ପାଣ୍ଡିଆନଙ୍କ ଚାରିପଟେ ଘୂରୁଛି ଓଡ଼ିଶା ରାଜନୀତି

.

Copy Editor RRM | Published On: Feb 14, 2018 01:20 AM IST |   395

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‌ ଭି. କାର୍ତ୍ତିକେୟନ.ପାଣ୍ଡିଆନଙ୍କ ଚାରିପଟେ ଘୂରିବୁଲୁଛି ଓଡ଼ିଶା ରାଜନୀତି। ବିଜେପୁର ଉପନିର୍ବାଚନ, କୁନ୍ଦୁଲି ଗଣବଳାତ୍କାର ଭଳି ପ୍ରସଙ୍ଗକୁ ଛାଡ଼ି ନିଜର ଫାଇଦା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସମ୍ପୃକ୍ତ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ମାତିଛନ୍ତି। ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ ବିଜେପି କର୍ମୀଙ୍କ ଆକ୍ରମଣକୁ ବିରୋଧ କରି ଆଇଏଏସ୍‌, ଆଇପିଏସ୍‌ ଏବଂ ଓଏଏସ୍‌ ଅଫିସର୍ସ ଆସୋସିଏଶନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରାଯାଇଛି। ଏହି ମାମଲାରେ ଏଯାବତ୍‌ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି। ଆଇଏଏସ୍‌, ଆଇପିଏସ୍‌ ଏବଂ ଓଏଏସ୍‌ ଅଫିସର୍ସ ଆସୋସିଏସନ ଓ ରାଜ୍ୟ କର୍ମଚାରୀଙ୍କ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନ୍ରୁାନ ଦାବି କରିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ଼ ଚଳାଇଛି। ଖଣ୍ଡିଗିରି ଅଞ୍ଚଳର ବଳିଆ ନାମକ ଜଣେ ବିଜେପି କର୍ମୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲା।
ଗତ ୧୦ ତାରିଖରେ କେତେଜଣ ବିଜେପି ଦଳୀୟ ପତାକା ଧରି ପାଣ୍ଡିଆନରେ ବିରୁଦ୍ଧରେ ନାରାବାଜି ଦେବା ସହ ତାଙ୍କ ବାସଭବନକୁ ଧସେଇ ପଶିଥିଲେ। ସିକ୍ୟୁରିଟି ଗାର୍ଡ ସହ ହାତାହାତି ହେବା ସହ ଝରକା କାଚ ଭାଙ୍ଗିବା ସହ ଫୁଲ କୁଣ୍ଡ ଆଦି ଭାଙ୍ଗିଥିଲେ। ଘର ସମ୍ମୁଖରେ ଥିବା ଗାଡ଼ି ଭଙ୍ଗାରୁଜା କରିଥିଲେ। ଏଥିସହ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ ମଧ୍ୟ କରିଥିଲେ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଆଇଏଏସ୍‌ ଅଧିକାରୀଙ୍କ ଘର ଉପରକୁ କେହି ଗୋବର ଫିଙ୍ଗିଲା ବୋଲି ବିଜେଡି ହୋହଲ୍ଲା ଚଳାଇଛି। ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ, ଜଣେ ମହିଳା ଅଧିକାରୀ, ଅନ୍ୟ ଦୁଇ ଅଧିକାରୀ ଓ ଜଣେ ମନ୍ତ୍ରୀଙ୍କ ଘରେ କେତେକ ଗୁଣ୍ଡା ପଶି ଭଙ୍ଗାରୁଜା ଓ ଆକ୍ରମଣ କରିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କାହିଁକି ଚୁପ୍‌ ଥିଲେ। ଭଙ୍ଗାରୁଜା କରିଥିବା ଗୁଣ୍ଡା ବିଜେଡିର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁସାରେ, ଯଦି ବିଜେପି କର୍ମୀ ଏପରି କରିଥିବେ, ସେମାନେ ଆଇନ ଅନୁଯାୟୀ ଦଣ୍ଡ ପାଇବେ। ୨୦୧୭ ସେପ୍ଟେମ୍ବର ୧୭ରେ ନବରଙ୍ଗପୁର ଜିଲାପାଳ ରଶ୍ମିତା ପଣ୍ଡାଙ୍କ ବାସଭବନରେ ପଶି ଅଳିଆ ଆବର୍ଜନା ପକାଯାଇଥିଲା। ଭୁବନେଶ୍ୱରରେ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ ସିଂହଙ୍କ ବାସଭବନ ଓ ବରିଷ୍ଠ ନେତା ଦାମୋଦର ରାଉତଙ୍କ ବାସଭବନରେ ମଧ୍ୟ ଭଙ୍ଗାରୁଜା ହୋଇଛି। ଗୃହ ବିଭାଗ ତାଙ୍କ ଅଧୀନରେ ଥାଇ ସୁଦ୍ଧା ଏହି ୩ ଘଟଣା ଉପରେ ମୁଖ୍ୟମନ୍ତ୍ରୀ କିଛି କହି ନ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ପୁଣି କହିଲେ ଯେ, ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଉପରେ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ। ଗାଡ଼ି ଭଙ୍ଗାରୁଜା କରିଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ୮ ବିଜେପି କର୍ମକର୍ତ୍ତାଙ୍କ ହତ୍ୟା କରାଯାଇଥିଲା, ମାତ୍ର ସେହି ସମୟରେ ମୁଖ୍ୟମନ୍ତ୍ରୀ ଚୁପ୍‌ ଥିଲେ। ସେହିପରି ବିଜେଡି ନେତା ଦାମୋଦର ରାଉତ କୁହନ୍ତି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ସଚିବ ପାଣ୍ଡିୟାନଙ୍କ ବିରୁଦ୍ଧରେ କାହିଁକି ପଦକ୍ଷେପ ନେଉନାହାନ୍ତି। ବିଧାନସଭାରେ ବିରୋଧୀ ନେତା ନରସିଂହ ମିଶ୍ର କହିଥିଲେ ଯେ, ବିଜେପି ଫାଶୀବାଦୀ ରାଜନୀତି କରୁଛି। ଅଧିକାରୀଙ୍କ ବଦଳରେ ବିଜେପି ବିଜେଡିକୁ ଟାର୍ଗେଟ କରିବା ଉଚିତ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ