ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ଦ୍ବିତୀୟ ଦିନରେ ମହାସଂଘକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ପକ୍ଷରୁ ସମର୍ଥନ ଜଣାଯାଇଛି। ଓଲ୍ଷ୍ଟା ପକ୍ଷରୁ କୁହାଯାଇଛି, ୪୨୦୦ ଗ୍ରେଡ଼ ପେ, ଛଅବର୍ଷରେ ଛଅଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ଦାବି ଯଥାର୍ଥ। ମହାସଂଘର ଆବାହକ ରାମଲାଲ ପଟେଲ କହିଛନ୍ତି, ସରକାର ଦାବି ନ ଶୁଣିବା ପର୍ଯ୍ୟନ୍ତ ଧାରଣା ଚାଲିବ। ତାଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଜିଲାରୁ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଶୀତକାକରରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ଏଲିମେଣ୍ଟାରୀସ୍ତରରେ ସମସ୍ତ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି କରାଯିବାକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା)ର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ଦାବି କରିଛନ୍ତି। ସରକାର ଦାବି ପୂରଣ ନକଲେ ରାଜ୍ୟର ପ୍ରାଥମିକସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ ଆନ୍ଦୋଳନରେ ସାମିଲ ହେବେ ବୋଲି ସଭାପତି ବିକ୍ରମ କୁମାର ଦାସ, ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଯୁଗ୍ମ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ୱାଇଁ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ପ୍ରମୁଖ କହିଛନ୍ତି।
Popular Categories



