ଚନ୍ଦ୍ରଶେଖର ରଥ: ଅନନ୍ୟ ସାରସ୍ୱତ ଋଷି

.

Published On: Feb 10, 2018 12:19 AM IST | Updated On: Feb 10, 2018 04:30 PM IST |   178

ଓଡ଼ିଆ ସାରସ୍ୱତ ଜଗତରେ ଚନ୍ଦ୍ରଶେଖର ରଥ ଜଣେ ବିରଳ ସାଧକ ଓ ଶବ୍ଦସ୍ଥପତି। ସମକାଳର ବର୍ଷୀୟାନ କଥାଶିଳ୍ପୀ ମନୋଜ ଦାସ, ମହାପାତ୍ର ନୀଳମଣି ସାହୁ ଓ ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୁଖଙ୍କ କଥା ଉଠିଲେ ସେହି ପରିମଣ୍ଡଳରେ ଚନ୍ଦ୍ରଶେଖରଙ୍କୁ ବାଦ ଦେଇ ଚର୍ଚ୍ଚା ଆରମ୍ଭ କରିହୁଏ ନାହିଁ । ତାଙ୍କ ରଚିତ "ରଥ ସପ୍ତକ', "ଯନ୍ତ୍ରାରୂଢ଼' ଓ "ଅସୂର୍ଯ୍ୟ ଉପନିବେଶ' ପୁସ୍ତକ ଓଡ଼ିଆ ବାଣୀଭଣ୍ଡାରର ଅମୂଲ୍ୟ ରତ୍ନ। କେବଳ କଥାଶିଳ୍ପୀ ନୁହନ୍ତି; ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ଭାବେ ମଧ୍ୟ ନିଜର ଅମଳିନ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଜଣେ ବହୁଭାଷୀ ଭାବେ ସେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ। ସଂସ୍କୃତ, ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସମ୍ବଲପୁରୀ ଆଦି ଭାଷା ଉପରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ଓଡ଼ିଆରେ ଯେତେବେଳେ ସେ ବତ୍କୃତା ଦେଉଥିଲେ ଶୁଦ୍ଧ ଓଡ଼ିଆରେ କହୁଥିଲେ। ସେହିପରି ଇଂରାଜୀ କହିବା ବେଳେ ତାଙ୍କର ଶୁଦ୍ଧତା ବାରି ହେଉଥିଲା । ଓଡ଼ିଶାର ଯେଉଁ କତିପୟ ଭାଷ୍ୟକାର ରାଜ୍ୟ ବାହାରେ ଇଂରାଜୀ ଓ ସଂସ୍କୃତରେ ଭାଷଣ ପ୍ରଦାନ କରିବାରେ ଖ୍ୟାତି ଅର୍ଜନ କରିଥିଲେ, ସେମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖର ଅନ୍ୟତମ। ଚମତ୍କାର ବ୍ୟକ୍ତିତ୍ୱର ଅଧିକାରୀ। ତାଙ୍କର ଆଚରଣ ଓ ଉଚ୍ଚାରଣ ଭିତରେ ଫରକ୍‌ ନ ଥିଲା । ସେ ଥିଲେ ପ୍ରଚଣ୍ଡ ଆଭିଜାତ୍ୟସମ୍ପନ୍ନ ଓ ସ୍ୱାଭିମାନୀ। ଅନୁରାଗ ଓ ଅଧ୍ୟାତ୍ମର ଅପୂର୍ବ ସଂଯୋଗ ଘଟିିଥିଲା ତାଙ୍କ ସୃଷ୍ଟିରାଜିରେ। ତାଙ୍କ ଲେଖା ସଂସ୍ପର୍ଶରେ ଆସିଲେ ଦର୍ପଣରେ ଚଞ୍ଚୁ ମାରୁଥିବା ପକ୍ଷୀର ଆତ୍ମସାକ୍ଷାତ ପରିସ୍ଥିତି ଜାଗରୁକ ହୋଇଥାଏ। ତାଙ୍କର ସଂଯତପୂର୍ଣ୍ଣ ଭାବପ୍ରକାଶ, ଭାଷା-ଶୈଳୀର ସାବଲୀଳତା, ବୌଦ୍ଧିକ ଉତ୍କର୍ଷ ଓ କବିସୁଲଭ ଚିଦାଭାସ ମନକୁ କରେ ଆନ୍ଦୋଳିତ। ଶବ୍ଦକୁ ମନ୍ତ୍ରସିଦ୍ଧ କରି ପକ୍ଷୀୟ ରୂପ ଦେବାରେ ସେ ଜଣେ ଅସାଧାରଣ କଥାଶିଳ୍ପୀ, ତାଙ୍କର ଅନେକ ଲେଖା ନାନ୍ଦନିକ ଅବବୋଧ ଓ କଳାତ୍ମକ ତୁଙ୍ଗିମାରେ ଗରୀୟାନ।
ଚନ୍ଦ୍ରଶେଖରଙ୍କ ବ୍ୟକ୍ତି ଓ ସାରସ୍ୱତ ଜୀବନର ବିଶେଷତ୍ୱ ହେଉଛି ଯେ ସେ ଯେଉଁଠି ହାତ ଦେଇଛନ୍ତି ତାହା ସୁନା ପାଲଟିଯାଇଛି ଏବଂ ସ୍ୱକୀୟ ଛାପ ଛାଡ଼ି ଯାଇଛନ୍ତି । ବଞ୍ଚିବା ପ୍ରକ୍ରିୟାରେ ଭିନ୍ନ ଭିନ୍ନ ଭୂମିର ପ୍ରୟୋଜନକୁ ସ୍ୱୀକାର କରୁଥିଲେ। ଅନ୍ନଭୂମି, ପ୍ରାଣଭୂମି, ମନୋଭୂମି ପରି ଆହୁରି ସୂକ୍ଷ୍ମଭୂମି ନିଜ ନିଜ ବିସ୍ତାର ଓ ଗଭୀରତାରେ ଯେତେବେଳେ ଆହ୍ୱାନ ଯାହା ଦେଉଥିଲେ ସେ ନିଜର ସାମର୍ଥ୍ୟ ଅନୁସାରେ ନିଜକୁ ବାଣ୍ଟୁଥିଲେ। ସେଥିପାଇଁ ନାନ୍ଦନିକତା ଦୃଷ୍ଟିରୁ ସୂକ୍ଷ୍ମକଳା ଓ ଚିତ୍ରକଳା ସହିତ ସାହିତ୍ୟ ସୃଷ୍ଟିକୁ କଦାପି ଅବହେଳା କରୁନଥିଲେ। ତେବେ ଏହା ମଧ୍ୟ ସତ୍ୟ ଯେ ପ୍ରତିକ୍ଷେତ୍ରରେ ଉତ୍କର୍ଷ ଲାଭ କରିବାର ଉଦ୍ଦେଶ୍ୟ କେବେ ତାଙ୍କର ନଥିଲା, ସ୍ୱୀକୃତିକୁ ମଧ୍ୟ ଅପେକ୍ଷା କରୁନଥିଲେ; ହେଲେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିଯୁକ୍ତ କରିବା ଦାୟିତ୍ୱକୁ ପାଳନ କରିବାରେ କୌଣସି ଅବହେଳା କରୁନଥିଲେ।
ଚନ୍ଦ୍ରଶେଖରଙ୍କ ବହୁଚର୍ଚ୍ଚିତ "ଯନ୍ତ୍ରାରୂଢ଼'(୧୯୬୭) ପ୍ରଥମ ଉପନ୍ୟାସ। ସାରସ୍ୱତ କୃତିତ୍ୱ ଭାବେ ଏହା ଏକ ଅନନ୍ୟ ପୁସ୍ତକ ଓ ପ୍ରଥମ ସ୍ତବକ ଭାବେ ହିଁ ସେ ଦୀର୍ଘବର୍ଷ ପରେ ଏହାର ଇଂରାଜୀ ଅନୁବାଦ କରିବା ପରେ ୨୦୦୪ ମସିହାରେ ମର୍ଯ୍ୟାଦାଜନକ କ୍ରସ୍‌ ୱାର୍ଡ଼ବୁକ୍‌ ଆୱାର୍ଡ଼ ଲାଭ କରିିଥିଲା। ଏହାର ଯଦି ପୂର୍ବରୁ ଯଥାର୍ଥ ଇଂରାଜୀ ଅନୁବାଦ କୌଣସି ସର୍ବଭାରତୀୟ ପ୍ରକାଶନ ସଂସ୍ଥା ଜରିଆରେ ହୋଇଥାନ୍ତା, ହୁଏତ ତାଙ୍କ ସାରସ୍ୱତ ଯାତ୍ରା ଓ ପ୍ରସିଦ୍ଧି ଭିନ୍ନରୂପ ନେଇଥାନ୍ତା। ଅନ୍ୟପକ୍ଷରେ କହିବାକୁ ଗଲେ, ଶ୍ରୀ ରଥଙ୍କ ନିବନ୍ଧ ପୁସ୍ତକ "ରଥ ସପ୍ତକ'କୁ କେତେକ ଶ୍ରେଷ୍ଠକୃତି ଭାବେ ବିବେଚନା କରିଥାନ୍ତି । "ରଥସପ୍ତକ' ଗୋଟିଏ ଲେଖକର ଜୀବଦ୍ଦଶା ପାଇଁ ପର୍ଯ୍ୟାପ୍ତ ସିଦ୍ଧି ବୋଲି କୁହାଯାଇପାରେ । "ତୁମ ପାଇଁ ପକ୍ଷୀଗାନ' ଓ "ଆଗକୁ ବନସ୍ତ' ଚନ୍ଦ୍ରଶେଖରଙ୍କ କାବ୍ୟ ସାଧନାର ଅନୁପମ ସ୍ମାରକ । ଗୋଟିଏ ଭାବ ପ୍ରକାଶ ପାଇଁ ଏକମାତ୍ର ମୁଖଭଙ୍ଗୀ ଯଥେଷ୍ଟ ମନେହୁଏ ନାହିଁ - ଏ କଥାକୁ ସେ ବିଶ୍ୱାସ କରୁଥିଲେ। ସୃଷ୍ଟିକେନ୍ଦ୍ରରେ ଅସଂଖ୍ୟ ଅକୁହାକଥା ରହିଯାଏ, ଯାହା କବିତାର ସ୍ପର୍ଶ ଓ ପ୍ରଲେପକୁ ଅପେକ୍ଷା ରଖେ । ଯାହା କୁହାହୋଇଛି ତା'ର ପୁନଃଉକ୍ତି କରିବାର ବାହୁଲ୍ୟରେ ସେ ବିଶ୍ୱାସ କରୁନଥିଲେ। ଯଦି କିଛି ନୂଆ କହିବାର ନାହିଁ, ବରଂ ନିରବ ରହିବା ଶ୍ରେୟସ୍କର ବୋଲି ବିଚାରୁଥିଲେ । କବିତା ଲେଖିବାର ଅପରିହାର୍ଯ୍ୟତା ଓ ଅନିବାର୍ଯ୍ୟତାକୁ ସ୍ୱୀକାର କରି କବିତା ରଚନା କରିଥିଲେ।
ଚନ୍ଦ୍ରଶେଖରଙ୍କ କୃତିସମୂହ ଉପରେ ସିଂହାବଲୋକନ କଲେ ମୁଖ୍ୟତଃ ଆଧ୍ୟାତ୍ମିକ ଭାବଧାରା, ଉପନିଷଦୀୟ ସ୍ୱର, ଦାର୍ଶନିକତା ଓ ଆତ୍ମ ଅନ୍ୱେଷାବୋଧ ପରି ଉଚ୍ଚତର ଚେତନାକୁ ଭେଟିବାକୁ ହୋଇଥାଏ । ନିଜ ସୃଷ୍ଟି ପ୍ରକ୍ରିୟା ଉପରେ ସେ କହୁଥିଲେ: ଘଟଣା ପ୍ରବାହ ଏବଂ ପରିସ୍ଥିତିର କମ୍ପନ ମୋର ଦିଗ ନିର୍ଣ୍ଣୟ କରେ। ଭାଷାର ଭଙ୍ଗୀ, ଶବ୍ଦର ବିନ୍ୟାସ, ଛନ୍ଦ, ଧ୍ୱନି ଏ ସମସ୍ତେ ମିଶି ମୋତେ ନିୟନ୍ତ୍ରିତ କରନ୍ତି । ମୁଁ କେବଳ ଏକ ଚେତନସତ୍ତା ଯାହାକୁ ଏପରି ନିୟୋଜିତ କରାଯାଏ । ଏଣୁ ଗଳ୍ପଟିଏ ମୁଁ ଲେଖିଦେଲି ବା ଉପନ୍ୟାସଟିକୁ ଏଇ ଢଙ୍ଗରେ ନିର୍ମାଣ କଲି ସ୍ୱେଚ୍ଛାରେ ମୁଁ ନିଜ ଆୟତ୍ତରେ ଏହା କରିବା କହିବା ବୋଧହୁଏ ଠିକ୍‌ ହେବନାହିଁ । ଏଣୁ, ଏ ସଂକ୍ରାନ୍ତରେ ମୁଁ ଏତିକି କହିବାକୁ ଚାହେଁ ଯେ ଆକାଶମଲ୍ଲୀର ଶିରା ପ୍ରଶିରାରେ ଯେଉଁ ପୁଷ୍ପଗୁଚ୍ଛ ସମ୍ଭାବନା ନେଇ ସେ ଜନ୍ମିଥିଲା, ଅକସ୍ମାତ ସେ ପୁଣି ଏକ ଫଗୁଣରେ ଦକ୍ଷିଣର ହିଲ୍ଳୋଳରେ ତା' ଶାଖାରେ ସେ ପୁଣି ସେହି ଫୁଲ ଫୁଟେଇଦେଲା । ଆକାଶମଲ୍ଲୀ ଗଛରେ ଆକାଶମଲ୍ଲୀ ଫୁଟିବା ଅପରିହାର୍ଯ୍ୟ । ସେହିପରି ତା' ଡାଳରୁ କନକଚମ୍ପା ଫୁଟିବା ଅସମ୍ଭବ। ଏଣୁ ପ୍ରତ୍ୟେକ ସ୍ରଷ୍ଟା ତା'ର ନିର୍ଦ୍ଦିଷ୍ଟ ସମ୍ଭାବନା ନେଇ ଆସିଥାଏ ଏବଂ ସେ ସମ୍ଭାବନାକୁ ଉନ୍ମୋଚିତ କରିବାରେ ଅନେକ ସହାୟକ ହୋଇଥାନ୍ତି ।'
ଚନ୍ଦ୍ରଶେଖରଙ୍କ ପରି ସାରସ୍ୱତ ସାଧକ ଆଜିର ଦିନରେ ବିରଳ। ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ଅପସରି ଯାଇଛି। ଏହା ଓଡ଼ିଆ ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି। 

ଚନ୍ଦ୍ରଶେଖର ରଥ ସମକାଳର ଜଣେ ମହତ୍‌ ସାହିତ୍ୟଋଷି ଓ ଦିବ୍ୟଚେତନାର ଆଲୋକସ୍ତମ୍ଭ। ଏକାଧାରରେ ସେ ଜଣେ ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ ଓ କବି । ଜଣେ ଉଚ୍ଚକୋଟୀର ବକ୍ତା ଭାବେ ସୁଖ୍ୟାତ। କାଠ-ପଥର-ଚିତ୍ରଶିଳ୍ପୀ ମଧ୍ୟ। ଏହା ସାଙ୍ଗକୁ ଆଦର୍ଶସ୍ଥାନୀୟ ଅଧ୍ୟାପକ ଭାବେ ତାଙ୍କର ସୁଖ୍ୟାତି ଅବିସମ୍ବାଦିତ। ଶ୍ରୀ ରଥ ଚଳିତବର୍ଷ ଭାରତ ସରକାରଙ୍କ ପକ୍ଷରୁ ଚତୁର୍ଥ ଶ୍ରେଷ୍ଠ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇବା ପାଇଁ ମନୋନୀତ ହୋଇଥିଲେ। ପୁରସ୍କାର ଲାଭ ପୂର୍ବରୁ ଆଜି ଏହି ସାରସ୍ୱତ ସାଧକଙ୍କ ହୃଦ୍‌ଘାତରେ ଭୁବନେଶ୍ୱରସ୍ଥିତ ଏକ ହାସପାତାଳରେ ପରଲୋକ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ "ସମାଜ' ପକ୍ଷରୁ ସ୍ମୃତିଅର୍ଘ୍ୟ।

ସୃଷ୍ଟିସମ୍ଭାର
ଉପନ୍ୟାସ : ଯନ୍ତ୍ରାରୂଢ଼, ଅସୂର୍ଯ୍ୟ ଉପନିବେଶ, ନବଜାତକ।
ଗଳ୍ପ ସଙ୍କଳନ: ଅନେକ ବନ୍ୟା ପରେ,ଅଶ୍ୱାରୋହୀର ଗଳ୍ପ, ସମ୍ରାଟ ଓ ଅନ୍ୟମାନେ, ଅନ୍ୟ ଏକ ସକାଳ, ସବୁଯାକ ସ୍ୱପ୍ନ, ବାଘ ସବାର, ଏତେ ପାଖରେ ସମୁଦ୍ର, ବିକ୍ରି ପାଇଁ ଫୁଲମାଳ, ସ୍ୱପ୍ନବାହକ, ସବୁଠାରୁ ଦୀର୍ଘରାତି, ଅନ୍ତିମା, କ୍ରମଶଃ ଗଭୀର ନଈ, ଶିଖର ଉଲ୍ଳଙ୍ଘନ, ନାଗାନ୍ତକ ବିଦ୍ୟା, ସନ୍ଧିକାଳ।
ନିବନ୍ଧ : ରଥ ସପ୍ତକ, ଆଧ୍ୟାତ୍ମ ବିଚାର ପାଠଚକ୍ର ଡାଏରୀ
କବିତା ଗ୍ରନ୍ଥ : ତୁମ ପାଇଁ ପକ୍ଷୀଗାନ, ଆଗକୁ ବନସ୍ତ, ମୋ ଘର ବହୂ ଦୂର।
ନିବନ୍ଧ ସଙ୍କଳନ : ଦୃଷ୍ଟି ଓ ଦର୍ଶନ, ଏ ଯେଉଁ ପୃଥିବୀ, ମୁଁ ସତ୍ୟଧର୍ମା କହୁଛି, ମଧୁସନ୍ଧାନ, ଉତ୍ତର ଅରଣ୍ୟ, ଅଶ୍ରୁତସ୍ୱର, କ୍ରୀତଦାସର ସ୍ୱପ୍ନ, ପ୍ରଥମ ବର୍ଗ ।



Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ