ଡାକ୍ତର, ନର୍ସଙ୍କ ଦେଖା ମିଳିଲାନି; ଡାକ୍ତରଖାନା ବାରଣ୍ଡାରେ ଛୁଆ ଜନ୍ମଦେଲେ ମହିଳା

.

Copy Editor RRM | Published On: Feb 14, 2018 12:07 AM IST |   129

ଜଗତସିଂହପୁର: ହେ କିଏ ଟିକେ ଆସ, ମୁଁ ମରିଗଲି, ମୋ ଛୁଆକୁ ବଞ୍ଚାଅ ଏମିତି ତୁହାକୁ ତୁହା ରଡି ଛାଡୁଥିଲେ ଜଣେ ମହିଳା। ପ୍ରସବ ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ବେଳେ ତାଙ୍କ ପାଖକୁ କେହି ବି ଆସିନଥିଲେ। ଶେଷରେ ଡାକ୍ତରଖାନା ଖୋଲା ବାରଣ୍ଡାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ। ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲା ବାଲିକୁଦା ଡାକ୍ତରଖାନାରେ।
ସୂଚନା ଅନୁସାରେ, ପୁରୀ ଜିଲା ମୁତୁଣିଆ ଗାଁର ନିରଂଜନ ସ୍ୱାଇଁଙ୍କ ପତ୍ନୀ ପୁଷ୍ପଲତା ଙ୍କର ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା। ସାଢେ ୭ମାସର ଗର୍ଭ ଥିବାରୁ ନିରଂଜନ ପତ୍ନୀଙ୍କୁ ବାଲିକୁଦା ଡାକ୍ତରଖାନାକୁ ଡାକ୍ତର ଦେଖାଇବା ପାଇଁ ଆଣିଥିଲେ। ହେଲେ ବାଟରେ ଆସିବା ବେଳକୁ ଯନ୍ତ୍ରଣା ଅଧିକ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଯନ୍ତ୍ରଣା ଚରମ ସୀମାରେ ପହଞ୍ଚିଥିଲା। ଡାକ୍ତରଖାନା ବାରଣ୍ଡାରେ ପତ୍ନୀଙ୍କୁ ବସାଇ ଡାକ୍ତରଖାନା ଭିତରକୁ ପ୍ରବେଶ କରିଥିଲେ। ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖୋଜିଥିଲେ। ହେଲେ ନା ଡାକ୍ତର ନା ନର୍ସ କାହାରି ବି ଦେଖା ନଥିଲା। ଜଣେ ମାତ୍ର ନର୍ସ ଅନ୍ୟଜଣେ ରୋଗୀକୁ ଦେଖୁଥିଲେ। ଏଣେ ପ୍ରସବ ଯନ୍ତ୍ରଣାରେ ଡାକ୍ତରଖାନା ବାରଣ୍ଡାରେ ପୁଷ୍ପଲତା ଛଟପଟ ହେଉଥିଲେ। କେତେବେଳେ ତଳେ ଶୋଇ ପଡୁଥିଲେ ତ କେତେବେଳେ ଉଠି ବସୁଥିଲେ। ବିକଳ ହୋଇ ଡାକ ଛାଡୁଥିଲେ। କିନ୍ତୁ ତାଙ୍କ ଡାକ ସତେ ଯେମିତି କାହାରିକୁ ଶୁଭିନଥିଲା। କିଛି ସମୟ ଯନ୍ତ୍ରଣା ପରେ ଖୋଲା ବାରଣ୍ଡାରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ସମୟ ପୂର୍ବରୁ ପ୍ରସବ କାରଣରୁ ଶିଶୁକୁ ଅଧିକ ଚିକିତ୍ସା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ରାତି ୧୧ଟା ସୁଦ୍ଧା ମା ଓ ଛୁଆ ସୁସ୍ଥ ଅଛନ୍ତି। ହେଲେ ଜଗତସିଂହପୁର ଭଳି ଶିକ୍ଷିତ ଜିଲାରେ ଏଭଳି ଘଟଣା ସରକାରୀ ଅବହେଳାର ନଗ୍ନ ନମୁନା ବୋଲି କୁହାଯାଇପାରେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ