ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମୀ କେତେ ଉପଯୋଗୀ?

.

Published On: Jan 25, 2018 04:47 PM IST | Updated On: Jan 25, 2018 04:54 PM IST |   341

ନିରନ୍ତନ ବିକାଶ ଲକ୍ଷ୍ୟକୁ ନଜରରେ ରଖି କେନ୍ଦ୍ର ସରକାର ପ୍ରଣିତ ଜାତୀୟ ସ୍ୱାସ୍ଥ୍ୟ ନୀତି- ୨୦୧୭ରେ ସୁଲଭ ମୂଲ୍ୟରେ ସାର୍ବଜନୀନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ସମସ୍ତଙ୍କ ପାଇଁ ମାଗଣା ଔଷଧ ଓ ପରୀକ୍ଷା ସୁବିଧା, ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ଉପଲବ୍ଧ ଅଧିକାଂଶ ସ୍ୱାସ୍ଥ୍ୟ ସେବା ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଯୋଗାଇ ଦିଆଯିବା ଭଳି ଅନେକ ଲକ୍ଷ୍ୟ ୨୦୨୦ ଓ ୨୦୨୫ ମସିହା ସୁଦ୍ଧା ହାସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ନୀତିରେ ଶିଶୁ ଓ ମାତୃ ମୃତ୍ୟୁ ହାର, ଅପପୁଷ୍ଟି, ରକ୍ତ ହୀନତା ଆଦି ଭଳି ସମ୍ବେଦନଶୀଳ ଦିଗ ଗୁଡିକରେ ସୁଧାର ଆଣିବା ସହ ୨୦୨୫ ମସିହା ସୁଦ୍ଧା ପ୍ରତି ୩,୦୦୦ ଲୋକ ସଂଖ୍ୟାରେ ଗୋଟିଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ୨୦,୦୦୦ ଲୋକ ସଂଖ୍ୟାରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରତି ୮୦,୦୦୦ ଲୋକ ସଂଖ୍ୟାରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ଆମ ରାଜ୍ୟରେ ବର୍ତ୍ତମାନ ୬,୭୦୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର, ୧,୩୦୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୩୭୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୨୭ଟି ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପାଞ୍ଚଟି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ ରହିଛି । ୨୦୧୧ ଜନଗଣନା ଓ ରାଜ୍ୟର ଜନସଂଖ୍ୟା ବୃଦ୍ଧି ହାରକୁ ବିଚାରକୁ ନେଲେ ୨୦୨୫ ମସିହା ବେଳକୁ ଆମ ରାଜ୍ୟର ଲୋକ ସଂଖ୍ୟା ପ୍ରାୟ ୫ କୋଟିରେ ପହଞ୍ଚି ସାରିଥିବ । ଏହି ଜନସଂଖ୍ୟା ତୁଳନାରେ ଆମ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବର୍ତ୍ତମାନର ଭିତ୍ତିଭୂମି ଠାରୁ ଯଥେଷ୍ଟ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ପଡିବ । ତଥ୍ୟାନୁସାରେ ରାଜ୍ୟର ଥିବା ମୋଟ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ୪୧ ପ୍ରତିଶତ ଭଡା ଘରେ ଚାଲୁଥିବା ବେଳେ ୪୪.୮ ପ୍ରତିଶତ କେନ୍ଦ୍ରରେ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ଏବଂ ୩୯.୪ ପ୍ରତିଶତ କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ । ସେହିପରି ୭୭.୬ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ଗୃହର ବ୍ୟବସ୍ଥା ମଧ୍ୟ ନାହିଁ । ୧୦.୮ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସଂଯୋଗ ନଥିବା ବେଳେ ୨୨.୪ ପ୍ରତିଶତ କେନ୍ଦ୍ରରେ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ପ୍ରତି ୧୦,୦୦୦ ଲୋକସଂଖ୍ୟାରେ ୧୦ଟି ଅନ୍ତଃବିଭାଗ ରୋଗୀ ଶଯ୍ୟାର ବ୍ୟବସ୍ଥା ରହିବା କଥା; ମାତ୍ର ସ୍ୱାସ୍ଥ୍ୟ ସେବା ନିଦେ୍ର୍ଦଶାଳୟର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ମୋଟ ଶଯ୍ୟା ସଂଖ୍ୟା ରହିଛି ୧୮,୩୬୫ ଅର୍ଥାତ ପ୍ରତି ୧୦,୦୦୦ ଲୋକଙ୍କ ପାଇଁ ଶଯ୍ୟା ଅନୁପାତ ହେଉଛି ମାତ୍ର ୫ଟି ।

ଓଡିଶା ସରକାରଙ୍କ ଆଉଟ୍‌କମ୍‌ ବଜେଟ୍‌ ୨୦୧୬-୧୭ ତଥ୍ୟାନୁସାରେ, ଆମ ରାଜ୍ୟରେ ୪୦୨ଟି ଡାକ୍ତର, ୮୩ଟି ଫାର୍ମାସିଷ୍ଟ ପଦବୀ, ୩୩୬ଟି ନର୍ସ, ୨୨୩ଟି ପରୀକ୍ଷା ନିରୀକ୍ଷକ ଓ ୬୩ଟି ରେଡିଓ ଗ୍ରାଫର୍‌ ପଦବୀ ଖାଲି ପଡିଛି । ଏହା ଦ୍ୱାରା ଲୋକମାନଙ୍କର ସ୍ୱାସ୍ଥ୍ୟ ବାବଦରେ ଖର୍ଚ୍ଚ (ଆଉଟ୍‌ ଅଫ୍‌ ପକେଟ୍‌ ଏକ୍ସପେଣ୍ଡିଚର୍‌) ପ୍ରାୟ ୫୪ ପ୍ରତିଶତ ରହିଛି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ୍‌ ଓ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିକଟ ଅତୀତରେ ସରକାର ଦୁଇଟି ନୂତନ ମେଡିକାଲ କଲେଜ୍‌ ଓ ହସ୍ପିଟାଲ୍‌ ଲୋକାର୍ପଣ କରିଛନ୍ତି, ଯାହାକି ଆଗାମୀ ୫ ବର୍ଷ ପରେ ଡାକ୍ତର ସମସ୍ୟା ଦୂର କରିବାରେ କିଛି ମାତ୍ରାରେ ସହାୟକ ହେବ; ମାତ୍ର ଡାକ୍ତରୀ ପାଠ ପଢି ସାରିବା ପରେ ଖୁବ୍‌ କମ୍‌ ଡାକ୍ତର ଅଛନ୍ତି ଯିଏ କି ଘଞ୍ଚ ଓ ଅପହଞ୍ଚ ଇଲାକାରେ ରହି ରୋଗୀ ସେବା କରିବା ପାଇଁ ତତ୍ପରତା ପ୍ରକାଶ କରୁଛନ୍ତି! ଆଦିବାସୀ ଅଧୁଷିତ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ଡାକ୍ତରମାନଙ୍କ ପାଇଁ ଯଦିଓ ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି; ମାତ୍ର ଅନେକାଁଶରେ ଦେଖାଯାଉଛି ଯେ, ଅପହଞ୍ଚ ଇଲାକାର ଡାକ୍ତର ଜଣକ ନିଜ ସ୍ୱାସ୍ଥ୍ୟ କେନ୍ଦ୍ରରେ ନ ରହି ନିକଟସ୍ଥ ସହରାଞ୍ଚଳରେ ବସତି ସ୍ଥାପନ କରୁଛନ୍ତି । ସେହିପରି ଜଣେ ଏମ୍‌.ବି.ବି.ଏସ୍‌. ଡାକ୍ତର ନିଜର ପିଜି ପାଇଁ ଗ୍ରାମାଞ୍ଚଳରେ ଅନୁ୍ୟନ ତିନି ବର୍ଷ ସେବା କରିଥିବା ଅନିର୍ବାଯ୍ୟ ବୋଲି ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି ଏବଂ ଯଦି ଜଣେ ଏହା କରି ନ ପାରିଲା ତେବେ ତାହା ପାଇଁ ଏକ ସ୍ୱତନ୍ତ୍ର ଫି’ର ବ୍ୟବସ୍ଥା ରହିଛି; ଫଳରେ ପ୍ରାୟ କ୍ଷେତ୍ରରେ ଦେଖାଯାଉଛି ଯେ, ଅନିଚ୍ଛୁକ ଡାକ୍ତରମାନେ ଦ୍ୱିତୀୟ ପନ୍ଥାଟିକୁ ଆପଣେଇ ନେଉଛନ୍ତି । ଏପରି କ୍ଷେତ୍ରରେ ସରକାର ନିଜର ନିର୍ଦ୍ଧାରିତ ନୀତିରେ ସଂଶୋଧନ କରି ଜଣେ ଏମ୍‌.ବି.ବି.ଏସ୍‌. ଡାକ୍ତର ନିଜର ପିଜି ପାଇଁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ବନିମ୍ନ ନିଯୁକ୍ତି ସମୟକୁ ବାଧ୍ୟତାମୂଳକ କରିବା ଆବଶ୍ୟକ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିର ପରିଚାଳନା କ୍ଷେତ୍ରରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିୟୋଜିତ କରାନଯାଇ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇପାରିଲେ ପ୍ରଶାସନିକ କାମରେ ନିୟୋଜିତ ଡାକ୍ତରମାନେ ରୋଗୀ ସେବା କରି ପାରନ୍ତେ ।

ସେହିପରି ସ୍ୱାସ୍ଥ୍ୟ ସେବାର ସହଜଲଭ୍ୟତା ପାଇଁ ପ୍ରତି ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଅନୁ୍ୟନ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଜାତୀୟ ସ୍ୱାସ୍ଥ୍ୟ ନୀତିରେ ଧାର୍ଯ୍ୟ କରାଯାଇଛି । ଏଥି ନିମନ୍ତେ ଆମ ରାଜ୍ୟ ପାଇଁ ପ୍ରାୟ ୨୦୦୦ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଆମ ରାଜ୍ୟରେ ୫୧୨ଟି ୧୦୮ ଏବଂ ୫୦୦ଟି ୧୦୨ ଆମ୍ବୁଲାନ୍ସ କାର୍ଯ୍ୟକାରୀ କରାଯାଉଛି । ତେବେ ୨୦୨୫ ମସିହା ବେଳକୁ ଆବଶ୍ୟକ ଥିବା ଆମ୍ବଲାନ୍ସ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ନିହାତି ଜରୁରୀ ମନେହୁଏ । ଅଧିକାଂଶ ସମୟରେ ଗ୍ରାମାଞ୍ଚଳରେ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନଥିବା ଅଭିଯୋଗ ପ୍ରାୟ ଶୁଣିବାକୁ ମିଳୁଛି । ସେହିପରି ଅଧିକାଂଶ ଅପହଞ୍ଚ ଇଲାକାକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ । ଏପରି ସ୍ଥଳେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ଆଦି ନିଜ ଭିତରେ ସମନ୍ୱୟ ରକ୍ଷା କରି ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସର୍ଭେ- ୪ ତଥ୍ୟାନୁଯାୟୀ, ୬୯ ପ୍ରତିଶତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମାତ୍ର ୪ ପ୍ରତିଶତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଅଲ୍‌ଟ୍ରା ସାଉଣ୍ଡ ସୁବିଧା ଉପଲବ୍ଧ ରହିଛି । ଅନେକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଅଭାବରୁ ଅଲ୍‌ଟ୍ରା ସାଉଣ୍ଡ ମେସିନ୍‌ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଠାରେ କୁହାଯାଇପାରେ ଯେ ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଅବସ୍ଥା, ଗତିବିଧି ଆଦି ନିରୀକ୍ଷଣ କରିବା ଏବଂ ପ୍ରସବ ସମୟର ଜଟିଳତା ଦୂର କରିବା କ୍ଷେତ୍ରରେ ଏହା ନିହାତି ଅପରିହାର୍ଯ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ନିହାତି ଥରେ ଗର୍ଭାବସ୍ଥାର ଅଲ୍‌ଟ୍ରା ସାଉଣ୍ଡ ପରୀକ୍ଷଣ ହେବା ଦରକାର ଏହା ଦ୍ୱାରା ଏକାଧିକ ଭ୍ରୁଣ ଚିହ୍ନଟୀକରଣ ଓ ଜଟିଳତା ସମ୍ପର୍କରେ ଅବଗତ ହୋଇପାରିବେ ଫଳରେ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯାଇ ପାରିବ । ଏହି ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଅଲ୍‌ଟ୍ରା ସାଉଣ୍ଡ ମେସିନ୍‌ ସହ ତାଲିମ୍‌ ପ୍ରାପ୍ତ ଦକ୍ଷ ମାନବ ସମ୍ବଳର ମଧ୍ୟ ଆବଶ୍ୟକତା ରହିଛି । ସେହିପରି ଗରୀବ ତଥା ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧିକାଂଶ ସମୟରେ ବ୍ୟୟ ହୋଇପାରୁ ନାହିଁ ତେଣୁ ଏ ସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ।

ଜାତୀୟ ସ୍ୱାସ୍ଥ୍ୟ ନୀତି-୨୦୧୭ ଅନୁସାରେ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୦ ମସିହା ସୁଦ୍ଧା ରାଜ୍ୟ ସରକାରମାନଙ୍କ ବଜେଟ ଅତି କମ୍‌ରେ ରାଜ୍ୟର ମୋଟ ବଜେଟ୍‌ର ୮ ପ୍ରତିଶତ ଏବଂ ୨୦୨୫ ମସିହା ସୁଦ୍ଧା ରାଜ୍ୟର ମୋଟ ଘରୋଇ ଉତ୍ପାଦର ୨.୫ ପ୍ରତିଶତ ରଖିବାକୁ ଲକ୍ଷ୍ୟ ସ୍ଥିର କରାଯାଇଥିବା ବେଳେ ଆମ ରାଜ୍ୟର ଏହି ହାର ଯଥାକ୍ରମେ ୫.୪୩ ପ୍ରତିଶତ ଓ ୧.୪ ପ୍ରତିଶତ ରହିଛି । ବିଗତ ପାଞ୍ଚ ବର୍ଷର ଓଡିଶାର ମୋଟ ଘରୋଇ ଉତ୍ପାଦ ସହ ନିଜସ୍ୱ ଆୟକୁ ଯଦି ଅନୁଧ୍ୟାନ କରାଯାଏ ତେବେ ୨୦୧୪-୧୫ ଆର୍ଥିକ ବର୍ଷର ୪୧.୮୪ ପ୍ରତିଶତରୁ କ୍ରମାଗତ ଭାବେ ହ୍ରାସ ପାଇ ୨୦୧୭-୧୮ ମସିହାରେ ୩୩.୯୫ରେ ପହଞ୍ଚିଛି । ଏହା ଦ୍ୱାରା ସାମାଜିକ କ୍ଷେତ୍ରରେ ବ୍ୟୟ ବରାଦ ମଧ୍ୟ କମିବାରେ ଲାଗିଛି । ସେହିପରି ସ୍ୱାସ୍ଥ୍ୟ ବିଭାଗର ବ୍ୟୟବରାଦ ତୁଳନାରେ ବାସ୍ତବ ଖର୍ଚ୍ଚ ମଧ୍ୟରେ ବ୍ୟବଧାନ ୧୫ ରୁ ୨୦ ପ୍ରତିଶତ ରହୁଛି; ଅର୍ଥାତ ପ୍ରତି ଶହେ ଟଙ୍କାର ବ୍ୟୟ ବରାଦ ତୁଳନାରେ ବାସ୍ତବ ଖର୍ଚ୍ଚ ହେଉଛି ମାତ୍ର ୮୦ ରୁ ୮୫ ଟଙ୍କା । ଏହାର ଅର୍ଥ ଆକଳନ କରାଯାଇଥିବା ବ୍ୟୟ ବରାଦ ବାବଦକୁ ଆମର ସମ୍ବଳର ଅଭାବ ରହୁଛି ଅଥବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଠିକ୍‌ ଭାବେ ରୂପାୟନ କରାଯାଇପାରୁ ନାହିଁ । ଏପରି ସ୍ଥଳେ ଏହି ନୀତିରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା କେତେ ଦୂର ସମ୍ଭବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ।

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏକ ବିକାଶ୍ନୋମୁଖୀ ରାଷ୍ଟ୍ରର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ଆଣିବା ପାଇଁ ତତ୍ପରତା ଦେଖାଇବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମୀ, ମାନବ ସମ୍ବଳ, ସ୍ୱାସ୍ଥ୍ୟ ସେବା ଆଦିର ସ୍ଥିତି ଆଦିର ପ୍ରାଥମିକତା ଭିତ୍ତିରେ ସମାଧାନର ବାଟ ବାହାର କରିବା ଆବଶ୍ୟକ । କର୍ମଚାରୀମାନଙ୍କ ଅଭାବ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନିୟମିତତା ଓ ଅନୁପସ୍ଥିତି, ଆବଶ୍ୟକୀୟ ଭିତ୍ତିଭୂମୀ ଓ ଉପକରଣ, ତାଲିମ୍‌ ପ୍ରାପ୍ତ ଓ ଦକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଆଦି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି । ଏପରି କ୍ଷେତ୍ରରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ବ୍ୟୟ ବରାଦ ଓ ବାସ୍ତବ ଖର୍ଚ୍ଚକୁ ବଢାଇବା ଆଦି ଦିଗ ପ୍ରତି ଧ୍ୟାନ ଦିଆଯାଇ ସମସ୍ୟାର ମୌଳିକ କାରଣଗୁଡିକର ସମାଧାନ ପାଇଁ ତ୍ୱରିତ ପନ୍ଥା ଗ୍ରହଣ କରାଯିବା ନିହାତି ଆବଶ୍ୟକ ମନେହୁଏ ।

 

ଉମାକାନ୍ତ ପାତ୍ର
ଥାଲକୁଡି, ମଙ୍ଗଳପୁର, ଯାଜପୁର
୯୪୩୯୭୫୦୧୭୫

 

 

 

 

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ