ଐତିହ୍ୟ- ମୌନୀବାବା ମଠ:ଛାତ ପକାଇ ପାରିଲେନି ହିନ୍ଦୋଳ ରଜା

.

Published On: Aug 13, 2017 04:28 PM IST | Updated On: Aug 13, 2017 07:02 AM IST |   285

ଚାଳିଶି ଦଶକର କଥା । ଯେତେବେଳେ ତୁଳସୀପୁର ଅଞ୍ଚଳ ଘନଜଙ୍ଗଲରେ ଭରି ରହିଥିଲା, ଆଖପାଖରେ କେବଳ ଗୋପାଳମାନେ ହିଁ ବାସ କରୁଥିଲେ । ଗରିବ ଦାସ ସନ୍ଥପୁରୁଷ ବୃନ୍ଦାବନରୁ ପୁରୀ ଆସିଥିଲେ । ଏକ ମୃଗଛାଲ ଉପରେ ପଦ୍ମାସନରେ ବସି କଟକର କାଠଯୋଡି ପାର ହେଉଥିଲା ବେଳେ ଲୋକେ ତାଙ୍କୁ ସ୍ୱାଗତ କଲେ । ଲୋକଙ୍କ ଶ୍ରଦ୍ଧା ଏଡାଇ ନ ପାରି ଗରିବ ଦାସ ଏଇ ତୁଳସୀପୁର ଜଙ୍ଗଲରେ ନିଜ ଆଶ୍ରମ ପ୍ରତିଷ୍ଠା କଲେ । ସେଇଠି ତପସ୍ୟା କଲେ ଏବଂ ରଘୁନାଥଙ୍କ ମନ୍ଦିରଟିଏ ଗଢିଲେ । ପରବର୍ତ୍ତୀ କାଳରେ ବାବା ସମାଧି ନେଲେ। କଟକରେ ମୋଗଲ ରାଜୁତି କାଳରେ ସେହି ପ୍ରାଚୀନ ରଘୁନାଥ ମନ୍ଦିରକୁ ଭାଙ୍ଗି ଦିଆଗଲା । ମନ୍ଦିରର ଭଗ୍ନାବଶେଷ ମାଟି ତଳେ ରହିଗଲା । ମାଟି ତଳେ ସନ୍ଥ ଗରିବ ଦାସ ସମାଧିରେ ଅଛନ୍ତି  । ରହିଛି ଭଗ୍ନ ରଘୁନାଥ ମନ୍ଦିର । ଠିକ୍‌ ସେହି ସ୍ଥାନରେ ହିନେ୍ଦାଳ ରାଜାଙ୍କ କୋଠି ତିଆରି ହେଉଥିବାରୁ କାମରେ ବିଘ୍ନ ଘଟୁଛି; ରାଜାଙ୍କ କୋଠି ପାଇଁ ତାହା ଠିକଣା ସ୍ଥାନ ନୁହେଁ ବୋଲି ଦର୍ଶାଇ, ସେଇଠି ନିଜ ମଠ ପ୍ରତିଷ୍ଠା କରିବାରେ ଆଗ୍ରହ ରଖିଲେ ମୌନୀ ବାବା । ତାହା ହିଁ ହେଲା; ସାମାନ୍ୟ ଦୂରରେ ହିନ୍ଦୋଳ ରାଜା କୋଠି ତିଆରି କଲେ ଏବଂ ସେ ସ୍ଥାନରେ ଗଢିଉଠିଲା ‘ମୌନୀବାବା ମଠ’ । ୧୯୪୦ ମସିହାରେ ମୌନୀବାବା ତାଳଚେରରୁ ଆସି କଟକ ତୁଳସୀପୁର ମଠରେ ଅବସ୍ଥାନ କଲେ । ମାଟିର ଚଟାଣ, ମାଟିଇଟାର କାନ୍ଥ ଓ ଟିଣର ଛପର ପଡିଥିବା ଆଶ୍ରମରେ ଜଗନ୍ନାଥଙ୍କୁ ପୂଜା କଲେ। ସେହି ବର୍ଷରୁ ବାବା ଆରମ୍ଭ କରିଥିଲେ ପବିତ୍ର ବାରୁଣୀ ଯାତ୍ରା; ଯାହା ଏ ଯାବତ୍‌ ପ୍ରତିବର୍ଷ ମଠରେ ବଡ଼ ଯାକଜମକରେ ପାଳିତ ହୋଇଆସୁଛି । ୧୯୭୬ରେ ମୌନୀବାବା ସମାଧୀ ନେଲେ । ଏବେ ମଠର ମହନ୍ତ ଅଛନ୍ତି ବାଳଯୋଗୀ ପୁରନ୍‌ ଦାସ ଉଦାସୀ ।

ଗୋଟିଏ ଗୋଡ଼ରେ ୬୧ଦିନ

୧୯୬୪ ସାଲରେ ଗଡ଼ଗଡିଆରେ ଲୋକେ ଥାଟପଟାଳି ଭାଙ୍ଗିଲେ। ସେଠି ଗୋଟିଏ ଗୋଡରେ ୬୧ଦିନ ତପସ୍ୟାରେ ଥିବା ଜଣେ ଯୁବସନ୍ୟାସୀଙ୍କୁ ଦେଖିବାକୁ ମିଳିଲା । ଚାରିପଟେ ନିଅାଁଜାଳି, ମଝିରେ କରୁଥିଲେ ସେ ୮୪ ଆସନ । ପୁଣି ଚାଲିଥିଲା ନଚିକେତା ଯଜ୍ଞ । ସେ ଥିଲେ ପୁରନ୍‌ ଦାସ । ତୁଳସୀପୁରରୁ ମୌନୀବାବା ଯାଇ ତାଙ୍କୁ ଭେଟିଲେ ଏବଂ ମଠ ଦାୟିତ୍ୱ ତୁଲାଇବାକୁ କହିଲେ। ପୁରନ୍‌ ଦାସ କିନ୍ତୁ ଦାୟିତ୍ୱ ହସ୍ତାନ୍ତରର କାଗଜପତ୍ର କାମ ସାରି “ଠିକଣା ବେଳେ ଆସି ପହଞ୍ଚିବି’ କହି ବିଶାଖାପାଟଣା ଚାଲିଗଲେ । ଏଣେ ମୌନୀବାବାଙ୍କ ଦେହାବସାନ ପରେ ମଠ ଫାଙ୍କା ପଡିଲା। ଧୀରେ ଧୀରେ ମଠର କିଛି କିଛି ଅଂଶ ଜବରଦଖଲରେ ଯିବାକୁ ଲାଗିଲା ଏବଂ ଅସାମାଜିକ କାର୍ଯ୍ୟକଳାପର ପେଣ୍ଠ ପାଲଟିଲା। ମଠ ପରିସରରେ ଏକ ହତ୍ୟାକାଣ୍ଡ ବି ଘଟିଲା। ବିଳମ୍ବ ହେଉପଛେ, କିନ୍ତୁ ଫେରିଲେ ପୁରନ୍‌ ଦାସ । ୧ଏକର ୨୫୦ ଡେସିମିଲ ପରିମିତ ମଠ ଅଞ୍ଚଳ ପୁଣି ଚମକି ଉଠିଲା । ଏବେ ମଠର ସୋନ୍ଦର୍ଯ୍ୟକରଣ ଚାଲିଛି । ମୂଲ୍ୟବାନ ରଂଗିନ ପଥର, କାଚ ଓ ମାଳିରେ ମଠକୁ ଝଲସାଉଛନ୍ତି ରାଜସ୍ତାନର କାରିଗର । ଦେବଦେବୀଙ୍କ ବିଶାଳ ପଥର(ମାର୍ବଲ) ମୂର୍ତ୍ତି ସବୁ ଜୟପୁରରୁ ଆସୁଛି । ଗରିବ ଦାସ ଓ ମୌନୀବାବାଙ୍କ ସମାଧିସ୍ଥଳ ମଠ ପରିସରରେ ରହିଛି । ପୋଷା ରାଜହଂସମାନେ ଦିନସାରା ଆଶ୍ରମ ପରିସରକୁ ଚଳଚଞ୍ଚଳ କରି ରଖିଥିଲା ବେଳେ ରାତିରେ ମଠ ଜଗୁଛନ୍ତି ଦଳେ ବିଦେଶୀକୁକୁର ।

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ