ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୦ ମିନିଟ୍‌ କାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା

Published On: Feb 14, 2018 08:17 PM IST | Updated On: Feb 14, 2018 11:43 PM IST |   552

ଫାଇଲ ଫଟୋ

ନୂଆଦିଲ୍ଲୀ : ଚାରି ଦିନିଆ ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ତେବେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ବାହାରିବା ପରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ତେବେ ନବୀନ ଦୀର୍ଘ ୨୦ ମିନିଟ୍‌ କାଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିବାବେଳେ କେଉଁ କେଉଁ ପ୍ରସଙ୍ଗରେ ସେ କଥାବାର୍ତ୍ତା ହୋଇଥିଲା ବୋଲି ସାମ୍ବାଦିକଙ୍କ ପ୍ର୍ରଶ୍ନ ଉପରେ ନବୀନ କିଛି କହିନାହାନ୍ତି। କେବଳ ବିଜୁ ବାବୁଙ୍କ ଉପରେ ଲିଖିତ ପୁସ୍ତକ ‘ଟଲ୍‌ମ୍ୟାନ୍‌’ର ଏକ ନକଲ ସେ ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ଆସି ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ବୋଲି କହିଛନ୍ତି। ମାତ୍ର ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନଥାଇ ନବୀନଙ୍କ ଏଭଳି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି।


ସନ୍ଧ୍ୟା ୬.୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନକୁ ଯାଇଥିଲେ। ଏହାର ଘଣ୍ଟାଏ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସେ ବାହାରିଥିଲେ। ମୋଦି-ନବୀନ ସାକ୍ଷାତକୁ ନେଇ ପୁଣିଥରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ବିଜେଡି ବିରୋଧରେ ବିରୋଧୀ ବିଜେପି ବିଷୋଦ୍‌ଗାର କରିବା ସହ ଦୀର୍ଘ ୧୮ ବର୍ଷର ଶାସନରେ ରାଜ୍ୟ ବିକାଶ କ୍ଷେତ୍ରରେ ବିଫଳ ଥିବା ଶାଣିତ ଅଭିଯୋଗ କରିଆସୁଛି। ଏପରିକି ଦୁଇ ଦଳ ମଧ୍ୟରେ ଦୈନିକ ନୂଆ ନୂଆ ଆପତ୍ତି ଅଭିଯୋଗ ଓ ପରସ୍ପର କାଦୁଅଫିଙ୍ଗା ରାଜନୀତି ଚାଲିଛି। ଏବେ ପୁଣି ବିଜେପୁର ଉପନିର୍ବାଚନ ମଇଦାନରେ ବିଜେଡି-ବିଜେପି ଯେଭଳି ମୁହାଁମୁହିଁ ସ୍ଥିତିରେ ଅଛନ୍ତି ସେ ସମୟରେ ନବୀନ-ମୋଦିଙ୍କ ଆଲୋଚନାକୁ ରାଜନୈତିକ ମହଲରେ ଅଧିକ ଗୁରୁତ୍ୱ ଦିଆଯାଉଛି।


ତେବେ ନବୀନ ଯେଉଁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ସେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ବିଶ୍ୱ ହକି କପ୍‌ ଲାଗି ଏଠାରେ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ବିଶ୍ୱ ହକି କପ୍‌ ପ୍ରସ୍ତୁତି ନେଇ ବୈଠକରେ ନବୀନ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।


ଅନ୍ୟପକ୍ଷରେ ନବୀନ ହୁଏତ ମହାନଦୀ, ପୋଲାଭରମ, ରାଜ୍ୟକୁ ଅଧିକ ସଂଖ୍ୟାରେ ଆଇପିଏସ ଅଧିକାରୀ ଦେବା ନେଇ ମୋଦିଙ୍କ ସହ କଥାବାର୍ତ୍ତା କରିପାରନ୍ତି। କାରଣ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିକଟରେ ଟ୍ରାଇବୁନାଲ ଗଠନ ଲାଗି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଦୁଇ ଦୁଇଥର ଚିଠି ଲେଖିବା ପରେ ଏଥର ହୁଏତ ଖୁବ୍‌ଶୀଘ୍ର ଟ୍ରାଇବୁନାଲ ଗଠନ କରିବା ଲାଗି ମଧ୍ୟ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥାଇପାରନ୍ତି। ଏପରିକି ପୋଲାଭରମ୍‌ ପ୍ରସଙ୍ଗରେ ଓଡ଼ିଶାର ସମସ୍ୟାକୁ ନବୀନ ଏହି ସାକ୍ଷାତକାଳରେ ଉଠାଇଥାଇପାରନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓଦମନକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ରୀୟ ସୁରକ୍ଷା ବଳ ଓ ସହାୟତା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିପାରନ୍ତି। କିନ୍ତୁ ଏସବୁ ଭିତରେ ବଡ଼ କଥା ହେଉଛି ରାଜନୈତିକ ସମୀକରଣ। ନିର୍ବାଚନକୁ ଆଉ ଏକବର୍ଷ ସମୟ ବାକି ରହିଛି। ପ୍ରଧାନମନ୍ତ୍ରୀ ଏକ ସଙ୍ଗେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଚାହୁଁଛନ୍ତି। ଏହି ପ୍ରସଙ୍ଗରେ ଆବଶ୍ୟକ ସଂସଦର ସହଯୋଗ ଲାଗି ପ୍ରଧାନମନ୍ତ୍ରୀ ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କହିଥାଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହାବ୍ୟତୀତ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପଡିରହିଥିବାବେଳେ ଏନେଇ ବିଜେଡିର ସହଯୋଗ ମଧ୍ୟ ଲୋଡ଼ାଯାଇଥାଇପାରେ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ରାଜ୍ୟର ଆଇନ ଶୃଙ୍ଖଳା ଓ ଅନ୍ୟ କେତେକ କେନ୍ଦ୍ରୀୟ ପ୍ରକଳ୍ପ ଉପରେ ହୁଏତ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥାଇପାରେ। ମାତ୍ର ନବୀନ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ବାହାରିବା ପରେ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ନଦେଇ କେବଳ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ଓ ସେ ଟଲ୍‌ମ୍ୟାନ୍‌ ପୁସ୍ତକ ଦେବାକୁ ଆସିଥିଲେ ବୋଲି କହିବା କଥାକୁ ରାଜନୈତିକ ମହଲରେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସାକ୍ଷାତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ