ତଣ୍ଟିରେ ଲାଗିଥିବା କଣ୍ଟା ବାହାର କରିପାରୁନି ଚୀନ

ତଣ୍ଟିରେ ଲାଗିଥିବା କଣ୍ଟା ବାହାର କରିପାରୁନି ଚୀନ

| Published On: Aug 12, 2017 11:54 PM IST |   1415

ବେଜିଂ : ଡୋକଲାମ ପ୍ରସଙ୍ଗରେ ଚୀନ୍‌ ନିଜ ଦେଶବାସୀଙ୍କୁ ଭୁତାଇ ଚାଲିଛି । ନିଜେ କରିଥିବା ଭୁଲ ଢ଼ାଙ୍କିବା ପାଇଁ ଚୀନ୍‌ ଏଭଳି କରୁଥିବା କ୍ରମଶଃ ସ୍ପଷ୍ଟ ହେଲାଣି । ଭୁଟ୍ଟାନ ସରକାରଙ୍କ ପକ୍ଷରୁ ଦୁଇ ଦିନ ପୂର୍ବେ ପ୍ରକାଶିତ ବିଜ୍ଞପ୍ତି ଓ ଚୀନ୍‌ ସରକାରଙ୍କୁ ପ୍ରଦାନ କରାଯାଇଥିବା ଜବାବର ଉତ୍ତର ଦେଇପାରୁ ନାହାନ୍ତି ଚୀନ୍‌ କର୍ତ୍ତୃପକ୍ଷ । ଚୀନ୍‌  ଡେକଲାମକୁ ମାଡ଼ିବସିବା ଉଦ୍ୟମକରି ଏମିତି ଅଡ଼ୁଆରେ ପଡ଼ିଛି ଯେ ଏହାକୁ ଗିଳି ପାରୁ ନାହିଁ କି ଓଗାଳି ପାରୁ ନାହିଁ । ଡୋକଲାମ ପ୍ରସଙ୍ଗ ଏହାର ତଣ୍ଟିରେ ଲାଗିଯାଇଛି । ଏହାକୁ ବାହାର କରିବା ପାଇଁ ଭାରତର ପିଛା ପଡ଼ିଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ବିଶେଷକରି ଆମେରିକୀୟ ଓ ଭୁଟ୍ଟାନ ଗଣମାଧ୍ୟମ ଅନୁଯାୟୀ, ଚୀନ୍‌ର ଗଣମାଧ୍ୟମ ଭାରତ ଓ ଭୁଟ୍ଟାନ ବିରୋଧରେ ଯେଉଁ ଗରମାଗରମ ପ୍ରଚାର ଅଭିଯାନ ଚଳାଇଛନ୍ତି ତାହା କେବଳ ନିଜ ଦେଶରେ ସୀମିତ । ଏଥିରେ ପ୍ରସଙ୍ଗ ସମ୍ପର୍କରେ ଏଭଳି ପ୍ରଚାର କରାଯାଉଛି ଯେ ଚୀନ୍‌ବାସୀ ବାସ୍ତବ ତଥ୍ୟ ଜାଣିପାରୁ ନାହାନ୍ତି । ‘ଗ୍ଲୋବାଲ ଟାଇମ୍ସ’ ଭୁଟ୍ଟାନର ଚିଠିକୁ ଖଣ୍ଡନ କରିପାରୁ ନାହିଁ; କିନ୍ତୁ ଭୁଟ୍ଟାନକୁ ସମର୍ଥନ କରିବାକୁ ଯାଇ ଭାରତ ସୈନ୍ୟ ଚୀନ୍‌ ଭିତରକୁ ଅନୁପ୍ରବେଶ କରିଛନ୍ତି ବୋଲି ପ୍ରଚାର କରୁଛି । ଡୋକଲାମ ପ୍ରସଙ୍ଗରେ ଭୁଟ୍ଟାନର ସ୍ଥିତି କେବଳ ‘କାଉ ରଡ଼ିବାକୁ ତାଳ ପଡ଼ିବା’ ଭଳି ଓ ଏହା ବାଧ୍ୟବାଧକତାରେ ଭାରତର ପକ୍ଷ ନେଉଛି ବୋଲି ଏଥିରେ ପ୍ରକାଶ ପାଉଛି । ବାସ୍ତବ କଥା ହେଉଛି; ଭୁଟ୍ଟାନ ତାର ଶରଣରେ ରହୁ ବୋଲି ଚୀନ୍‌ ଚାହୁଁଛି । ସେଥିପାଇଁ ଡୋକଲାମରେ ବିବାଦର ମଞ୍ଜି ପୋତିଛି । ଡୋକଲାମର ଅବସ୍ଥିତି ଦୃଷ୍ଟିରୁ ଏହାକୁ ଚୀନ୍‌ ଦଖଲ କରିବା ଉଦ୍ୟମର ଭାରତ ପ୍ରତିିବାଦ କରିବା ସ୍ୱାଭାବିକ । ଭୁଟ୍ଟାନ ସମର୍ଥନରେ ଭାରତ ବାହାରିବା କ୍ଷଣି ଚୀନ୍‌ ଚିହିଁକି ଉଠିଛି । ବର୍ତ୍ତମାନର ବିବାଦରେ ଭୁଟ୍ଟାନ ନିରପେକ୍ଷ ରହିବାକୁ ଚାହୁଥିଲେ ମଧ୍ୟ କାଳେ ଭାରତ ଏହାକୁ ଦଖଲ କରିନେବ ସେହି ଆଶଙ୍କାରେ ଏହାର ସମର୍ଥନରେ ବାହାରୁଛି । ଭାରତ ଭୁଟ୍ଟାନ ଉପରେ ସମର୍ଥନ ପାଇଁ ଚାପ ପକାଉଛି ଓ ଏହାକୁ ଡରାଇ ଚୀନ୍‌ ବିରୋଧରେ ମତାଉଛି ବୋଲି ଏହି ପତି୍ରକାରେ ପ୍ରଚାର କରାଯାଉଛି । ଭୁଟ୍ଟାନ ଏପରି ଚାପକୁ ହଜମ କରିଦେଉଥିବାରୁ ଭାରତ ଚିନ୍ତାରେ ପଡ଼ିଛି । ଏପରି ପ୍ରଚାରର ଉଦେ୍ଦଶ୍ୟ ହେଉଛି, ଚୀନ୍‌ ଏବେ ଗିଳିଥିବା କଣ୍ଟାକୁ ନାଁ ଢ଼ୋକି ପାରୁଛି, ନାଁ ଓଗାଳି ପାରୁଛି । ନିଜର ଭୁଲ ଢ଼ାଙ୍କିବା ପାଇଁ ଅପପ୍ରଚାରର ରାସ୍ତା ଧରିଛି । ନିଜ ଦେଶର ଲୋକଙ୍କୁ ଭୂଆଁ ବୁଳାଇ ଅଯଥା ଭାରତ ବିରୋଧୀ ଅଭିଯାନ ଚଳାଇଛି ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ