ମଣିପୁରକୁ ହରାଇ ତାମିଲନାଡ଼ୁ ଚମ୍ପିଆନ୍‌

ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଚମ୍ପିଆନ୍‌ସିପ

Copy Editor AH | Published On: Feb 15, 2018 12:35 AM IST |   97

କଟକ :  କଟକରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଚମ୍ପିଆନ୍‌ସିପ୍‌ରେ ତାମିଲନାଡ଼ୁ ଚମ୍ପିଆନ୍‌ ଆଖ୍ୟା ଅର୍ଜନ କରିଛି। କଟକରେ ପ୍ରଥମଥର ଆୟୋଜିତ ଏହି ଚମ୍ପିଆନ୍‌ସିପ୍‌ର ଫାଇନାଲରେ ବୁଧବାର ଗତବର୍ଷର ଚମ୍ପିଆନ୍‌ ତଥା ଏକାଧିକ ଥର ଏହି ଟାଇଟଲ ଜିତିଥିବା ମଣିପୁରକୁ ୨-୧ ଗୋଲ୍‌ରେ ପରାସ୍ତକରି ତାମିଲନାଡ଼ୁ ପ୍ରଥମଥର ଜାତୀୟ ଚମ୍ପିଆନ୍‌ ହୋଇପାରିଛି। ପ୍ରଥମାର୍ଦ୍ଧରେ ତାମିଲନାଡ଼ୁ ୨-୦ ଗୋଲ୍‌ରେ ଆଗୁଆ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ମଣିପୁର ଗୋଟିଏ ଗୋଲ୍‌ ସୁଝାଇ ପାରିଥିଲେ ହେଁ ତାମିଲନାଡ଼ୁର ଡିଫେଣ୍ଡର ଶେଷ ହ୍ୱିସଲ୍‌ ପର୍ଯ୍ୟନ୍ତ ଦୁର୍ଗ ରକ୍ଷା କରି ପାରିଥିଲେ।

ଫୁଟ୍‌ବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଅପରାହ୍‌ଣରେ ଖେଳା ଯାଇଥିବା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ତାମିଲନାଡ଼ୁ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍‌ବଲ ଖେଳି ମଣିପୁରକୁ ଚକିତ କରି ଦେଇଥିଲା। ଫଳତଃ ତାମିଲନାଡ଼ୁ ପ୍ରାରମ୍ଭିକ ସଫଳତା ମିଳିଥିଲା। ୨ୟ ମିନିଟରେ ତାମିଲନାଡ଼ୁ ଷ୍ଟ୍ରାଇକର କେ. ଇନ୍ଦୁମତି ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। ମଣିପୁର ଗୋଲ୍‌ ସୁଝାଇବା ପାଇଁ ପ୍ରବଳ ଉଦ୍ୟମ କରିଥିବା ବେଳେ ଏକ ପ୍ରତ୍ୟାକ୍ରମଣରୁ ତାମିଲନାଡ଼ୁ ୪୦ ମିନିଟରେ ୨ୟ ଗୋଲ୍‌ ଦେଇଥିଲା। ଇନ୍ଦ୍ରାଣୀ ତାମିଲନାଡ଼ୁ ପାଇଁ ଏହି ଗୋଲ୍‌ଟି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ମଣିପୁର ସଂଗଠିତ ହୋଇ ଆକ୍ରମଣ କରି ତାମିଲନାଡ଼ୁ ଉପରେ ଚାପ ସୃଷ୍ଟି କରିଥିଲା। ୫୭ ମିନିଟରେ ମଣିପୁରର ରତ୍ନମାଳା ଦେବୀ ଗୋଟିଏ ଗୋଲ୍‌ ସୁଝାଇ ଦେଇଥିଲେ। ଏହି ଗୋଲ୍‌ ମଣିପୁରକୁ ଅଧିକ ଉତ୍ସାହିତ କରିଥିଲା ଏବଂ ୨ୟ ଗୋଲ୍‌ଦେବା ପାଇଁ ଏହା ପ୍ରବଳ ପ୍ରୟାସ କରିଥିଲା। ହେଲେ ତାମିଲନାଡ଼ୁର ରକ୍ଷାପନ୍ଥୀ ଆଉ ଗୋଲ୍‌ ହେବାକୁ ଦେଇନଥିଲେ। ତାମିଲନାଡ଼ୁର କେ. ଇନ୍ଦୁମତି ପ୍ଲେୟର ଅଫ୍‌ ଦି ଫାଇନାଲ ହୋଇଥିଲେ।
ପୁରସ୍କାର ବିତରଣ ଉତ୍ସବରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ବରିଷ୍ଠ ଉପସଭାପତି ସୁବ୍ରତ ଦତ୍ତ ମୁଖ୍ୟଅତିଥି ଥିଲେ। ଓଡ଼ିଶା ଆମେଚର ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଥିଲେ ଏସୀୟ ଫୁଟ୍‌ବଲ ପରିଷଦ (ଏଏଫ୍‌ସି)ର ବୈଷୟିକ ଅଧିକାରୀ ଆଞ୍ଜା ପାଲୁସେଭିଚ୍‌, ଏଆଇଏଫ୍‌ଏଫ୍‌ ମହିଳା ଫୁଟ୍‌ବଲର ସହକାରୀ ମାନେଜର ସପ୍‌ନା ଓ ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। ଫାଓର ଉପସଭାପତି ବିଜୟ ଦାସ, ଭକ୍ତବଲ୍ଲଭ ଦାସ, ତଡ଼ିତ କୁମାର ରାଉତ, ଦିଲୀପ କୁମାର ସାହୁ, ଫାଓ ଯୁଗ୍ମସମ୍ପାଦକ ଅଭିଜିତ ପାଲ, ବିଜୟ କୁମାର ଦାସ, ସଂଗୀତା ଶର୍ମା, ଓଡ଼ିଶା ବାସ୍କେଟ୍‌ବଲ ଆସୋସିଏସନ୍‌ର ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‌ର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ଦୁର୍ଗାମାଧବ ନାୟକ, ଫାଓ ସଦସ୍ୟ ସତ୍ୟ ମହାନ୍ତି, କଟକ ଜିଲା କ୍ରୀଡ଼ା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ