ସାଧାରଣ ବଜେଟରେ ସାଧାରଣଙ୍କୁ ମିଳେ କ’ଣ?

ସାଧାରଣ ବଜେଟରେ ସାଧାରଣଙ୍କୁ ମିଳେ କ’ଣ?

Sid | Published On: Feb 02, 2018 02:23 PM IST | Updated On: Feb 02, 2018 02:41 PM IST |   593

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ସବୁଠାରୁ ବଦାନ୍ୟ ବ୍ୟକ୍ତି ଯଦି କେହିଁ ଥାଏ ତେବେ ସେ ସାଧାରଣ ଲୋକ ଅଥବା ମଧ୍ୟମ ବର୍ଗଙ୍କୁ କୁହାଯାଇ ପାରେ । ଏଭଳି ଏକ ବର୍ଗ ଯିଏ ପ୍ରତି ବର୍ଷ ସାଧାରଣ ବଜେଟକୁ ସବୁଠାରୁ ଆଗ୍ରହର ସହ ଅପେକ୍ଷା କରେ ଓ ଅଥଚ ବଜେଟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପରେ ତା’ ଭାଗରେ ଯାହା ପଡ଼େ ସେତିକିରେ ସନ୍ତୁଷ୍ଟ ହୋଇ ପୁଣି ଆର ପାଳିକୁ ଚାହିଁ କାମରେ ଲାଗି ପଡ଼େ । ଯଦି ଜଣେ ମଧ୍ୟମ ବର୍ଗର ଜୀବନ ଶୈଳୀକୁ ଜଣେ ଅର୍ଥନୀତିଜ୍ଞଙ୍କ ଦୃଷ୍ଟିକୋଣରେ ତର୍ଜମା କରାଯାଏ । ସାଧାରଣ ଲୋକ ତା’ର ଜୀବନକାଳରେ ସବୁଠାରୁ ଅଧିକ ଟିକସ ଦେଇ ସବୁଠାରୁ କମ୍‌ ସରକାରୀ ସୁବିଧା ପାଉଥିବା ବର୍ଗ ।

ଏଭଳି ବର୍ଗଙ୍କ ବହୁ ପ୍ରତିକ୍ଷୀତ ମୋଦି ସରକାରଙ୍କ ୫ମ ବଜେଟ ଉପସ୍ଥାପିତ ହୋଇଯାଇଛି । ଏହି ବଜେଟରେ ମଧ୍ୟମ ବର୍ଗଙ୍କୁ ଟିକସରେ ଛାଡ଼ ମିଳି ନଥିବାରୁ ଚଳିତ ବଜେଟ ଲୋକାଭିମୂଖୀ ନୁହେଁ ବୋଲି ସମାଲୋଚନା ହେଉଛି । ୨୦ ଏପ୍ରିଲ ୨୦୧୪ରେ ବିପକ୍ଷ ନେତା ଭାବରେ ଖୋଦ୍‌ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଆୟକର ଛାଡ଼ ସୀମାକୁ ବୃଦ୍ଧି କରି ୫ଲକ୍ଷ କରିବା ସପକ୍ଷରେ ଯୁକ୍ତି ବାଢିଥିଲେ । ସେତେବେଳେ ଅରୁଣ ଜେଟଲୀଙ୍କ ଏଭଳି ଯୁକ୍ତିକୁ ସାଧାରଣ ବର୍ଗଙ୍କୁ ବେଶ୍‌ ସୁହାଇ ଥିଲା । ଏହା ଯୁକ୍ତିଯୁକ୍ତ ବୋଲି ଖଟି ବଜାରରେ ଚର୍ଚ୍ଚା ମଧ୍ୟ ହୋଇଥିଲା । ହେଲେ ମୋଦି ସରକାରଙ୍କ ୫ମ ବଜେଟ ସମ୍ପନ୍ନ ହୋଇ ଯାଇଥିଲେ ମଧ୍ୟ ୨୦୧୪ରେ ଉପସ୍ଥାପିତ ଦାବିକୁ ଖୋଦ୍‌ ଅରୁଣ ଜେଟଲୀ କାର୍ଯ୍ୟକାରୀ କରି ପାରିଲେ ନାହିଁ । ରାଷ୍ଟ୍ରବାଦର ଥିମ୍‌ରେ ଚାଲିଥିବା ସରକାର ଚଳିତ ବଜେଟରେ ମଧ୍ୟମ ବର୍ଗଙ୍କ ପେଟ କାଟି ଗ୍ରାମାଞ୍ଚଳର ବିକାଶରେ ଲଗାଇଛନ୍ତି । କୃଷିଜାତ ସାମଗ୍ରୀ ଓ କୃଷକଙ୍କ କଲ୍ୟାଣ ପାଇଁ ମଧ୍ୟମ ବର୍ଗ ତାଙ୍କ ଟିକସ ଖୁସିରେ ତ୍ୟାଗ କରିଛନ୍ତି । ଏଭଳି ରାଷ୍ଟ୍ରପ୍ରେମ କେଉଁ କମ୍‌ କି?

କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବଜେଟ ପରେ ସୁପର ପାୱାର ଭାରତର ବ୍ୟବସାୟୀଙ୍କ ଅପେକ୍ଷା ଚାକିରୀଆ ଅଧିକ ସଂଖ୍ୟାରେ ଟିକସ ଦେଉଥିବା ତଥ୍ୟ ସାମ୍ନାକୁ ଆସିଛି । ୨୦୧୪-୧୫ରେ ୬.୪୭ କୋଟି କରଦାତା ରହିଥିଲେ ତାହା ୨୦୧୬-୧୭ରେ ୮.୨୨କୋଟିରେ ପରିଣତ ହୋଇଛି ।

୨୦୧୬-୧୭ରେ ୧.୮୯ ଚାକିରୀଆ ମୋଟ୍‌ ୪୪ହଜାର କୋଟି ଟଙ୍କା ଟିକସ ପ୍ରଦାନ କରିଛନ୍ତି । ଅର୍ଥାତ୍‌ ପ୍ରତି ଲୋକଙ୍କୁ ଜଣକା ୭୬ହଜାର ୩୦୬ ଟଙ୍କା ପ୍ରଦାନ କରୁଛନ୍ତି । ସେହିପରି୧.୮୮କୋଟି ବ୍ୟବସାୟୀ ଓ ବ୍ୟକ୍ତିଗତ ବ୍ୟବସାୟୀ ୪୮ହଜାର ଟିକସ ପ୍ରଦନ କରିଛନ୍ତି । ଅର୍ଥାତ ଜଣପିଛା ୨୫ହଜାର ୭୫୩ଟଙ୍କା ଟିକସ ପ୍ରଦାନ କରିଛନ୍ତି । ଏହା ଚାକିରୀଆଙ୍କଠାରୁ କମ୍‌ । କେନ୍ଦ୍ର ଅର୍ଥ ମନ୍ତ୍ରୀ ଜିଏସଟି ଆସିବା ପରେ ଭାରତୀୟ ବଜାର ଚଳଚଞ୍ଚଳ ହେବାର ପ୍ରମାଣ ଅନ୍ତତଃ ପକ୍ଷେ ଏହି ତଥ୍ୟରୁ ଭୁଲ ପ୍ରମାଣିତ ହେଉଛି ।

ଅପରପକ୍ଷରେ ଚଳିତ ବଜେଟରେ କୃଷକଙ୍କୁ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ବାସ୍ତବପକ୍ଷେ ଏଭଳି ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ହେଲେ ଏହି ଘୋଷଣାକୁ ସରକାର ଆଗାମୀ ଦିନରେ କିପରି କାର୍ଯ୍ୟକାରୀ କରିବେ ଏହା ଉପରେ କୃଷକଙ୍କ ଭାଗ୍ୟ ନିର୍ଭର କରୁଛି । ତେବେ ସରକାର ଉତ୍ପାଦନ ମୂଲ୍ୟର ଦେଢ ଗୁଣା ଦେବେ ନା’ ସାମଗ୍ରୀର ଅର୍ଥôକ ମୂଲ୍ୟ ଉଭୟ ଭିନ୍ନ ପ୍ରସଙ୍ଗ ଭାବରେ ସରକାରୀ ୱେବସାଇଟରେ ଉଲ୍ଲେଖ କରାଯାଇଛି । ଆର୍ଥିକ ମୂଲ୍ୟ ଭାବରେ ସରକାର ଉତ୍ପାଦିତ ସାମଗ୍ରୀ ସହିତ ଶୀତଳ ଭଣ୍ଡାରର ଖର୍ଚ୍ଚ, ବଣ୍ଟନ ଖର୍ଚ୍ଚ, ବଜାରର ଟିକସ,କମିଶନ, ଫସରର ବର୍ଜ୍ୟବସ୍ତୁ, ବିହନ ଓ ମଜୁରୀର ସମିଶ୍ରଣରେ ଏହା ନିର୍ଦ୍ଧାରିତ ହୋଇଥାଏ । ଯଦି ସରକାର ଅର୍ଥôକ ମୂଲ୍ୟକୁ ଦେଢଗୁଣା କରନ୍ତି ତେବେ କୃଷକଙ୍କୁ ଲାଭ ପରିବର୍ତ୍ତେ ଦଲାଲ, ଶିତଳ ଭଣ୍ଡାର ମାଲିକ ଅଥବା ବ୍ୟବସାୟୀ ଏହାର ଫାଇଦା ଉଠାଇବେ । ଅଉ ଯଦି ସାମଗ୍ରୀର ସର୍ବନିମ୍ନ ମୂଲ୍ୟର ଦେଢଗୁଣା କରାଯାଏ ତେବେ ଏହା ସହ ଉପରୋକ୍ତ ଖର୍ଚ୍ଚ ମଧ୍ୟ ଯୋଡ଼ା ଯିବା ପରେ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ବ୍ୟାପକ ଯୋଜନା କରିବାକୁ ପଡ଼ିବ । ଓଡ଼ିଶା ସରକାର ଦୀର୍ଘ ବର୍ଷ ଧରି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରି ଆସୁଥିବାବେଳେ କେନ୍ଦ୍ର ହଠାତ୍‌ ବଜେଟରେ ଏହାକୁ ସ୍ଥାନ ଦେଇ କିଭଳି କାର୍ଯ୍ୟକାରୀ କରିବାର ରଣନୀତି ଆପଣେଇଛନ୍ତି ଏହା କେବଳ ଆଗାମୀ ଦିନରେ ଜଣାପଡ଼ିବ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ