ଇତିହାସ ରଚିଲା ଭାରତ

ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ଦିନିକିଆ ସିରିଜ ଜିତିଲା

Copy Editor RRM | Published On: Feb 14, 2018 01:00 AM IST |   1815

ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ଦିନିକିଆ ସିରିଜ୍‌ ଜିତିଛି ଭାରତୀୟ କ୍ରିକେଟ ଦଳ। ମଙ୍ଗଳବାର ୫ମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ବଳରେ ୭୩ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତକରି ଭାରତ ୪-୧ରେ ଅଗୁଆ ହୋଇ ସିରିଜ କବ୍‌ଜା କରିପାରିଛି। ଏହାସହ ବିଶ୍ୱର ୧ନଂ ଦଳ ଭାବେ ଭାରତ ତା’ର ସ୍ଥିତି ମଜ୍‌ଭୁତ କରିଛି। ପ୍ରଥମ ୪ଟି ମ୍ୟାଚ୍‌ରେ ମୋଟ ୪୦ ରନ୍‌ କରିଥିବା ରୋହିତ ଶର୍ମା ୫ମ ମ୍ୟାଚ୍‌ରେ ଶତକ ମାରିଥିଲେ ହେଁ ତଳଅର୍ଡର ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ଯୋଗୁଁ ଭାରତ ୭ ୱିକେଟରେ ୨୭୪ ରନ୍‌ କରିଥିଲା। କ୍ରମାଗତ ୨ୟ ମ୍ୟାଚ୍‌ରେ ଶେଷ ୧୦ ଓଭରରେ ଭାରତୀୟ ବ୍ୟାଟିଂ ବିଫଳ ହେବାରୁ ଏକଦା ୩ ଶହରୁ ଅଧିକ ରନ୍‌ କରିବାକୁ ଯାଉଥିବା ଭାରତ ୨୭୪ ରନ୍‌ରେ ଅଟକି ଯାଇଥିଲା। ତେବେ ଭାରତୀୟ ବୋଲର ଚମତ୍କାର ବୋଲିଂକରି ନିୟମିତ ୱିକେଟ ନେବାରୁ ଦକ୍ଷିଣ ଆଫ୍ରିକା ୪୨.୨ ଓଭରରେ ୨୦୧ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଭାରତ ୪ ଥର ଦିନିକିଆ ସିରିଜ୍‌ ଖେଳି ପରାସ୍ତ ହୋଇଥିବା ବେଳେ ୫ମ ପ୍ରୟାସରେ ଐତିହାସିକ ବିଜୟ ହାସଲ କରିଛି। ଶୁକ୍ରବାର ୬ଷ୍ଠ ତଥା ଅନ୍ତିମ ଦିନିକିଆ ଖେଳାଯିବ। ଏହି ବିଜୟ ସହ ଭାରତ ଘରୋଇ ଦଳଠାରୁ ଟେଷ୍ଟ ସିରିଜ୍‌ ପରାଜୟର ପ୍ରତିଶୋଧ ନେଇପାରିଛି।
୨୭୫ ରନ୍‌ର ବିଜୟଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ଲାଗି ସହଜ ମନେ ହେଉଥିଲେ ଭାରତୀୟ ପେସ୍‌ ବୋଲର ପ୍ରାରମ୍ଭିକ ସଫଳତା ହାସଲକରି ଦକ୍ଷିଣ ଆଫ୍ରିକାକୁ ଚାପରେ ପକାଇ ପାରିଛନ୍ତି। ଦକ୍ଷିଣ ଆଫ୍ରିକାର ଓପ୍‌ନିଂ ଯୋଡ଼ି ଭାରତୀୟ ନୂଆବଲ୍‌ ବୋଲରଙ୍କ ଚମତ୍କାର ମୁକାବିଲା କରିଥିଲେ। ହାସିମ୍‌ ଆମ୍‌ଲା ଓ ଅଧିନାୟକ ଐଡେନ୍‌ ମାର୍କରାମ୍‌ ଓପ୍‌ନିଂ ଯୋଡ଼ିରେ ୧୦ମ ଓଭରରେ ସ୍କୋର୍‌କୁ ୫୨ ରନ୍‌ରେ ପହଞ୍ଚାଇବା ପରେ ମାର୍କରାମ ଆଉଟ ହୋଇ ଯାଇଥିଲେ। ଭୁବନେଶ୍ୱର କୁମାର ପ୍ରଥମ ୫ ଓଭରରେ ୩୫ ରନ୍‌ ଦେଇଥିଲେ ହେଁ ଯଶପ୍ରୀତ୍‌ ବୁମ୍‌ରା ଭଲ ବୋଲିଂକରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ମାର୍କରାମ୍‌ ୩୨ ବଲ୍‌ରୁ ଗୋଟିଏ ଛକା ୪ଟି ଚୌକା ସହ ୩୨ ରନ୍‌ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଲାଗଲାଗ ୨ ଓଭରରେ ଘରୋଇ ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଜେପି ଡ୍ୟୁମିନି ଓ ଏବି ଡି’ଭିଲିଅର୍ସଙ୍କୁ ଭାରତକୁ ବିଜୟପଥରେ ନେଇଥିଲେ। ଡ୍ୟୁମିନି ମାତ୍ର ୧ ରନ୍‌କରି ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିବା ବେଳେ ଡି’ଭିଲିଅର୍ସ ୬ ରନ୍‌କରି ୱିକେଟ ପଛରେ କ୍ୟାଚ୍‌ ଦେଇଥିଲେ। ୬୫ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ହାସିମ୍‌ ଆମ୍‌ଲା ଓ ଡେଭିଡ୍‌ ମିଲର ଲଢ଼େଇକରି ୪ର୍ଥ ୱିକେଟ ପାଇଁ ୬୨ ରନ୍‌ ଯୋଡ଼ିଥିଲେ। ତେବେ ମିଲର ଗତ ମ୍ୟାଚ୍‌ ପରି ଏକ ଇନିଂସ ଖେଳିବାକୁ ଯାଉଥିବା ବେଳେ ଆଉଟ ହୋଇ ଯାଇଥିଲେ। ଚହଲଙ୍କୁ ଆଗକୁଆସି ମାରିବା ପ୍ରୟାସରେ ୫୧ ବଲ୍‌ରୁ ୩୬ ରନ୍‌କରି ମିଲର୍‌ ବୋଲ୍‌ଡ ହୋଇଥିଲେ। ଅଭିଜ୍ଞ ହାସିମ୍‌ ଆମ୍‌ଲା ୯୨ ବଲ୍‌ରୁ ୭୧ ରନ୍‌କରି ରନ୍‌ଆଉଟ ହେବା ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼ ଥିଲା। ଘରୋଇ ଦଳର ଶେଷ ଆଶା ହେନ୍‌ରିଚ୍‌ କ୍ଲାସେନ୍‌ କିଛି ବଡ଼ ସଟ୍‌ ଖେଳିଥିଲେ ହେଁ ଅନ୍ୟପଟୁ କୌଣସି ସହାୟତା ମିଳିନଥିଲା। କ୍ଲାସେନ୍‌ ୪୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‌ କରିଥିଲେ। କୁଲଦୀପ ୪ଟି ଏବଂ ହାର୍ଦିକ ପାଣ୍ଡ୍ୟା ଓ ୟୁଜୁବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଏହି ଧିମା ପିଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ମର୍ନେ ମର୍କେଲ କ୍ରମାଗତ ୨ଟି ମେଡନ୍‌ ଓଭର ପକାଇଥିଲେ। ପରେ ଶିଖର ଧାୱନଙ୍କ ବ୍ୟାଟ୍‌ ଚାଲିଥିଲା ଏବଂ ରୋହିତ ଶର୍ମା ମଧ୍ୟ ସେଟ୍‌ ହୋଇ ଯାଇଥିଲେ। କାଗିସୋ ରାବାଡ଼ାଙ୍କୁ ପୁଲ୍‌ମାରିବା ପ୍ରୟାସରେ ଧାୱନ ସ୍କୋୟାରଲେଗ୍‌ରେ କ୍ୟାଚ୍‌ ଦେଇଥିଲେ। ଗତ ମ୍ୟାଚ୍‌ରେ ଶତକ ମାରିଥିବା ବାମହାତି ଧାୱନ ୨୩ଟି ବଲ୍‌ରୁ ୮ଟି ଚୌକା ସହ ଦର୍ଶନୀୟ ୩୪ ରନ୍‌ କରିଥିଲେ। ପରେ ରୋହିତ ଓ ଅଧିନାୟକ ବିରାଟ କୋହଲି ୧୮ ଓଭର କ୍ରିଜ୍‌ରେ ରହି ଭାରତର ସ୍କୋର୍‌କୁ ଦେଢ଼ଶହ ରନ୍‌ ପାର କରାଇଥିଲେ। ତେବେ ୬ ଓଭର ବ୍ୟବଧାନରେ ୨ଟି ରନ୍‌ଆଉଟ ଭାରତ ପାଇଁ ଶକ୍ତ ଧକ୍କା ଥିଲା। ଚଳିତ ସିରିଜ୍‌ରେ ସର୍ବାଧିକ ରନ୍‌ କରିଥିବା କୋହଲି ୫୪ ବଲ୍‌ରୁ ୨ଟି ଚୌକା ସହ ୩୬ ରନ୍‌କରି ରନ୍‌ଆଉଟ ହେବା ପରେ ଅଜିଙ୍କ୍ୟ ରାହାଣେ ୮ ରନ୍‌କରି ରନ୍‌ଆଉଟ ହୋଇ ଯାଇଥିଲେ। ପରେ ମୁମ୍ବଇର ଦୁଇ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଓ ଶ୍ରେୟାସ ଆୟର ୪ର୍ଥ ୱିକେଟ ପାଇଁ ୬୦ ରନ୍‌ ଯୋଡ଼ି ସ୍ଥିତି ସୁଧାରିଥିଲେ। ତେବେ ୪୩ତମ ଓଭରରେ ରୋହିତ ଶର୍ମା ଆଉଟ ହୋଇଯିବାରୁ ଭାରତର ରନ୍‌ଗତି ଧିମା ହୋଇଥିଲା। ୧୭ତମ ଦିନିକିଆ ଶତକ ହାସଲ କରିଥିବା ରୋହିତ ୧୨୬ ବଲ୍‌ରୁ ୪ଟି ଛକା ଓ ୧୧ଟି ଚୌକା ସହ ୧୧୫ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ମାଟିରେ ଏହା ରୋହିତଙ୍କ ପ୍ରଥମ ୫୦ ରନ୍‌ରୁ ଅଧିକ ସ୍କୋର୍‌। ଆୟର ୩୭ ବଲ୍‌ରୁ ୨ଟି ଚୌକା ସହ ୩୦ ଓ ମହେନ୍ଦ୍ର ସିଂହ ଧୋନି ୧୭ ବଲ୍‌ରୁ ୧୩ ରନ୍‌ କରିଥିଲେ। ଭୁବନେଶ୍ୱର କୁମାର ୧୯ ରନ୍‌ରେ ଅପରାଜିତ ଥିଲେ। ଲୁଙ୍ଗି ଏନ୍‌ଗିଡ଼ି ୫୧ ରନ୍‌ଦେଇ ୪ଟି ୱିକେଟ ପାଇଥିଲେ। ୪ର୍ଥ ଦିନିକିଆରେ ଶେଷ ୧୦ ଓଭରରେ ଭାରତ ୫୯ ରନ୍‌ କରିଥିବା ବେଳେ ଏହି ମ୍ୟାଚ୍‌ରେ ୭ଟି ୱିକେଟ ବାକିଥିବା ସତ୍ତ୍ୱେ ଶେଷ ୧୦ ଓଭରରୁ ଭାରତ ୫୪ ରନ୍‌ ନେଇ ପାରିଥିଲା।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ