ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ବସଷ୍ଟାଣ୍ଡ ଛକ, ତୁଳୁ ରାସ୍ତା ଓ ହଳଦିଆ ପଦରରେ ଆତଙ୍କ ସୃଷ୍ଟିକାରୀ ୩ ଅଭିଯୁକ୍ତଙ୍କୁ ରବିବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହଳଦିଆପଦରର ସୁବାସ ଦାସ(୨୩) ଓ ସଦାନନ୍ଦ ଦାସ(୨୫) ଏବଂ କନିଷି ଭଗବତୀ ନଗରର ଆଶିଷ ଦଳାଇ(୨୩ )। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ଖଣ୍ଡା ଓ ୨ଟି ବାଇକ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କୁ ପୁଲିସ ଖୋଜୁଥିବା ଜଣାପଡିଛି।
ଗତ ୭ ତାରିଖ ସନ୍ଧ୍ୟାରେ ପୂର୍ବ ଯୋଜନା ମୁତାବକ ୨ଟି ବାଇକରେ ୩ ଅଭିଯୁକ୍ତ ପ୍ରଥମେ ତୁଳୁ ରାସ୍ତାରେ ରହୁଥିବା ବିଜେପି କର୍ମୀ ତଥା ପୂର୍ବତନ ଗୋଳନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ସନତଙ୍କ ଦୁଇ ହାତରେ ଖଣ୍ଡା ଚୋଟ ବାଜିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ଜଣେ ବିଜେପି କର୍ମୀ ସୁନିଲ କୁମାର ସାମଲଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସୁନିଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ଯୁବକମାନେ ସେଠାରୁ ବାଇକରେ ଦ୍ରୁତ ଗତିରେ ଯାଇ ହଳଦିଆପଦର ବସଷ୍ଟାଣ୍ଡ ଛକ ତଳ ରାସ୍ତାରେ ଛିଡ଼ାହୋଇଥିବା କୋଳଥିଗାଁର ସଲିପ ପାତ୍ର ଓ ତାଙ୍କ ମାମୁଁ ଟିକିନା ପାତ୍ରଙ୍କୁ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତମାନେ ହଳଦିଆପଦର ଛକଠାରେ ଫାଷ୍ଟଫୁଡ୍ ଦୋକାନୀ ବାବୁଲା ପାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁହୁଲୁହାଣ କରିବା ସହ ଦୋକାନ ଭଙ୍ଗାରୁଜା କରିଥିଲେ। ସେଠାରୁ ଅନତି ଦୂରରେ ଥିବା ଚିକେନ ଦୋକାନୀ ସୟଦ ଉମରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଭୂବନେଶ୍ବର ଖସିଯିବାକୁ ଉଦ୍ୟମ କରୁଥିବା ବେଳେ କେଶପୁର ଗେଟ୍ ନିକଟରୁ ମୋଟରସାଇକେଲ ସହ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ରବିବାର ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ବଡ ମେଡିକାଲକୁ ଯାଇ ଚିକିତ୍ସିତ ହେଉଥିବା ୩ ବିଜେପି କର୍ମୀଙ୍କ ସହ ଅନ୍ୟ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ଅବସରରେ ମନ୍ତ୍ରୀ ଜେନା କହିଥିଲେ, ପ୍ରତିପକ୍ଷଙ୍କ ସତ୍ତା ହଜିଯିବାରୁ ଏହିଭଳି ଭାବରେ ନାରକୀୟ କାଣ୍ଡ କରିଛନ୍ତି। ରାଜନୀତିରେ ହିଂସାର ସ୍ଥାନ ନାହିଁ। ଯେଁଉମାନେ ଏଭଳି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆକ୍ରମଣ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରିବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ। ସନ୍ଧ୍ୟାରେ ସନତ ଓ ସଲିପଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପୁଲିସ ପକ୍ଷରୁ ୨ ସେକ୍ସନ ପୁଲିସ ଫୋର୍ସ ସହ ଏକ ପାଟ୍ରୋଲିଂ ଗାଡ଼ି ୨୪ ଘଣ୍ଟିଆ ପାଟ୍ରୋଲିଂ କରି ପରିସ୍ଥିତି ଉପରେ ନଜର ରଖୁଥିବା କୁହାଯାଇଛି।




