www.samajalive.in
Wednesday, December 10, 2025
23.1 C
Bhubaneswar

‘କମ୍ରେଡ’ ଜବାହର?

ଜବାହରଲାଲ ନେହେରୁ ଜଣେ କମ୍ୟୁନିଷ୍ଟ କି? ଆଧୁନିକ ଭାରତ ଗଢ଼ା ଯାଉଥିବା ସମୟରେ ନେହେରୁ ଏହାର ବାମପନ୍ଥୀକରଣର ପଥ ସୁଗମ କରିଥିଲେ କି? ଆମ ଇତିହାସକୁ କଦର୍ଥ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନରେ ନେହେରୁ ବାମପନ୍ଥୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେଇଥିଲେ କି? ସାମାଜିକ ଗଣମାଧ୍ୟମରେ ଆପଣ ବି ଏମିତି ଅନେକ ତଥ୍ୟ ଶୁଣିଥିବେ ଓ ତାକୁ ସତ ବୋଲି ପ୍ରମାଣିତ କରିବା ପାଇଁ ଅନେକ ଆଖ୍ୟାନ ବି ଆପଣଙ୍କ ନଜରକୁ ଆସିଥିବ। ମୃତ୍ୟୁର ଷାଠିଏ ବର୍ଷ ପରେ ନେହେରୁଙ୍କ ରାଜନୈତିକ ଆଦର୍ଶକୁ ନେଇ ଏ ଗପ ଓ ଆଖ୍ୟାନ ଗୁଡିକ କେତେଦୂର ସତ? ସ୍ୱାଧୀନୋତ୍ତର ଭାରତରେ ଇତିହାସ ଲିଖନ ବିଭାଗରେ ବାମପନ୍ଥୀ ଐତିହାସିକମାନଙ୍କ ପ୍ରାଧାନ୍ୟ କାହିଁକି ଅଧିକ? ଏହା ପଛରେ ନେହେରୁଙ୍କ ଅବଦାନ, ନିହିତ ସ୍ୱାର୍ଥ ଓ କାକତାଳୀୟତା କେତେ?
ସୋଭିଏତ ରୁଷିଆର ଦ୍ରୁତ ଶିଳ୍ପାୟନ ପ୍ରତି ନେହେରୁଙ୍କର ପ୍ରଗାଢ଼ ସମ୍ମାନ ଥିଲା। ଛୁଞ୍ଚି ତିଆରିର ସାମର୍ଥ୍ୟ ନଥିବା ଦେଶରେ ଇସ୍ପାତ ଓ ଭାରୀ ଶିଳ୍ପ ପ୍ରତିଷ୍ଠାର ସ୍ୱପ୍ନ ଦେଖିବା ଏବଂ ଏହାର କ୍ରିୟାନ୍ୱୟନ କରିବା ପଛରେ ଏହି ସମ୍ମାନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଥିଲା। ବୈଷମ୍ୟ ଉପରେ ମାର୍କ୍ସବାଦୀ ଚିନ୍ତାଧାରା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ତାହାଲେ କ’ଣ ନେହେରୁ କମ୍ୟୁନିଷ୍ଟ ଥିଲେ? ସେହି ନ୍ୟାୟରେ ତ ଯୋଗ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଶଙ୍କରାଚାର୍ଯ୍ୟ କିମ୍ବା ଭାରତର କେଉଁ ଅନୁକୋଣରେ ମିଠା ଦୋକାନଟିଏ ଖୋଲିବାର ଅର୍ଥ ଦୋକାନୀ ଜଣକ ରସଗୋଲା ରଖିବାକୁ ବାଧ୍ୟ! ନେହେରୁଙ୍କ ରାଜନୈତିକ ଓ ରାଷ୍ଟ୍ରନୀତିକ ଦୃଷ୍ଟିଭଙ୍ଗୀ କେବେ ଲେନିନବାଦ ସହ ଭୋଡ଼କା ପିଇନଥିଲା ନା ଷ୍ଟାଲିନବାଦର ପୂଜାରୀ ସାଜିଥିଲା। ନେହେରୁଙ୍କ ପୁସ୍ତକ ‘ଡ଼ିସକଭରୀ ଅଫ୍‌ ଇଣ୍ଡିଆ’ ରୁଷ ବିପ୍ଲବର ଉର୍ଜାକୁ ନେଇ ପ୍ରଶଂସାରେ ଶତମୁଖ; କିନ୍ତୁ ସ୍ୱାଧୀନତା ସଂଗ୍ରାମରେ ଜଣେ ସତ୍ୟାଗ୍ରହୀ ଭାବେ ହେଉ କି ସ୍ବାଧୀନୋତ୍ତର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ହେଉ, ସେ କେବେ ବି ଭାରତରେ ରୁଷ ବିପ୍ଳବ ଓ ଏହାର ଉପଲବ୍ଧିକୁ ହନୁକରଣ କରିବାର କୌଣସି ପ୍ରୟାସ କରିନଥିଲେ। ତାଙ୍କ ଉତ୍ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଥିଲା ଜାତୀୟତା, ସମାଜବାଦ, ଧର୍ମନିରପେକ୍ଷତା ଓ ସାମ୍ବିଧାନିକ ଗଣତନ୍ତ୍ର ଆଧାରିତ।
ଯଦି ନେହେରୁ ଜଣେ କମ୍ୟୁନିଷ୍ଟ ଥିଲେ, ବାମପନ୍ଥୀ ଚିନ୍ତାଧାରାର ସମର୍ଥକ ଥିଲେ, ତାହାଲେ କମ୍ୟୁନିଷ୍ଟମାନଙ୍କ ଆନ୍ଦୋଳନକୁ ସେ ଦୃଢ଼ ହସ୍ତରେ ଦମନ କରୁଥିଲେ କିପରି? ସ୍ୱାଧୀନତ୍ତୋର ଭାରତର ପ୍ରଥମ ବାମପନ୍ଥୀ ଆନ୍ଦୋଳନ ତେଲଙ୍ଗାନାରେ ଆରମ୍ଭ ହୋଇଥିଲା। ଏହାକୁ ଅତ୍ୟନ୍ତ କଠୋର ଭାବେ ଦମନ କରିଥିଲେ ନେହେରୁ। ଜାତୀୟ ଅଭିଲେଖାଗାରରେ ସାଇତା ହୋଇଥିବା ୧୯୫୦ ମସିହାର ଏକ ରିପୋର୍ଟ ଅନୁସାରେ ନେହେରୁଙ୍କ ସରକାର ସେ ସମୟରେ ହଜାର ହଜାର ବାମପନ୍ଥୀଙ୍କୁ ଗିରଫ କରିଥିଲା। ସ୍ବାଧୀନୋତ୍ତର ଭାରତରେ ପ୍ରିଭେଣ୍ଟିଭ ଡିଟେନସନ ଆକ୍ଟ ଅନୁସାରେ ଗିରଫ ହୋଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ବରିଷ୍ଠ କମ୍ୟୁନିଷ୍ଟ ନେତା ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସଂସ୍ଥାପକ ସଦସ୍ୟ ଏ କେ ଗୋପାଲନ। ଆଜି ବି ‘ଏ କେ ଗୋପାଲନ ବନାମ ମାଡ୍ରାସ ରାଜ୍ୟ’ ମାମଲାଟି ଆଇନର ଛାତ୍ରମାନଙ୍କ ପାଇଁ ଏକ ଅଧ୍ୟୟନର ମାଇଲଖୁଣ୍ଟି । ବାମପନ୍ଥର ଲାଲ ଚାଦରରେ ଘୋଡ଼ି ହୋଇଥିଲେ ନେହେରୁଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରିଥାନ୍ତା କି ?
ନେହେରୁ ବାମପନ୍ଥୀମାନଙ୍କ ବିଚାରଧାରା ନୁହେଁ ସେମାନଙ୍କ ବୌଦ୍ଧିକତାର ପୃଷ୍ଠପୋଷକ ଥିଲେ। ସ୍ବାଧୀନୋତ୍ତର ଭାରତରେ ଯେତେବେଳେ ଭାରତର ଇତିହାସ ଲେଖିବା ପାଇଁ ପେସାଦାରମାନଙ୍କ ଆବଶ୍ୟକତା ପଡ଼ିଲା, ସେତେବେଳେ ଉପଲବ୍ଧ ମାନବ ସମ୍ବଳ ମଧ୍ୟରୁ ଏକ ବଡ଼ ଅଂଶ ବାମପନ୍ଥୀ ଥିଲେ। କାହିଁକି? ଏହାର କାରଣ ମଧ୍ୟ ରୋଚକ। ପ୍ରତିଷ୍ଠାତା କାର୍ଲ ମାର୍କ୍ସଙ୍କ ଭଳି କମ୍ୟୁନିଷ୍ଟମାନଙ୍କ ମଧ୍ୟରେ ଲେଖିବା ଓ ଘଟଣାକୁ ଲିପିବଦ୍ଧ କରିବାର ଏକ ସ୍ୱକୀୟ ପ୍ରବୃତ୍ତି ରହିଛି। ନିଜେ କାର୍ଲ ମାର୍କ୍ସ ଜର୍ମାନୀରୁ ତଡା ଖାଇଛନ୍ତି, ୟୁରୋପର ଅନେକ ଦେଶକୁ ନିର୍ବାସନରେ ଯାଇଛନ୍ତି, ଓ ତାରି ଭିତରେ ହିଁ ସେ ଭାରତରେ ହୋଇଥିବା ୧୮୫୭ ସିପାହି ବିଦ୍ରୋହ ବିଷୟରେ ‘ନ୍ୟୁୟର୍କ ଡେଲି ଟ୍ରିବ୍ୟୁନ’ ପାଇଁ ଲେଖିଛନ୍ତି। ସିପାହି ବିଦ୍ରୋହକୁ ଲିପିବଦ୍ଧ କରିବାରେ ପ୍ରଥମ ଐତିହାସିକ କୌଣସି ଭାରତୀୟ କିମ୍ବା ଇଂରେଜ ନୁହନ୍ତି, ବରଂ ଏହା କାର୍ଲ ମାର୍କ୍ସଙ୍କ ଦ୍ୱାରା ଲିପିବଦ୍ଧ ହୋଇଥିଲା। ଏହା ପଛରେ ମାର୍କ୍ସଙ୍କର କିଛି ନିହିତ ସ୍ୱାର୍ଥ ବା ଲାଭ ରହିଥିଲା କି? ବୋଧ ହୁଏ ନା। ଯଦି କିଛି ଥିଲା ସେଇଟି ହେଉଛି ଏକ ନିରୁତା ସର୍ଜନଶୀଳତାର ଭାବନା। ଆଉ ଏହି ସର୍ଜନଶୀଳତା ସ୍ବାଧୀନୋତ୍ତର ଭାରତର ଅଧିକାଂଶ ବାମପନ୍ଥୀ ବୁଦ୍ଧିଜୀବୀଙ୍କ ପାଖରେ ଥିଲା।
ରୋମିଲା ଥାପର ହୁଅନ୍ତୁ କିମ୍ବା ଇରଫାନ ହବିବ, ବିପିନ ଚନ୍ଦ୍ର ହୁଅନ୍ତୁ ବା କେ ଏମ ପଣିକ୍କର, ଏମାନେ ନେହେରୁଙ୍କ ମାଗଣା ପାସ୍‌ ନୁହେଁ ବରଂ ନିଜ ଅଧ୍ୟବସାୟ ଓ ଅନୁସନ୍ଧିତ୍ସା ଲାଗି ଇତିହାସ ଲିଖନ ପ୍ରକ୍ରିୟାରେ ନିଜ ମୂଲ୍ୟ ପ୍ରମାଣିତ କରିପାରିଥିଲେ। ନେହେରୁ ବାମପନ୍ଥୀ ବୁଦ୍ଧିଜୀବୀଙ୍କୁ ନିଜ ରାଜନୀତି ପାଇଁ ନିୟୋଜିତ କରିନଥିଲେ। ଏକଥା ସତ୍ୟ ଯେ ନେହେରୁ ବାମପନ୍ଥୀ ବୁଦ୍ଧିଜୀବୀଙ୍କୁ ସେମାନଙ୍କ ଜ୍ଞାନ ପାଇଁ ସମ୍ମାନ ଦେଉଥିଲେ। ଆଉ ଏହି ସମ୍ମାନକୁ ଯଦି ଇତିହାସ ବିକୃତୀକରଣ ଦିଗରେ ନେହେରୁଙ୍କ ବାମପନ୍ଥୀ ଷଡଯନ୍ତ୍ର ବୋଲି ଅଭିହିତ କରାଯିବ, ତା’ହେଲେ ଏହା କେବଳ ଓ କେବଳ ସତ୍ୟର ଅପଳାପ। ବାମପନ୍ଥୀ ଐତିହାସିକମାନେ ନେହେରୁଙ୍କୁ ଖୁସି କରିବା ପାଇଁ ଇତିହାସ ଲେଖି ନଥିଲେ, ଆଉ ନେହେରୁ ସେମାନଙ୍କ ରାଜନୈତିକ ଆଦର୍ଶ ନୁହେଁ ବରଂ ଇତିହାସ ଲେଖିବା ପାଇଁ ସେମାନଙ୍କ କଠିନ ସାଧନା ଓ ବୁଦ୍ଧିମତ୍ତାର ପ୍ରଶଂସକ ଥିଲେ। ଏହି ପ୍ରୋତ୍ସାହନ ହିଁ ଭାରତରେ ଇତିହାସ ଲିଖନର ଏକ ବୈଜ୍ଞାନିକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ରାଜାର ଉପଲବ୍ଧିର ଉଚ୍ଚାଙ୍ଗ କାବ୍ୟିକ ପରିବେଷଣ ଓ କିମ୍ବଦନ୍ତିକୁ ବାଦ ଦେଇ ନିସ୍ପୃହ ଭାବେ ଅତୀତକୁ ଦେଖିବା ଏବଂ ଲିପିବଦ୍ଧ କରିବାର ପେସାଦାର ପ୍ରୟାସର ବୀଜବପନ କରିଥିଲା।
ଜବାହର କମ୍ରେଡ ନଥିଲେ, ବରଂ ଆନୁଗତ୍ୟ ଅପେକ୍ଷା ନବାଚାର ଓ ନୂତନ ଚିନ୍ତାଧାରାକୁ ଅଧିକ ଗୁରୁତ୍ୱ ଦେଉଥିବା ରାଷ୍ଟ୍ରନାୟକ ଥିଲେ। ସାମାଜିକ ଗଣମାଧ୍ୟମରେ ଆସୁଥିବା କମ୍ରେଡ ଜବାହାର ସନ୍ଦେଶଗୁଡିକୁ ସତ ବୋଲି ମାନି ନେବା ପୂର୍ବରୁ ନେହେରୁଙ୍କ ରଚିତ ପୁସ୍ତକ, ସ୍ୱାଧୀନତା ପାଇଁ ତାଙ୍କ ସଂଗ୍ରାମ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସମସ୍ତ ପ୍ରତିକୂଳତା ଭିତରେ ତାଙ୍କ ପ୍ରୟାସର ଅଧ୍ୟୟନ ଆପଣଙ୍କୁ ଇତିହାସ ଉପରେ ଲଢ଼େଇ ଛାଡ଼ି ତା’ଠାରୁ ଶିଖିବା ଆରମ୍ଭ କରିବା ଦିଗରେ ଅଧିକ ସହାୟକ ହେବ।

ପରଂବ୍ରହ୍ମ ତ୍ରିପାଠୀ
ନାଉଗାଁହାଟ, ଜଗତସିଂହପୁର

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories