ବାଟ ଦେଖାଇଲା ‘ସମାଜ’; ହାତ ବଢ଼ାଇଲେ ସରକାର:ଇଟାଭାଟି ଶ୍ରମିକ ଏବେ ଇଞ୍ଜିନିୟରିଂ ଛାତ୍ରୀ

.

Published On: Aug 13, 2017 01:04 PM IST |   247

ଗୁରୁଡିଝାଟିଆ ଦାରିଦ୍ର୍ୟ ନିକଟରେ ବନ୍ଧା ପଡିଥିଲା ପ୍ରତିଭା । ପ୍ରତିଭା ପୁଣି ଉକୁଟି ଉଠିଛି ଅଭାବର ବୁକୁ ଚିରି । ଦିଓଳି ଦି’ମୁଠା ଖାଇବା ଥିଲା ସ୍ୱପ୍ନ । ଭଲଖଣ୍ଡେ ପିନ୍ଧିବା ଜୀବନରେ ଦେଖି ନ ଥିବା ବାପଛେଉଣ୍ଡ ପ୍ରତିଭା ସମ୍ପନ୍ନ ମେଞ୍ଜ ମୁହଁରେ ଆଜି ଫୁଟିଉଠିଛି ହସ । ସ୍ୱପ୍ନ ଉଜୁଡିଯିବାକୁ ବସିଥିବା ବେଳେ ‘ସମାଜ’ ତାକୁ ଦେଖାଇଥିଲା ବାଟ ଏବଂ ପ୍ରଶାସନ ଏବେ ବଢାଇଛି ସହାୟତାର ହାତ । ଇଟାଭାଟିର ଶ୍ରମିକ ସାଜିଥିବା ମେଞ୍ଜ ଏବେ ଇଲେକ୍ଟି୍ରକାଲ ଇଞ୍ଜିନିୟରିଂ ଛାତ୍ରୀ । 

ଆଠଗଡ ବ୍ଲକ ଗୋବରା ପଞ୍ଚାୟତ ଓର୍ଦା ଏକ ପର୍ବତ ଘେରା ଅବହେଳିତ ଜନଜାତି ଗାଁ । ଅଭାବ ଅନଟନରେ ଜୀବନ ଜିଇଁଥିବା ଲୋକଙ୍କ ଭିତରେ ପାଣ୍ଡବ ସାଇଁଆ ଅନ୍ୟତମ । ତାଙ୍କର ସ୍ୱପ୍ନ ଥିଲା ଝିଅକୁ ପାଠ ପଢାଇ ଭଲ ମଣିଷ କରିବ । ସେଥିପାଇଁ ଢେଙ୍କାନାଳ ଜିଲାର ଏକ ଅନୁସୁଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ମେଞ୍ଜକୁ ପାଠ ପଢାଇବା ପାଇଁ ନାମ ଲେଖାଇଥିଲେ । ଏହାରି ଭିତରେ ରୋଗରେ ପଡି ପାଣ୍ଡବ ଆଖିବୁଜିଲେ । ଫଳରେ ମେଞ୍ଜଙ୍କ ପରିବାର ପ୍ରତି ଘନେଇ ଆସିଲା ବିପଦ । ବାଧ୍ୟ ହୋଇ ବିଧବା ମା’ ଓ ସାନଭଉଣୀର ଭରଣପୋଷଣ ଭାରବହନ କରିବାକୁ ମେଞ୍ଜର କଅଁଳ ହାତ ଖାତାକଲମ ସହ ବିଦ୍ୟାଳୟ ଛାଡ଼ି ନିଜ ସାନଭଉଣୀ ସହ ସର୍ପେଶ୍ୱର ନିକଟସ୍ଥ ଇଟାଭାଟିରେ ଶ୍ରମିକ ଭାବେ କାମ କରିବାକୁ ଲାଗିଲା । ଦୁଇବର୍ଷ ଧରି ତାଙ୍କ ଘର ମଧ୍ୟ ଛପର ହୋଇନଥିଲା । ଅଭାବର କଷଣରେ ପେଶି ହେଉଥିଲେ ମେଞ୍ଜର ମା’ ଓ ସାନ ଭଉଣୀ । ମେଞ୍ଜର କରୁଣଭରା ଜୀବନଚିତ୍ର ସମ୍ପର୍କରେ ‘ସମାଜ’ର ପ୍ରଥମ ପୃଷ୍ଠାରେ ଖବର ପ୍ରକାଶ ପାଇବା ପରେ ତାହା ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କୁ ଛୁଇଁଥିଲା । ଶ୍ରୀ ପତି କଟକ ଜିଲାପାଳ ନିର୍ମଳଚନ୍ଦ୍ର ମିଶ୍ରଙ୍କୁ ମେଞ୍ଜଙ୍କ ଶିକ୍ଷା ଗ୍ରହଣ ସହ ତା’ର ପରିବାର ସମ୍ପର୍କରେ ଟିକିନିକି ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଫଳରେ ମେଞ୍ଜକୁ ଆଉ ଇଟାଭାଟିକୁ ଯିବାକୁ ପଡି ନ ଥିଲା । ପ୍ରଶାସନର ସହଯୋଗରେ ମାଧବପୁରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରିଥିଲା ସେ । ଚଳିତବର୍ଷ ଭଲ ନମ୍ବର ରଖି ମେଞ୍ଜ ମାଟି୍ରକ ପାସ୍‌ କରିଥିଲେ ମଧ୍ୟ ପୁଣି ଅଦିନିଆ ଦାରିଦ୍ର୍ୟର ବାଦଲ ତା’ର ଜୀବନ ଆକାଶକୁ ମାଡି ଆସିଥିଲା । ଅଭାବ ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚôତ ହୋଇ ମୂଲ ଲାଗିବାକୁ ବାହାରିଥିଲା ମେଞ୍ଜ । ଏ ସମ୍ପର୍କରେ ଆମ ପ୍ରତିନିଧି ମେଞ୍ଜ ନିକଟରେ ପହଞ୍ଚô ତଥ୍ୟ ସଂଗ୍ରହ କରିବା ସହ ଜିଲାପାଳ ଶ୍ରୀ ମିଶ୍ରଙ୍କ ନିକଟକୁ ମେଞ୍ଜକୁ ନେବା ପରେ ତା ଜୀବନର ଗତିପଥ ବଦଳିଥିଲା  । ଜିଲା ପ୍ରଶାସନ ଖୁଣ୍ଟୁଣୀ ନିକଟସ୍ଥ ରାଧାଦାମୋଦରପୁରଠାରେ ଥିବା ଧବଳେଶ୍ୱର ପଲିଟେକ୍‌ନିକ୍‌ର ମୁଖ୍ୟ ସୁବ୍ରତ ଦାସ ଓ ପ୍ରଶାସନିକ ଅଧିକାରୀ ରମଣୀରଞ୍ଜନ ନାୟକଙ୍କ ସହ ମେଞ୍ଜର ଉଚ୍ଚଶିକ୍ଷା ନିମନ୍ତେ ଆଲୋଚନା କରି ବ୍ୟବସ୍ଥା କରାଇଛନ୍ତି । ମେଞ୍ଜ ଆଜି ଇଲେକ୍ଟି୍ରକାଲ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମରେ ନାଁ ଲେଖାଇଛି । ମେଞ୍ଜର ଜୀବନ ଚିତ୍ର ବଦଳୁଛି । ଇଟାଭାଟି ଶ୍ରମିକରୁ ଏବେ ସେ ଇଞ୍ଜିନିୟରିଂ ଛାତ୍ରୀ ହୋଇ ସ୍ୱର୍ଗତଃ ପିତାଙ୍କ ସ୍ୱପ୍ନ ସାକାର କରିବାକୁ ଅଙ୍ଗୀକାରବଦ୍ଧ ।

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।