ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ

ସମାଜ ଡିଜିଟାଲ ଡେସ୍କ: ଲିଭର ପ୍ରତିରୋପଣ ହୋଇଥିବା ସମ୍ବଲପୁର ଜିଲା ଝାଙ୍କରପାଲିର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଉମାକାନ୍ତି ପ୍ରଧାନ। ଉମାକାନ୍ତିଙ୍କୁ ତାଙ୍କ ବଡ଼ ଯାଆ ନିଜ ଲିଭର ଦାନ କରିଥିଲେ। ଏହା ସତ୍ବେ ତାଙ୍କୁ ବଞ୍ଚାଇପାରି ନାହାନ୍ତି ଡାକ୍ତର। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ଯାଆ ଉମାକାନ୍ତିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ସ୍ବାମୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ନେଇ ତାଙ୍କ ପରିବାର ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି।

ସୂଚନାଯୋଗ୍ୟ, ଉମାକାନ୍ତିଙ୍କ ପେଟରେ ସେପ୍‌ଟିକ ହେବାରୁ ଲିଭର ନଷ୍ଟ ହୋଇଯାଇଥିଲା। ତେଣୁ ତାଙ୍କଠାରେ ଲିଭର ପ୍ରତିରୋପଣ ଜରୁରୀ ହୋଇପଡ଼ିଥିଲା। ଏଭଳି ସମୟରେ ବଡ଼ ଯାଆ ନିଜ ଲିଭର ଦାନ କରିଥିଲେ। ପରିବାର ଭିତରେ ଯାଆମାନଙ୍କ ମଧ୍ୟରେ ସାଧାରଣତଃ ମନୋମାଳିନ୍ୟ ରହୁଥିବାବେଳେ ଏଠାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଡ଼ ଯାଆ ନିଜ ସାନ ଯାଆର ଜୀବନ ବଞ୍ଚାଇବାକୁ ଲିଭର ଦାନ କରିବାକୁ ବି ପଛାଇ ନ ଥିଲେ। ଏହି ଘଟଣାକୁ ନେଇ ବଡ଼ ଯାଆ ଚର୍ଚ୍ଚାକୁ ଆସିଥିଲେ। ହେଲେ ସାନ ଯାଆଙ୍କ ମୃତ୍ୟୁ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି।

Comments are closed.