ସରୋଜଙ୍କର ବିଶାଳ ହୃଦୟ: ପ୍ରମୋଦିନୀଙ୍କ ମାଆ

ଏସିଡ୍‌ ଆକ୍ରମଣର ପୀଡିତା ପ୍ରମୋଦିନଙ୍କୁ ଜୀବନସାଥୀ କରିବେ ସରୋଜ

Published On: Feb 11, 2018 03:20 PM IST | Updated On: Feb 11, 2018 03:57 PM IST |   977

୨୦୦୯ରେ ପ୍ରମୋଦିନୀଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଥିଲା । ଏହାପରେ ସେ ଜୀବନ ସହ ସଂଗ୍ରାମ କରି ଜିତି ଯାଇଥିଲେ । ତାଙ୍କୁ ଆକ୍ରମଣ କରିଥିବା ସନ୍ତୋଷ ବେଦାନ୍ତ ଏକ ତରଫା ପ୍ରେମ କରି ଏ କାଣ୍ଡ ଘଟାଇଥିଲା । ଅର୍ଦ୍ଧସାମରିକ ବଳରେ କାମ କରୁଥିବା ସନ୍ତୋଷ ଓ ତାହାର ସହଯୋଗୀ ଏହାପରେ ଫେରାର ହୋଇଯାଇଥିଲେ। ପୁଲିସ ବି ମାମଲା ବନ୍ଦ କରିଦେଇଥିଲା। ପ୍ରମୋଦିନୀ ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ କରି ଚାଲିଥିଲେ ।ଶେଷରେ ଅଭିଯୁକ୍ତ ଗିରଫ ହୋଇଥିଲା । ତଦନ୍ତରେ ଅବହେଳା କରିଥିବା ପୁଲିସ ଅଧିକାରୀ  ବି ନିଲମ୍ବିତ ହୋଇଥିଲେ । ଏହି ସଂଘର୍ଷରେ ତାଙ୍କ ସହ ସାମିଲ ହୋଇଥିଲେ କଟକର  ସରୋଜ ସାହୁ । ଏବେ ପ୍ରମୋଦିନୀଙ୍କୁ ନିଜର ଜୀବନ ସାଥି କରିବେ ସରୋଜ ।  ପ୍ରେମ ଦିବସ ଭାଲେଣ୍ଟାଇନ ଡେରେ ଲକ୍ଷ୍ମୌ ହେବ ନିର୍ବନ୍ଧ  ।   ଲକ୍ଷ୍ନୌରେ ହେବାକୁ ଥିବା ଝିଅର ନିର୍ବନ୍ଧ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ପ୍ରମୋଦିନୀଙ୍କ ମାଆ କବିତା ରାଉଳଙ୍କୁ କନକପୁର ବାସଭବନରେ ସାକ୍ଷାତ କରିଥିଲେ 'ସମାଜ'ର ଜଗତସିଂହପୁର ଜିଲା ପ୍ରତିନିଧି ବିବେକାନନ୍ଦ ସ୍ୱାଇଁ ଓ ତିର୍ତ୍ତୋଲ ପ୍ରତିନିଧି ଶ୍ରୀକାନ୍ତ ଦାସ ।

ପ୍ରଶ୍ନ-ଆପଣଙ୍କ ପରିବାର ସଂପର୍କରେ କିଛି କୁହନ୍ତୁ।

ଉତ୍ତର- ମୋର ତିନି ଝିଅ। ସ୍ୱାମୀ ଅନନ୍ତ ରାଉଳ ମାତ୍ର ୩୨ବର୍ଷ ବୟସରେ ତିନି ତିନିଟା ଛୁଆ(ଝିଅ)ଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ। ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ସଦସ୍ୟଙ୍କ ସହଯୋଗରେ ମୋ ପିଲା ତିନିଟାଙ୍କୁ ଯୋଗ୍ୟ କରିବାକୁ ପ୍ରାଣପଣେ ଉଦ୍ୟମ କରିଥିଲି। ହେଲେ ପ୍ରମୋଦିନୀ ଉପରେ ଏସିଡ୍‌ ଆକ୍ରମଣ ଘଟଣା ମୋତେ ଗଭୀର ଆଘାତ ଦେଇଥିଲା।

ପ୍ରଶ୍ନ-ପ୍ରମୋଦିନୀଙ୍କୁ ଏସିଡ୍‌ ଆକ୍ରମଣ ଘଟଣା ସଂପର୍କରେ କିଛି କହିବେ।

ଉତ୍ତର-ପ୍ରମୋଦିନୀ ଦେଖିବାକୁ ଖୁବ୍‌ ସୁନ୍ଦରୀ ଥିଲା। ଯେମିତି ପାଠ ପଢୁଥିଲା ସେମିତି ଖେଳକୁଦ ଓ ନାଚଗୀତରେ ବି ପ୍ରଥମ ହେଉଥିଲା। ତାକୁ ଅଭିଯୁକ୍ତ ସନ୍ତୋଷ ଏକତରଫା ଭାବେ ଭଲ ପାଇ ବସିଥିଲା। ତାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାପରେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲା। ସେଦିନ ସେ ମାଉସୀ ଘରୁ ଫେରୁଥିବା ବେଳେ ହଠାତ୍‌ ତା ଉପରକୁ ଏସିଡ୍‌ ଆକ୍ରମଣ କରିଥିଲା। ଏସିଡ୍‌ ମାଡ଼ରେ ମୋ ଝିଅ ଛଟପଟ ହେଉଥିବା ବେଳେ ସେ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ନେଇଥିଲୁ। ଝିଅ ଦେହରୁ ଏସିଡ୍‌ ଲାଗି ମୋର ବି ହାତ ଗୋଡ ପୋଡି ଯାଇଛି ବୋଲି କହିବା ସହ ପୋଡା ଅଂଶ ଦେଖାଇଥିଲେ। ଦୀର୍ଘ ୯ମାସ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ମା’ ସାରଳା ମୋ ଡାକ ଶୁଣିଥିଲେ। ସେ ସୁସ୍ଥ ହୋଇ ଘରକୁ ଫେରିଥିଲା।

ପ୍ରଶ୍ନ- ଏସିଡ୍‌ ଆକ୍ରମଣ ଘଟଣା ପରର ଅବସ୍ଥା ସଂପର୍କରେ କିଛି କହିବେ।

ଉତ୍ତର-ପ୍ରମୋଦିନୀଙ୍କୁ ଏସିଡ୍‌ ଆକ୍ରମଣ ଘଟଣା ପରେ ମୋ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା। ମୋର ପୁଅ ନାହିଁ, କେବଳ ତିନିଟି ଝିଅ। ବଡ଼ଝିଅ ସେତେବେଳେ ବିବାହ ହୋଇନଥିଲା। ସାନଝିଅ ବି ସ୍କୁଲରେ ପାଠ ପଢୁଥିଲା। ଏମିତି ଘଟଣା ପରେ ସାନଝିଅ ସୁଭାଷିନୀ ଦଶମ ପାସ୍‌ କରିବାପରେ ପାଠପଢା ଛାଡିଦେଲା। ଘରୁ ବାହାରିବାକୁ ବି ଡର ମାଡ଼ିଲା। ଏମିତିକି ଅଭିଯୁକ୍ତ ସନ୍ତୋଷ ବି ଫୋନରେ ନା ନା ଧମକ ଚମକ ଦେଉଥିଲା। ଘଟଣା ପରେ ବଡଝିଅ ପ୍ରଭାସିନୀର ବିବାହ ହୋଇ ସାରିଛି। ସ୍ୱାମୀ ମରିବା ପରେ ମୁଁ ଦୁଃଖରେ ଭାଙ୍ଗି ପଡିଥିଲି। ହେଲେ ପିଲା ତିନିଟାକୁ ମଣିଷ କରିବାପାଇଁ ମୁଁ ଉଦ୍ୟମ ଜାରି ରଖିଥିବା ବେଳେ ଝିଅକୁ ଏସିଡ୍‌ ମାଡ ଘଟଣା ମୋତେ ବହୁ କଷ୍ଟ ଦେଇଥିଲା ବୋଲି କାନ୍ଦି କାନ୍ଦି କହିଥିଲେ।

ପ୍ରଶ୍ନ-ଏବେ ଅନ୍ୟ ଯୁବତୀଙ୍କ ଉପରେ ଘଟୁଥିବା ଏସିଡ୍‌ ମାଡ଼ ଘଟଣା ଶୁଣିଲେ ଆପଣ କିଭଳି ଅନୁଭବ କରନ୍ତି?। ଘଟଣାକୁ କିଭଳି ରୋକାଯାଇପାରିବ।

ଉତ୍ତର-ଏମିତି ଘଟଣା ସଂପର୍କରେ ଟିଭି କି ଖବରକାଗଜରୁ ଶୁଣିଲେ ମୋତେ ଭାରି ଦୁଃଖ ଲାଗେ। ମୋ ଝିଅକୁ ଭଗବାନ ଯେମିତି ଦଣ୍ଡ ଦେଲେ, ଆଉ କାହାକୁ ସେମିତି ଦଣ୍ଡ ନ ଦିଅନ୍ତୁ। ଝିଅ ମାନଙ୍କୁ ଏସିଡ୍‌ ଆକ୍ରମଣ କରୁଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡ ହେବା ଦରକାର। ଏମିତି ହେଲେ ଆଉ କେହି ଏଭଳି କାର୍ଯ୍ୟ କରିବାକୁ ସାହାସ କରିବେନି। ଏହିଭଳି ଘଟଣାକୁ ଜଘନ୍ୟ ଅପରାଧ ଭାବେ ବିବେଚନା କରି ସରକାର ଓ ପୁଲିସ ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକ। ଏ ସଂପର୍କରେ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ଆବଶ୍ୟକ।

ପ୍ରଶ୍ନ- ପ୍ରମୋଦିନୀଙ୍କ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ସଂପର୍କରେ କଣ କହିବେ।

ଉତ୍ତର-ପ୍ରମୋଦିନୀ ଉପରେ ଏସିଡ୍‌ ଆକ୍ରମଣ ହେଲା। ଘଟଣା ପରେ ପୁଲିସ ଡାକ୍ତରଖାନା ଓ ଘରକୁ ଆସି ବାରମ୍ବାର ପଚରାଉଚୁରା ଓ ତଦନ୍ତ କଲା। କିନ୍ତୁ କିଛି ଲାଭ ହେଲାନି। ପୁଲିସ ଅଭିଯୁକ୍ତକୁ ଧରି ପାରିଲାନି। ଏମିତିକି ଏ ସଂକ୍ରାନ୍ତରେ ଫାଇଲ ବି ବନ୍ଦ ହୋଇଗଲା। ଏହାଠାରୁ ବଡ଼ ଦୂର୍ଭାଗ୍ୟଜନକ କଥା କଣ?। ପ୍ରମୋଦିନୀର ଦୀର୍ଘ ୮ବର୍ଷର ଲଢେଇ ପରେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶରେ ପୁଲିସ ପୁନର୍ବାର ଫାଇଲ ଖୋଲିଥିଲା। ଆହୁରିମଧ୍ୟ ପ୍ରକୃତ ଅପରାଧୀକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଏସିଡ୍‌ ଆକ୍ରମଣ ଭଳି ଘଟଣାରେ ପୁଲିସର ଅବହେଳା ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। ଅପରାଧୀ ଗିରଫ ହେବାପରେ ମୁଁ ବହୁତ ଖୁସି। ମୋ ଝିଅର ସୁନ୍ଦର ଚେହେରା ତ ଆଉ ଫେରିଆସିବନି କି ତା’ର ସେ ଦୁଃଖର ଦିନ ଫେରି ଆସିବନି। ହେଲେ ଯେଉଁ ଅଭିଯୁକ୍ତ ଏଭଳି ଜଘନ୍ୟ ଘଟଣା ଘଟାଇଛି ତା’କୁ ଉପଯୁକ୍ତ ଶାସ୍ତି ମିଳିଲେ ମୋ ମନ ଶାନ୍ତି ହେବ।

ପ୍ରଶ୍ନ- ଏବେ ଝିଅର ନିର୍ବନ୍ଧ ଖବରରେ ଆପଣ କେତେ ଖୁସି।

ଉତ୍ତର- ଏତେ ଦିନରେ ମା’ ସାରଳା ମୋ ଡାକ ଶୁଣିଲେ। ଏ କଥା କହିବାବେଳେ ଖୁସିର ଲୁହ ତାଙ୍କ ଆଖିରୁ ନିଗିଡି ପଡିଥିଲା। ଖୁସିରେ କାନ୍ଦୁ କାନ୍ଦୁ ସେ କହିଲେ, ମୋ ଝିଅକୁ ବିଶାଳ ହୃଦୟର ଯୁବକ ସରୋଜ ଜୀବନସାଥୀ କରିବାକୁ ମନସ୍ଥ କରିଛନ୍ତି। ତାଙ୍କଭଳି ଯୁବକ ଏ ଦୁନିଆରେ ବିରଳ। ସବୁ ଜାଣି ଓ ଅସୁନ୍ଦର ମୁହଁକୁ ଦେଖିବା ପରେ ବି ସେ ବିବାହ କରିବାକୁ ତାଙ୍କଆଡୁ ପ୍ରସ୍ତାବ ଦେଇଛନ୍ତି। ଏହା ତାଙ୍କର ବଡ଼ପଣ। ଭଗବାନଙ୍କର ଆର୍ଶୀବାଦ ନଥିଲେ ଏହା ସମ୍ଭବ ହୋଇନଥାନ୍ତା। ଲକ୍ଷ୍ନୌରେ ୧୪ତାରିଖ ପ୍ରେମ ଦିବସ ଦିନ ନିର୍ବନ୍ଧ ହେବ। ରିଙ୍ଗ ସେରିମୋନି(ମୁଦି ପିନ୍ଧା) କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଲକ୍ଷ୍ନୌ ଯିବି ବୋଲି ସେ କହିଛନ୍ତି। ଭଗବାନ ସେ ଦୁହିଁଙ୍କୁ ଆର୍ଶୀବାଦ କରନ୍ତୁ। ସେମାନେ ଭଲରେ ରହନ୍ତୁ ବାସ୍‌ ମୋର ଏତିକି କାମନା।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ