ରୋହିତଙ୍କ ଶତକ; ଦ. ଆଫ୍ରିକାର ଲକ୍ଷ୍ୟ ୨୭୫

ରୋହିତଙ୍କ ଶତକ; ଦ. ଆଫ୍ରିକାର ଲକ୍ଷ୍ୟ ୨୭୫

Copy Editor RKD | Published On: Feb 13, 2018 09:31 PM IST |   109

ପୋର୍ଟ ଏଲିଜାବେଥ : ପ୍ରଥମ ୪ଟି ମ୍ୟାଚ୍‌ରେ ମୋଟ ୪୦ ରନ୍‌ କରିଥିବା ରୋହିତ ଶର୍ମା ୫ମ ଦିନିକିଆରେ ଶତକ ମାରିଛନ୍ତି। ଏହାସତ୍ତେତ୍ତ୍ୱ ତଳଅର୍ଡର ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ଯୋଗୁଁ ମଙ୍ଗଳବାର ୫ମ ଦିନିକିଆ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ୨୭୪ ରନ୍‌ କରିପାରିଛି। କ୍ରମାଗତ ୨ୟ ମ୍ୟାଚ୍‌ରେ ଶେଷ ୧୦ ଓଭରରେ ଭାରତୀୟ ବ୍ୟାଟିଂ ବିଫଳ ହେବାରୁ ଏକଦା ୩ ଶହରୁ ଅଧିକ ରନ୍‌ କରିବାକୁ ଯାଉଥିବା ଭାରତ ୨୭୪ ରନ୍‌ରେ ଅଟକି ଯାଇଥିଲା। ୪ର୍ଥ ଦିନିକିଆରେ ଶେଷ ୧୦ ଓଭରରେ ଭାରତ ୫୯ ରନ୍‌ କରିଥିବା ବେଳେ ଏହି ମ୍ୟାଚ୍‌ରେ ୭ଟି ୱିକେଟ ବାକିଥିବା ସତ୍ତ୍ୱେ ଶେଷ ୧୦ ଓଭରରୁ ଭାରତ ୫୪ ରନ୍‌ ନେଇ ପାରିଥିଲା। ସିରିଜ୍‌ରେ ଭାରତ ୩-୧ରେ ଆଗୁଆ ଥିବା ବେଳେ ସିରିଜ୍‌ ବଞ୍ଚାଇ ରଖିବାକୁ ହେଲେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍‌ କରିବାକୁ ପଡ଼ିବ।
ଏହି ଧିମା ପିଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ମର୍ନେ ମର୍କେଲ କ୍ରମାଗତ ୨ଟି ମେଡନ୍‌ ଓଭର ପକାଇଥିଲେ। ପରେ ଶିଖର ଧାୱନଙ୍କ ବ୍ୟାଟ୍‌ ଚାଲିଥିଲା ଏବଂ ରୋହିତ ଶର୍ମା ମଧ୍ୟ ସେଟ୍‌ ହୋଇ ଯାଇଥିଲେ। କାଗିସୋ ରାବାଡ଼ାଙ୍କୁ ପୁଲ୍‌ମାରିବା ପ୍ରୟାସରେ ଧାୱନ ସ୍କୋୟାରଲେଗ୍‌ରେ କ୍ୟାଚ୍‌ ଦେଇଥିଲେ। ଗତ ମ୍ୟାଚ୍‌ରେ ଶତକ ମାରିଥିବା ବାମହାତି ଧାୱନ ୨୩ଟି ବଲ୍‌ରୁ ୮ଟି ଚୌକା ସହ ଦର୍ଶନୀୟ ୩୪ ରନ୍‌ କରିଥିଲେ। ପରେ ରୋହିତ ଓ ଅଧିନାୟକ ବିରାଟ କୋହଲି ୧୮ ଓଭର କ୍ରିଜ୍‌ରେ ରହି ଭାରତର ସ୍କୋର୍‌କୁ ଦେଢ଼ଶହ ରନ୍‌ ପାର କରାଇଥିଲେ। ତେବେ ୬ ଓଭର ବ୍ୟବଧାନରେ ୨ଟି ରନ୍‌ଆଉଟ ଭାରତ ପାଇଁ ଶକ୍ତ ଧକ୍କା ଥିଲା। ଚଳିତ ସିରିଜ୍‌ରେ ସର୍ବାଧିକ ରନ୍‌ କରିଥିବା କୋହଳି ୫୪ ବଲ୍‌ରୁ ୨ଟି ଚୌକା ସହ ୩୬ ରନ୍‌କରି ରନ୍‌ଆଉଟ ହେବା ପରେ ଅଜିଙ୍କ୍ୟ ରାହାଣେ ୮ ରନ୍‌କରି ରନ୍‌ଆଉଟ ହୋଇ ଯାଇଥିଲେ। ପରେ ମୁମ୍ବଇର ଦୁଇ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଓ ଶ୍ରେୟାସ ଆୟର ୪ର୍ଥ ୱିକେଟ ପାଇଁ ୬୦ ରନ୍‌ ଯୋଡ଼ି ସ୍ଥିତି ସୁଧାରିଥିଲେ। ତେବେ ୪୩ତମ ଓଭରରେ ରୋହିତ ଶର୍ମା ଆଉଟ ହୋଇଯିବା ଭାରତର ରନ୍‌ଗତି ଧିମା କରିଥିଲା। ୧୭ତମ ଦିନିକିଆ ଶତକ ହାସଲ କରିଥିବା ରୋହିତ ୧୨୬ ବଲ୍‌ରୁ ୪ଟି ଛକା ଓ ୧୧ଟି ଚୌକା ସହ ୧୧୫ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ମାଟିରେ ଏହା ରୋହିତଙ୍କ ପ୍ରଥମ ୫୦ ରନ୍‌ରୁ ଅଧିକ ସ୍କୋର୍‌। ଆୟର ୩୭ ବଲ୍‌ରୁ ୨ଟି ଚୌକା ସହ ୩୦ ଓ ମହେନ୍ଦ୍ର ସିଂହ ଧୋନି ୧୭ ବଲ୍‌ରୁ ୧୩ ରନ୍‌ କରିଥିଲେ। ଭୁବନେଶ୍ୱର କୁମାର ୧୯ ରନ୍‌ରେ ଅପରାଜିତ ଥିଲେ। ଲୁଙ୍ଗି ଏନ୍‌ଗିଡ଼ି ୫୧ ରନ୍‌ଦେଇ ୪ଟି ୱିକେଟ ପାଇଥିଲେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ