସହଜ ଓ ସରଳ। ଉଦାହରଣ ସ୍ୱରୂପ ଧାନକୁ ଚାଉଳ କରିବା ପ୍ରକ୍ରିୟାକୁ ନିଆଯାଉ। ସେ ସଂପର୍କରେ ତା ୨୬.୧୦.୧୯୩୪ ସଂଖ୍ୟା ହରିଜନ ପତ୍ରିକାରେ ଗାନ୍ଧିଜୀ ଲେଖିଲେ- ‘ଚାଉଳ ପୁରୁଣା ଢଙ୍ଗରେ କୁଟିଲେ ଏହା ବହୁ ଲୋକଙ୍କୁ ମୂଲ ଦେବ ଓ ସେ ଚାଉଳ ସ୍ୱାସ୍ଥ୍ୟପ୍ରଦ ହେବ।’ ଫଳରେ ଲକ୍ଷ ଲକ୍ଷ ଲୋକ ନିରୋଗ ଓ ରୋଜଗାରକ୍ଷମ ହେବେ। ସେହିପରି ତେଲ ବିଷୟରେ ସେ କହିଲେ, ‘ଗାଁ ରେ ଘଣା ତେଲ ଖାଣ୍ଟି ଓ ସହରରେ ମେସିନ ତେଲ ଅପମିଶ୍ରିତ।’ ଏବେ ଡାଏବେଟିକ୍ ରୋଗ ବଢିଚାଲିବାରେ ରୋଗୀକୁ ଚିନି ଖାଇବାକୁ ବାରଣ କରାଯାଉଛି। ଅଥଚ ଚିନି ମିଲ ଗାଁ ଗୁଡକୁ ସଂପୂର୍ଣ୍ଣ ମାରିଦେଲା। ଆଜି ଚିନି ମିଲରଙ୍କ ପଇସାରେ ମହାରାଷ୍ଟ୍ର  ଭଳି ବହୁ ରାଜ୍ୟର ରାଜନୀତି ଚାଲିଛି।
ସ୍ୱାଧୀନତା ଆନ୍ଦୋଳନ ବେଳେ ଗାନ୍ଧିଜୀ ତାଙ୍କର ସ୍ୱଚ୍ଛଳ କର୍ମୀଙ୍କୁ ଚରଖା ବ୍ୟତୀତ ମହୁମାଛି ପାଳି ମହୁ ଉତ୍ପାଦନ ପାଇଁ ଉତ୍ସାହିତ କରିଥିଲେ। ତାଙ୍କ ମତରେ ମହୁ ଏକ ସ୍ୱାସ୍ଥ୍ୟ ବର୍ଦ୍ଧକ ମିଠା। ଆମର ଆଳସ୍ୟ ଓ ଅଜ୍ଞତା ଯୋଗୁଁ ଏହା ପର୍ଯ୍ୟାପ୍ତ ପରିମାଣରେ ସାଧାରଣରେ ଉପଲବ୍‌ଧ ନ ହୋଇ ବିଶିଷ୍ଟ ଲୋକ ଓ ଔଷଧୀୟ ବ୍ୟବହାର କ୍ଷେତ୍ରରେ ସୀମିତ ହୋଇ ରହିଯାଇଛି। ବ୍ୟାପକ ମହୁ ସଂଗ୍ରହ ଦେଶର ଅଭିବୃଦ୍ଧିରେ ଅଂଶୀଦାର ହେବା ସହ ସଂଗ୍ରହକାରୀର ନିଜର ନିରାମୟ ଜୀବନକୁ ମଧ୍ୟ ସୁସ୍ଥ ଓ ମଧୁର କରିବ। ଗାନ୍ଧିଜୀଙ୍କ ମତରେ ମହୁ ବୈଦ୍ୟ, ହାକିମ କି ବିଶିଷ୍ଟ ଲୋଙ୍କ ବିଶେଷାଧିକାର ଦ୍ରବ୍ୟ ନ ହୋଇ ଆମ ଦେଶରେ ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ହୋଇ ପାରିବ। ଗାଁ ଓ ସହରର ଶିକ୍ଷିତ ଯୁବକ ଯୁବତୀ ଏ ଦିଗରେ ଆନ୍ତରିକ ଉଦ୍ୟମ କରିବା ଆବଶ୍ୟକ। ପରୀକ୍ଷା ନିରୀକ୍ଷା କରି ମହୁ ସଂଗ୍ରହକୁ ଏକ ଅର୍ଥକରୀ ବୃତ୍ତିରେ ପରିଣତ କରାଯାଇପାରିବ।
ସବୁଠୁ ଦୃଢ ଓ ବ୍ୟାପକ ଅଭିମତ ଗାନ୍ଧିଜୀ ଗୋସଂପଦ ଉପରେ ରଖିଛନ୍ତି। ଗୋ ହତ୍ୟାର ଘୋର ବିରୋଧୀ ଗାନ୍ଧିଜୀ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରେରଣାରେ ଗୋ ସଂପଦ ବେପାରରେ ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବାକୁ ଚାହିଁଛନ୍ତି। ସେ ସଂପର୍କରେ ତା ୭.୦୯.୧୯୩୪ ହରିଜନରେ ଗାନ୍ଧିଜୀ ଲେଖିଛନ୍ତି, “ଯେତେବେଳେ ଗ୍ରାମ୍ୟ କାରିଗରୀ ବିଲୁପ୍ତ ସେତେବେଳେ ଗ୍ରାମବାସୀ କେବଳ ଗୋରୁ ଚରାଇବା, ମଧୁସୂଦନ ଦାସଙ୍କ ଭାଷାରେ ଗ୍ରାମବାସୀଙ୍କୁ କର୍ମହୀନ ଜୀବନ ଦେଇ, ମାନସିକ ତଥା ଶାରିରୀକ ଦୃଷ୍ଟିରୁ ଅନ୍ତଃସାରଶୂନ୍ୟ କରିଦେବ। ଫଳରେ ସେମାନେ ଆଶା ଓ ଆନନ୍ଦରୁ ବଞ୍ଚିତ ହେବେ ।”
ଗୋପାଳନ ଭାରତର ଗ୍ରାମ୍ୟ ସଭ୍ୟତାର ଏକ ଶାଶ୍ୱତ ଅଭିନ୍ନ ଅଙ୍ଗ। ଭାରତର ୭ଲକ୍ଷ ଗାଁ ପାଇଁ ଏହା  ଅନୁପମ ବରଦାନ। ତେଣୁ ଦୁଗ୍‌ଧ ସଂଗ୍ରହଠାରୁ ଆରମ୍ଭ କରି ଚମଡା ବ୍ୟବହାର ପର୍ଯ୍ୟନ୍ତ ପ୍ରତ୍ୟେକ ବିଭବକୁ ବୈଜ୍ଞାନିକ ପଦ୍ଧତିରେ ଲାଭଜନକ ବ୍ୟବସାୟରେ ପରିଣତ କଲେ ହିଁ ଗ୍ରାମ ଅର୍ଥନୀତି ଆର୍ଥିକ ସଂକଟକୁ ସମନା କରିପାରିବ। ଗାନ୍ଧୀଙ୍କ ମତରେ ଏହି ଉତ୍କୃଷ୍ଟ ଗୋପାଳନ ଓ ତା’ର ବୈଜ୍ଞାନିକ ଉପଯୋଗ ଗୋଟିଏ ଉଦ୍ୟମରେ ତିନିଟି ଫଳ ଦେବ। ୧) ଦଳିତଙ୍କୁ କାମ ଦେବ, ୨) ଗ୍ରାମବାସୀଙ୍କୁ ସହାୟକ ହେବ ତଥା ୩)  ଗ୍ରାମର ଶିକ୍ଷିତ ମଧ୍ୟବିତ୍ତକୁ କର୍ମସଂସ୍ଥାନ ଦେବ ଏବଂ ଗ୍ରାମ୍ୟ ଜୀବନକୁ ଋଦ୍ଧିମନ୍ତ କରିବ। ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ତା ୨୮.୦୪.୧୯୪୬ ହରିଜନରେ ଗାନ୍ଧିଜୀ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ଓ ସ୍ୱାବଲମ୍ବୀ କରି ଭାରତ ପାଇଁ ଆର୍ଥିକ ସ୍ୱାଧୀନତା ଆଣିବାକୁ ସଂକ୍ଷେପରେ ଲେଖିଲେ- ପ୍ରତ୍ୟେକ ଗାଁକୁ ସର୍ଭେ କରି ତା’ର କାରିଗରୀ କୁଶଳତା ଠାବ କରାଯାଉ। ଅଳ୍ପ କି ବିନା ସହାୟତାରେ ସେ ବାହାରକୁ ଢିଙ୍କିକୁଟା ଚାଉଳ, ଘଣା ତେଲ, ତାଳଗୁଡ, ମହୁ, ଅଭଙ୍ଗା କଣ୍ଢେଇ, ମସିଣା, ସାବୁନ ଓ ସର୍ବୋପରି ଦୁଗ୍‌ଧ ଜାତ ଦ୍ରବ୍ୟ ଇତ୍ୟାଦି ପଠାଇ ଦେଶର ସହର ଓ ମହାନଗର ବଜାରରେ ଆସ୍ଥାନ ଜମାଇଲେ ଗ୍ରାମ୍ୟ ଜୀବନ ଜୀବନ୍ତ ଓ ଚଳଚଞ୍ଚଳ ହୋଇପାରିବ।
ଆଜି ଦୁନିଆ ଯୁଦ୍ଧର ଘନଘଟାରେ ଜର୍ଜରିତ।  ବ୍ୟକ୍ତି କ୍ଷମତାରେ ରହିବା ପାଇଁ ଓ ବିକଶିତ ଦେଶ ଅନ୍ୟ ଦେଶର ବଜାର ଦଖଲ କରିବା ପାଇଁ ଏ ଯୁଦ୍ଧର ଖେଳ। ଅସ୍ତ୍ର ବେପାର କମିସନି ନେଇ ହାତଚିକଣ କରିବା ଓ ସେଥିରେ ନିଜ ଦେଶ ରାଜନୀତିକୁ ନିୟନ୍ତ୍ରଣ କରିବା ଏ ଖେଳର ଏକ ମୁଖ୍ୟ କାରଣ। ସେଥିପାଇଁ ପ୍ରତିଦିନ ନିରୀହ ଲୋକ ଅଯଥାରେ ବଳି ପଡୁଛନ୍ତି।  ଅସହାୟ ଭାବରେ ମରୁଛନ୍ତି। ଉପନିବେଶବାଦ ବିରୁଦ୍ଧରେ ଭାରତର ସ୍ୱାଧୀନତା ସଂଗ୍ରାମ, ଏକ ସଫଳ ଆୟୁଧ ଥିଲା। ଗାନ୍ଧିଜୀ ବାକ୍ୟ ଓ କର୍ମରେ ତାକୁ ଆହୁରି ଶାଣିତ କରିଥିଲେ। ଏବେ ନବ୍ୟ ଉପନିବେଶବାଦ ଯୁଗରେ ନୂଆ ଚକ୍ରାନ୍ତକୁ ଚିହ୍ନି ଭାରତ ତାକୁ ପ୍ରତିହତ କରିବାର ସମୟ ଉପନୀତ। ଭାରତ ଶୋଷିତ ବିଶ୍ୱ ଜନତାର ନେତୃତ୍ୱ ନ ନେଲେ, ନିଜେ ଚରମ ଦୁର୍ଗତି ଭୋଗିବା ସହ ମାନବ ସମାଜ ଓ ସଭ୍ୟତା ଧ୍ୱଂସ ପାଇଯିବ। ଭାରତୀୟ ସଭ୍ୟତା ଶାଶ୍ୱତ ବିଚାର ଶ୍ରେଷ୍ଠତା ଉପରେ ତିଷ୍ଠି ରହିଥିବାରୁ ଭାରତ ହିଁ ବିଶ୍ୱ ଓ ବିଶ୍ୱବାସୀଙ୍କୁ  ଆସନ୍ନ ମୃତ୍ୟୁ ମୁଖରୁ ଫେରାଇ ଆଣି ବଞ୍ଚାଇ ରଖିପାରିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories