ସଂସଦର ମୌସୁମୀ ଅଧିବେଶନ ସମାପ୍ତ

ଉଭୟ ଗୃହରେ ମୋଟ ୧୩ଟି ବିଲ୍ ପାରିତ

Copy Editor | Published On: Aug 11, 2017 07:51 PM IST |   158

• ଉଭୟ ଗୃହରେ ମୋଟ ୧୩ଟି ବିଲ୍ ପାରିତ • ଲୋକସଭାରେ ୭୭.୯୪% ଏବଂ ରାଜ୍ୟସଭାରେ ୭୯.୯୫% କାର୍ଯ୍ୟ ସମ୍ପନ୍ନ 

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ-୨୦୧୭ ଗୃହ କାର୍ଯ୍ୟ ଦୃଷ୍ଟିରୁ ବେଶ ସଫଳ ଅଧିବେଶନ ହୋଇପାରିଛି । ସମସ୍ତ ରାଜନୈତିକ ଦଳ ଜାତୀୟ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗର ଆଲୋଚନାରେ ଅଂଶ ଗ୍ରହଣ କରିଥିବାରୁ ଏହା ସଫଳ ହୋଇପାରିଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର । ଅଧିବେଶନ ଶେଷ ହେବା ପରେ ଗଣମାଧ୍ୟମକୁ ସେ କହିଥିଲେ ଯେ, ୧୭ ଜୁଲାଇରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ୧୧ ଅଗଷ୍ଟ ୨୦୧୭ରେ ଶେଷ ହୋଇଛି । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ୨୬ ଦିନରେ ମୋଟ ୧୯ଟି ଅଧିବେଶନ ହୋଇଥିଲା । ଲୋକସଭାରେ ୭୭.୯୪% କାର୍ଯ୍ୟ  ହୋଇପାରିଥିବା ବେଳେ ରାଜ୍ୟସଭାରେ ୭୯.୯୫% କାର୍ଯ୍ୟ ହୋଇଛି । ଅଧିବେଶନ କାଳରେ ଲୋକସଭାରେ ୧୪ଟି ଏବଂ ରାଜ୍ୟସଭାରେ ୯ଟି ବିଲ୍ ପାରିତ ହୋଇଛି । ଉଭୟ ଗୃହରେ ମୋଟ ୧୩ଟି ବିଲ୍ ପାରିତ ହୋଇପାରିଛି । ଅଧିବେଶନ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭାରତ ଛାଡ଼ ଆନ୍ଦୋଳନର ୭୫ ତମ ବାର୍ଷିକୀ ଅବସରରେ ୯ ଅଗଷ୍ଟ ୨୦୧୭ରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ସମସ୍ତ ଦଳର ସହମତି କ୍ରମେ ପ୍ରଥମ ଥର ପାଇଁ ୨୦୨୨ ସୁଦ୍ଧା ନୂଆ ଭାରତ ଗଠନ ସକାଶେ ‘ସଂକଳ୍ପ ସେ ସିଦ୍ଧି’ ଶପଥ ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଜମ୍ମୁ-କାଶ୍ମୀର ବିଧାନସଭାରେ ଜିଏସଟି ବିଲ୍ ପାରିତ ହେବା ମଧ୍ୟ ଏକ ଉପଲବ୍ଧି । ଅଧିବେଶନ କାଳରେ ୨୦୧୭-୧୮ର ଅତିରିକ୍ତ ଖର୍ଚ୍ଚ ଦାବି (ରେଳବାଇ ସମେତ) ଲୋକସଭାରେ ଗୃହୀତ ହେବା ପରେ ରାଜ୍ୟସଭାକୁ ୨ ଅଗଷ୍ଟ ୨୦୧୭ରେ ପଠାଯାଇଥିଲା । ରାଜ୍ୟସଭାରେ ଏହା ଗୃହୀତ ହୋଇ ନଥିଲେ ବି ଗ୍ରହଣ ହେବାର ୧୪ ଦିନ ମଧ୍ୟରେ ଲୋକସଭାକୁ ଫେରସ୍ତ ହୋଇ ନଥିବାରୁ ଏହା ସ୍ୱୟଂ ଭାବେ ପାରିତ ହୋଇଯିବ । ଅଧିବେଶନ ପୂର୍ବରୁ ଜାରି ହୋଇଥିବା ଚାରୋଟି ଅଧ୍ୟାଦେଶକୁ ପ୍ରତ୍ୟାହାର ସକାଶେ ୪ଟି ବିଲ୍ ମଧ୍ୟ ପାରିତ ହୋଇଥିବା ଶ୍ରୀ ଅନନ୍ତ କୁମାର କହିଥିଲେ । ଏହି ଅବସରରେ  ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଏସ୍ ଏସ୍ ଆଲୁୱାଲିଆ, ସଂଖ୍ୟାଲଘୁ ବ୍ୟାପାର(ସ୍ୱାଧୀନ) ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁକ୍ତାର ଅବାସ ନକଭୀ ଉପସ୍ଥିତ ଥିଲେ । 

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି