www.samajalive.in
Wednesday, December 10, 2025
16.1 C
Bhubaneswar

ଚିନ୍ତାକଳ୍ପ : ସାହସିକତା, ଚରିତ୍ରବତ୍ତାର ପୁରସ୍କାର

ଛତ୍ରପତି ଶିବାଜି ଶୟନ କକ୍ଷରେ ନିଦ୍ରିତ ଥାନ୍ତି। ନିଶାର୍ଦ୍ଧରେ ଶୟନ ଗୃହକୁ ସନ୍ତର୍ପଣରେ ପ୍ରବେଶ କରିଥିବା ବାଳକଟି ଶିବାଜିଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିବା ପୂର୍ବରୁ ସେନାପତି ତାନାଜୀଙ୍କ ନଜରରେ ପଡ଼ିଥିଲା। ଅବିଳମ୍ବେ ବାଳକକୁ ଧରି ନେଇଥିଲେ। ବାଳକକୁ କାରାରୁଦ୍ଧ କରି ରଖାଯାଇ ପରଦିନ ଶିବାଜିଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ବାଳକକୁ ଶିବାଜି ପ୍ରଶ୍ନ କରିଥିଲେ- ‘ତୁମେ କିଏ, ତୁମର ପରିଚୟ କ’ଣ, ଶୟନ କକ୍ଷରେ କେଉଁ ଉଦ୍ଦେଶ୍ୟରେ ପ୍ରବେଶ କରିଥିଲ?’ ‘ମୋ ନାଁ ମାଲାଜୀ ଏବଂ ମୁଁ ଆପଣଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କକ୍ଷରେ ପ୍ରବେଶ କରିଥିଲି’- ନିର୍ଭୀକ ଭାବରେ କହିଥିଲା ବାଳକ। ‘କେଉଁ କାରଣରୁ ମୋତେ ହତ୍ୟା କରିବାକୁ ଚାହୁଁଥିଲ ଯେ?’
‘ମୋର ପିତା ଆପଣଙ୍କ ସେନାବାହିନୀରେ ସୈନିକ ଭାବରେ କାର୍ଯ୍ୟରତ ଥିଲେ। ଯୁଦ୍ଧରେ ସେ ବୀରଗତି ପ୍ରାପ୍ତ ହୋଇଥିଲେ। ହେଲେ ଆପଣଙ୍କ ପକ୍ଷରୁ (ଶାସକ) କିମ୍ବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସାମାନ୍ୟ ବି ସହାୟତା ମିଳିଲା ନାହିଁ। ପିତାଙ୍କ ଅସମୟ ମୃତ୍ୟୁ ପରେ ଖାଇବାକୁ ନ ପାଇ ଭୋକ ଉପାସରେ ଦିନଦିନ ଧରି ରହିବାକୁ ହେଲା। ଖାଦ୍ୟାଭାବ କାରଣରୁ ଘରେ ମୋର ଏକମାତ୍ର ସାହାଭରସା ଥିବା ମା’ ବେମାର ପଡ଼ିଲେ। ଦି’ମୁଠା ଖାଦ୍ୟ ଯୋଗାଡ଼ ଉଦ୍ଦେଶ୍ୟରେ ମୁଁ ଘରୁ ଗୋଡ଼ କାଢ଼ିଥିଲି। ମାର୍ଗରେ ଆପଣଙ୍କ ଚିର ଶତ୍ରୁ ସୁଭାଗ ରାୟ ସହ ଦେଖା ହୋଇଗଲା। ‘ଦେଖ୍‌, ଶିବାଜି କେତେ ନିଷ୍ଠୁର, ହୃଦୟହୀନ। ତୋର ପିତା ତା’ ପକ୍ଷରୁ ଲଢ଼େଇ କରି ଯୁଦ୍ଧ ଭୂମିରେ ମୃତ୍ୟୁବରଣ କଲା, ହେଲେ ତୁମ ପ୍ରତି ସେ ଦୃଷ୍ଟି ଦେଲାନି। ଏହାର ଉପଯୁକ୍ତ ପ୍ରତିଶୋଧ ନେବା ଆବଶ୍ୟକ। ଯଦି ତୁ ଶିବାଜିକୁ କୌଣସି ପ୍ରକାରେ ରାସ୍ତାରୁ ହଟାଇଦେବୁ, ମୁଁ ତୋତେ ଢେର୍‌ ଧନରାଶି ଦେବି ଯେଉଁଥିରେ ତୋର ଅଭାବ ମେଣ୍ଟିଯିବ ଏବଂ ତୁ ତୋର ରୋଗିଣା ମା’ର ଚିକିତ୍ସା କରିବାକୁ ସକ୍ଷମ ହୋଇପାରିବୁ- ସୁଭାଗ ରାୟ ଏହା କହି ମୋର ମନକୁ ବିଷାକ୍ତ କରି ଦେଇଥିଲା। ସବୁ ଶୁଣି ସେନାପତି କହିଥିଲେ- ‘ଦୁଷ୍ଟ! ଏବେ ତୁ ମରିବା ପାଇଁ ପ୍ରସ୍ତୁତ ହୋଇଯା। ତୋର ଶେଷବେଳ ଆସିଗଲା।’ ବାଳକ ପୂର୍ବଭଳି ସାହସର ସହ କହିଥିଲା- ‘ମୃତ୍ୟୁକୁ ମୋର ତିଳେମାତ୍ର ଭୟ ନାହିଁ, ହେଲେ ମୃତ୍ୟୁ ପୂର୍ବରୁ ମୁଁ ମୋର ମରଣାପନ୍ନ ମା’କୁ ଶେଷଥର ପାଇଁ ଟିକେ ଦେଖା କରିବାକୁ ଚାହୁଁଛି। ମୁଁ କଥା ଦେଉଛି କାଲି ସକାଳେ ମୁଁ ନିଶ୍ଚୟ ଦରବାରରେ ପହଞ୍ଚିବି।’ ଶିବାଜି ଅନୁମତି ଦେଇଥିଲେ। ପରଦିନ କଥା ରକ୍ଷାକରି ପ୍ରତ୍ୟୁଷରୁ ବାଳକ ଦରବାରରେ ହାଜର ହୋଇ କହିଥିଲା- ‘ମହାରାଜ! ଏବେ ମୋତେ ମୃତ୍ୟୁଦଣ୍ଡ ଦିଅନ୍ତୁ। ମୁଁ ଏ ନିମନ୍ତେ ପ୍ରସ୍ତୁତ।’ ବାଳକର ଏଇ କଥା ଶିବାଜିଙ୍କ ଅନ୍ତରାତ୍ମାକୁ ଆନ୍ଦୋଳିତ କରିଦେଇଥିଲା- ‘ତୁମଭଳି ଜଣେ ଚରିତ୍ରବାନ, ସ୍ପଷ୍ଟବାଦୀ, ସାହସୀ ବାଳକକୁ ମୁଁ ମୃତ୍ୟୁଦଣ୍ଡ ଦେଇପାରିବିନି। ତୁମପରି ରତ୍ନ ଜାତି ଓ ଦେଶର ଗୌରବ ବୃଦ୍ଧି କରିବେ ନିଶ୍ଚୟ।’ ଏହା କହି ସେନାବାହିନୀରେ ସେହି ବାଳକକୁ ନିଯୁକ୍ତି ଦେଇଥିଲେ ଶିବାଜି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories