ଭାରତ ଉପରେ ହୋଇପାରେ ଅଧିକ ଆତଙ୍କବାଦୀ ଆକ୍ରମଣ

ଆମେରିକା ଗୁଇନ୍ଦା ବିଭାଗର ସତର୍କ ସୂଚନା

Copy Editor RRM | Published On: Feb 15, 2018 01:03 AM IST |   263

ୱାଶିଂଟନ: ଆଗାମୀ ଦିନରେ ଭାରତ ଉପରେ ପାକିସ୍ତାନ ସମର୍ଥôତ ଆତଙ୍କବାଦୀମାନେ ଅଧିକ ଆକ୍ରମଣ ଘଟାଇବେ ବୋଲି ଆମେରିକାର ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ଆତଙ୍କବାଦୀମାନେ ଭାରତ ସହିତ ଆଫଗାନିସ୍ତାନ ଓ ଆମେରିକାର ସ୍ୱାର୍ଥରେ କ୍ଷତି ପହଞ୍ଚାଇବା ଭଳି ଆକ୍ରମଣ କରିବେ। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦେଶାଳୟର ମୁଖ୍ୟ ଡାନ କୋଟ୍ସ କହିଛନ୍ତି ଯେ ଆତଙ୍କବାଦୀମାନେ ପାକିସ୍ତାନ ସମର୍ଥନର ଫାଇଦା ହାସଲ ପୂର୍ବକ ଭାରତ ଉପରେ ଅଧିକରୁ ଅଧିକ ଆକ୍ରମଣ ଘଟାଇବେ। ଆମେରିକା ସିନେଟର ଗୁଇନ୍ଦା କମିଟି ଆଗରେ ନିଜର ବକ୍ତବ୍ୟ ରଖି କୋଟ୍ସ କହିଛନ୍ତି ଯେ ପାକିସ୍ତାନ ତାର ଆମେରିକା ବିରୋଧୀ ଆଭିମୁଖ୍ୟକୁ ବଳବତ୍ତର ରଖିଛି। ଏଥିପାଇଁ ପାକିସ୍ତାନ ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧାସ୍ତ୍ର ତିଆରି କରିବ, ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ବୃଦ୍ଧି, ଆତଙ୍କବାଦ ନିରୋଧ ଅଭିଯାନ ହ୍ରାସ କରିବା ଏବଂ ଚୀନ ସହିତ ସମ୍ପର୍କ ବୃଦ୍ଧି କରିବାରେ ଲାଗିଛି ବୋଲି ସେ କହିଛନ୍ତି। ୱାର୍ଲ୍ଟୱାଇଡ ଥ୍ରେଟ ଆସେସମେଣ୍ଟ ନାମରେ ହୋଇଥିବା ସିନେଟ୍‌ ଆଲୋଚନାରେ କୋଟ୍ସ କହିଛନ୍ତି ପାକିସ୍ତାନରେ ଦେଖାଯାଇଥିବା କେତେକ ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଭାରତ ସହିତ ସମ୍ପର୍କ ଜଟିଳ ହୋଇଛି। ବିଶେଷକରି ପାକିସ୍ତାନର ଅର୍ଥନୈତିକ ଓ ଆଭ୍ୟନ୍ତରୀଣ ସୁରକ୍ଷା ଏବେ ବିପନ୍ନ ହୋଇପଡିଛି। ଆମେରିକା ସାମରିକ ସହାୟତା ବନ୍ଦ କରିବା ପରେ ପାକିସ୍ତାନରେ ଚାଲୁଥିବା ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଇବା କଷ୍ଟକର ହୋଇପଡିଛି। କୋଟ୍ସ କହିଛନ୍ତି ଆଗାମୀ ଦିନରେ ଭାରତ-ପାକିସ୍ତାନ ସମ୍ପର୍କରେ ଉତ୍ତେଜନା ଲାଗି ରହିବ। ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହିତ ଆତଙ୍କବାଦୀ ଆକ୍ରମଣ ଜାରି ରହିବ।
ଏହା ପୂର୍ବରୁ କୋଟ୍ସ କହିଥିଲେ ଯେ ପାକିସ୍ତାନ ଏବେ ନୂଆ ପ୍ରକାର ଅଣୁଅସ୍ତ୍ର ତିଆରି କରୁଛି। ଏହା ଦକ୍ଷିଣ ଏସିଆ ପାଇଁ ଅଧିକ ବିପଦ ସୃଷ୍ଟି କରିବ। ନୂଆ ପ୍ରକାର ଅଣୁଅସ୍ତ୍ର କମ୍‌ ଦୂରତାକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିବ। ପାକିସ୍ତାନର ଜୈସ-ଇ-ମହମ୍ମଦ ଆତଙ୍କବାଦୀମାନେ ସୁଞ୍ଜୱାନାସ୍ଥିତ ଭାରତର ସେନା ଶିବିର ଉପରେ ଆକ୍ରମଣ କରିବା ପରେ ଆମେରିକା ଗୁଇନ୍ଦା ମୁଖ୍ୟଙ୍କ ପକ୍ଷରୁ ଏପରି ମନ୍ତବ୍ୟ ପ୍ରକାଶ ପାଇଛି। 

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅରିଜ୍‌ ଖାଁ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବୁଧବାର ଇଣ୍ଡିଆନ ମୁଜାଉଦ୍ଦିନ ସଂଗଠନର ଦୁର୍ଦାନ୍ତ ଆତଙ୍କବାଦୀ ଅରିଜ୍‌ ଖାଁ ଓରଫ ଜୁନେଦକୁ ଗିରଫ କରିଛି। ଅରିଜ୍‌ ଉତ୍ତର ପ୍ରଦେଶର ଆଜମଗଡ ନିବାସୀ। ଦିଲ୍ଲୀ, ଅହମଦାବାଦ ଓ ଜୟପୁର ସହରରେ ଘଟିଥିବା ପାଞ୍ଚଟି ବିସ୍ଫୋରଣ ଘଟଣାରେ ପୁଲିସ ଜୁନେଦକୁ ଖୋଜୁଥିଲା। ତାକୁ ଧରାଇଦେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ୧୦ ଲକ୍ଷ ଓ ଦିଲ୍ଲୀ ପୁଲିସ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ୨୦୦୮ରେ ଦିଲ୍ଲୀର ବାଟାଲା ହାଉସ ବିସ୍ଫୋରଣ ସମୟରେ ଅରିଜ୍‌ ପୁଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ ଆଜକୁ ଦଶ ବର୍ଷ ଧରି ଅରିଜ୍‌କୁ ଧରିବାକୁ ଜାଲ ବିଛାଇଥିଲା।
ନେପାଳରେ ଆତ୍ମଗୋପନ କରିଥିବା ଅରିଜ୍‌ ନିଜର ଏକ ସହଯୋଗୀକୁ ଭେଟିବାକୁ ନେପାଳ ସୀମାନ୍ତବର୍ତ୍ତୀ ବନବାସ ସହରକୁ ଆସୁଛି ବୋଲି ନିର୍ଦିଷ୍ଟ ସୂଚନା ପାଇବାପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମଙ୍ଗଳବାର ସେଠାରେ ପହଞ୍ଚିଥିଲା। ଅରିଜ୍‌ ବସ୍‌ରୁ ଓହ୍ଲାଇବା ମାତ୍ରେ ପୁଲିସ ତାକୁ କାବୁ କରିନେଇଥିଲା। ଏହା ଦିଲ୍ଲୀ ପୁଲିସ ପାଇଁ ବଡ ସଫଳତା ବୋଲି ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଡିସିପି ପ୍ରମୋଦ କୁଶୱାହା କହିଛନ୍ତି। ପୂର୍ବରୁ ଗିରଫ ହୋଇଥିବା ଇଣ୍ଡିଆନ ମୁଜାଉଦ୍ଦିନ ଆତଙ୍କବାଦୀ ଅବଦୁଲ ସୁଭାନ କୁରେସିର ସୂଚନାକୁ ଆଧାର କରି ପୁଲିସ ଅରିଜ୍‌କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଇଣ୍ଡିଆନ ମୁଜାଉଦ୍ଦିନ ଓ ସିମି ଭଳି ବେଆଇନ ଘୋଷିତ ସଂଗଠନର କେତେକ ଫେରାର ଆତଙ୍କବାଦୀ ନେପାଳରୁ ସେମାନଙ୍କର କାର୍ୟ୍ୟକଳାପ ଜାରି ରଖିଥିବା ପୁଲିସ ଜାଣିପାରିଥିଲା। ସେମାନେ ଅନେକ ସମୟରେ ଭାରତ ଆସି ବେକାର ଯୁବକଙ୍କୁ ସେମାନଙ୍କ ସଂଗଠନରେ ନିଯୁକ୍ତ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିଥିଲା। ବିଗତ କିଛି ବର୍ଷ ଧରି ଭାରତ ମାଟିରେ ଇଣ୍ଡିଆନ ମୁଜାଉଦ୍ଦିନ ସଂଗଠନ ଦୁର୍ବଳ ହୋଇପଡିଥିବାରୁ ଅରିଜ୍‌ ପୁଣି ଥରେ ଏହାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟ ନେଇ ଉଦ୍ୟମ ଆରମ୍ଭ କରୁଥିଲା। ଦିଲ୍ଲୀ, ଅହମଦାବାଦ, ଜୟପୁର ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଆନ ମୁଜାଉଦ୍ଦିନ ଦ୍ୱାରା ସଂଗଠିତ ବିସ୍ଫୋରଣରେ ୧୬୫ ଜଣ ପ୍ରାଣ ହରାଇଥିବାବେଳେ ୫୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ