“ମନର ମୂଳେ ଏ ଜଗତ”

.

Published On: Jan 20, 2018 09:39 PM IST |   354

ଭାଗବତ ତ କହିଲେ, “ମନର ମୂଳେ ଏ ଜଗତ” । “ଏଇ ମନ ବୃନ୍ଦାବନ, ଏଇ ମନ କାଶୀ, ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ” । ଯେ ଯେତେ ବିଷୟ ମୁକ୍ତ, ସେ ମନକୁ ସେତେ ଅଧିକ ବୁଝିପାରେ । ତା ମନ ବି ସେତେ ନିର୍ମଳ, ନିରୁତା, ନିଦା । ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚଜ୍ଞାନେନ୍ଦ୍ରିୟ ହେଉଛନ୍ତି ପାରିଷଦ । ସେମାନଙ୍କର ରାଜା ହେଉଛନ୍ତି ମନ । ଏମାନଙ୍କ କଥାରେ ରାଜା ଦୋହଲିଲେ କଥା ସଇଲା । ମନର ସ୍ୱୀୟ ଆଉ ଦୁଇ ଉପାଦାନ ହେଲା ବିବେକ ଓ ଚୈତନ୍ୟ। ତା ବିନା ଏ ରାଜା ରାସ୍ତା କଡ଼ରେ ହରିଆ ହାଡ଼ି ପରି ମଦ ପିଇ ପଡ଼ି ପାରନ୍ତି ତ ପଶାଖେଳି ରାଜ୍ୟ, ପୁଅ ମାଇପ ସବୁଙ୍କୁ ବନ୍ଧା ପକାଇ ବେଜିତ ହୁଅନ୍ତି । ଇଏତ ଖୋଦ ଧର୍ମରାଜ ଯୁଧିଷ୍ଠିରଙ୍କ କଥା । ଚାଲାଖି, ଚାତୁରୀ ସବୁ ଏ କର୍ମେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ ନିଗିଡ଼ା ମଳି । ତା’ ମନରେ ମିଶିଲେ ମନକୁ ଚିକିଚିକିଆ କରନ୍ତି ସତ, ପୁଣି ମନକୁ ବି ଧଇଁଆ ବନାନ୍ତି । “ଅତି ପଣ୍ଡିତରେ ବାଇ” କଥା ବି ତ ଅଛି । ସରଳ, ନିର୍ମଳ, ନିରୁତା ମନ ଏ ସବୁ ଚାଲାଖି ଫାଲାକିର ଧାର ଧାରନ୍ତିନି । ଗୁରୁ ତୀର୍ଥ କରି ବାହାରିଲା ବେଳେ ମାସକ ମାଫି ଚାଉଳ, ଜାଇ, ଘିଅ ଆଦି ଭୋଗ ଲଗାଇବାକୁ ଶିଷ୍ୟକୁ ଦେଇଗଲେ । ମଠ ପାଖ ଲାଗୁଆ ଦୋକାନୀକି କହି ଦେଇଗଲେ, “ଆରେ, ଯାହା ଲୋଡ଼ା ପଡ଼ିବ ତା’ ଶିଷ୍ୟ ଟୋକାକୁ ଦେଉଥିବୁ, ମୁଁ ଆସିଲେ ବୁଝିବି। ତେବେ ମାସକ ମାଫି ସବୁ ମୁଁ ତା’କୁ ଦେଇ ଦେଇଛି । ପିଲା ଲୋକ ଖର୍ଚ୍ଚବାଚରେ ଟିକେ ନିଘା ରଖିଥିବୁ ।” ଚିନ୍ତା ପଡ଼ିଲା ଶିଷ୍ୟକୁ । ଠାକୁର ଖାଇଲା ପରେ ଭୋଗ ଖାଇବାକୁ ହେବ । ​‌େ​‌ଖଚଡି ଡାଲମା ଖଟା ଭୋଗ ଲଗାଇଲା । ଗୁରୁଙ୍କ ପରି କବାଟ ବନ୍ଦ କରି, ଦଶ ମିନିଟପରେ ତାଳି ମାରି କବାଟ ଫିଟେଇଲା । କାଇଁ କୋଉଥିରୁ କିଛି ବି ତ ଖାଇନାହାନ୍ତି? ଭୋଗ ତିଆରିରେ କ’ଣ କିଛି ଭୁଲଭଟକା, ଅଶୁଦ୍ଧି ରହିଗଲା, ଏଇ ଚିନ୍ତାରେ ପୁଣି ଗାଧୋଇ ନିର୍ମଳ ହୋଇ ଆଉ ଥରେ ରାନ୍ଧି ଭୋଗ ଲଗେଇଲା । ମାତ୍ର ସେଇ କଥା, କରିବ କ’ଣ? ଠାକୁର ନ ଖାଇଲେ ତ ନିଜେ ନ ଖାଇବାକୁ ଗୁରୁଙ୍କ ନି​‌େ​‌ର୍ଦଶ । ଦିନ ତିନିଟା ହେଲାଣି ଭୋକରେ ପେଟ ଜଳିଲାଣି । ଶେଷଥର ଭୋଗ ତିଆରି କରି ଲଗେଇଲା ପରେ ବି ସେଇ କଥା ହେବାରୁ ତା ରାଗ ମୁଣ୍ଡକୁ ଛୁଇଁଲା । କ୍ରୋଧ ପରମ ଚାଣ୍ଡାଳ । ବିରାଡି ହୁରୁଡ଼େଇବାକୁ ଥିବା ବାଉଁଶ ଠେଙ୍ଗେଣିଟା ଧରି ଉଞ୍ଚେଇଲା ପ୍ରଭୁଙ୍କ ଉପରକୁ । କହିଲା, “ହେ ପ୍ରଭୁ! ତମେ ଜାଣିଛ ମୁଁ ପିଲାଲୋକ, ଗୁରୁଙ୍କ ପରି ପୂଜା ମତେ ଆସେନି । ସବୁ ତ ପରିଷ୍କାର ପରିଚ୍ଛନ୍ନ କରି ତିନିଥର ରାନ୍ଧିଲି । ଏବେ ଖିଆ ଆରମ୍ଭ ନ କଲେ ଏ ବାଡ଼ିରେ ତମ ମୁଣ୍ଡ ଫଟେଇ ଦେବି, ତେଣିକି ଯା’ ହବାର ହଉ।” ଏତିକି କହି ଦି’ ହାତରେ ଠେଙ୍ଗେଣିଟାକୁ ଧରି ଏକ, ଦୁଇ ତିନି ଗଣିବା ଆରମ୍ଭ କଲା । ଦୁଇ ସରୁ ନ ସରୁଣୁ ଏ ପଥର ମୂର୍ତ୍ତି ଲହୁଣି ଭଳି ତରଳି ଯାଇ ଅଣ୍ଟାଠୁ ନଇଁଗଲେ ଥାଳି ଉପରକୁ। ସବୁତକ ପୋଛି ଖାଇଦେଲେ ।” ଶିଷ୍ୟ ଟୋକା ମୁଣ୍ଡ ଏଥର ବି ଖରାପ। କହିଲା, “ସବୁତକ ଖାଇଦେଲ । ଏବେ ମୁଁ ପୁଣି ଖାଇବି କ’ଣ”? ଯା’ ହେଉ ଆଉ ଥରେ ରାନ୍ଧି ଖାଇଲା । ମନ୍ତ୍ର ନୁହେଁ, ଠେଙ୍ଗେଣି ଭୟରେ ଏଣିକି ପ୍ରଭୁ ଥାଳି ସଫା କରି ଖାଇଦେଲେ । ମାସକ ଖାଦ୍ୟ ପନ୍ଦର ଦିନରେ ଶେଷ। ଦୋକାନୀଠୁ ବାକୀ କରି କାମ ଚଳେଇଲା । ଗୁରୁ ଫେରିଲା ବାଟରେ ଆଗ ଦୋକାନୀକୁ ମଠ କଥା ପଚାରିଲେ । ବାକୀ ବଢ଼ି ଯାଇଥିବା ସେ କହିଲା । ଠାକୁର ସବୁ ଖାଇ ଦେଉଥିବାରୁ ‘ଡବଲ’ ରୋଷେଇ ପଡୁଛି ବୋଲି ଶିଷ୍ୟ କଥା ମହନ୍ତଙ୍କୁ କହିଲା । ଟୋକା ବୋଧେ ଗଞ୍ଜେଇ ହାବୁଡ଼ରେ ପଡିଯାଇଛି ଭାବିଲେ ଗୁରୁ । ପହଞ୍ଚୁପହଞ୍ଚୁ ଶିଷ୍ୟକୁ ଦୋକାନୀ ବାକୀ କଥା ପଚାରିଲେ । ସେ କହିଲା, “କଣ କରିବି ଗୁରୁ ମହାପ୍ରୁ, ଏ ଠାକୁର ସବୁ ପୋଛି ଖାଇ ଦେଉଛନ୍ତି, ମୋ ପାଇଁ କିଛି ବି ରଖୁ ନାହାନ୍ତି । ତେଣୁ ଦି’ଥର ରୋଷେଇ କରୁଛି । ଗୁରୁଙ୍କ ରାଗ ତାଳୁକୁ ଉଠିଗଲା । ଏକୁ ମଠରୁ ବାହାର କରିଦେବା କଥା। ଭୋଗ ଲାଗିଲା । ଗୁରୁ କହିଲେ, “କିରେ କାଇଁ ଭୋଗ ତ ଠାକୁର ଖାଉନି” । ଶିଷ୍ୟ ଟୋକା କହିଲା, “ଆଜ୍ଞା ପ୍ରଥମ ଦିନ ବି ସେମିତି ହୋଇଥିଲା । ୟେ ମନ୍ତ୍ରରେ ଆଜ୍ଞା ଖାଉନି । ଟିକେ ରହିଥା’ । ବାଡ଼ି ଧରି କହିଲା, “ପୁଣି ପୁରୁଣା ରୋଗ ଧଇଲଣି, ଖାଇବ କି ନାହିଁ ଦେଖିବ?” ସତକୁ ସତ କଳା ମୁଗୁନି ପଥରର ଏ ମୂର୍ତ୍ତିଟା ଥାଳି ପର୍ଯ୍ୟନ୍ତ ନଇଁଗଲା । ସେତିକି କେବଳ ଦେଖିଛନ୍ତି ବହୁ ପୁରାତନ, ସାଧକ ପଣ୍ଡିତ ଏ ମହନ୍ତ । ଚେତାଶୂନ୍ୟ ହୋଇଗଲେ । କ’ଣ ହେଲା ଗୁରୁଙ୍କର?? ଚେତା ଫେରିଲା ପରେ ଶିଷ୍ୟ ପାଦକୁ ଧରି କାନ୍ଦିବାକୁ ଲାଗିଲେ ଗୁରୁ । କ’ଣ ହେଉଛି ଏସବୁ ବୁଝିପାରୁନଥାଏ ଶିଷ୍ୟ । ମୋ ପାଦ କ’ଣ ଧରି କାନ୍ଦୁଛନ୍ତି, ବାଇଆ ହୋଇଗଲେ କି? ବିକଳରେ ଡାକ ପକେଇଲା ସେ । ୟେ ହେଲା ମନ ଓ ତା ମୂଳର ଜଗତ । ସାକ୍ଷୀ ଦେବାକୁ ସେ ଆସି ପଥର ବି ହୋଇ ଯାଇଛନ୍ତି, ସାକ୍ଷିଗୋପାଳ ବନିଯାଇଛନ୍ତି । ବାପ ମା’ଙ୍କ ସେବାରେ ନିଜ ଜୀବନକୁ ଭୁଲି ଯାଇଥିବା ପୁଅର ସେବାରେ ମୁଗ୍ଧ ନାରାୟଣ, ପୁଅ ବାପ ମା’ଙ୍କ ସେବା କରୁଥିବା ବେଳେ ଆବିର୍ଭୂତ ହୋଇଗଲେ । ଗାଧୋଇ ଦେଉଥାଏ ବାପା, ମା’ଙ୍କୁ । ପାଣି ସରସର ଦିହ, ଏଇଲେ ନାରାୟଣ ଉଭା ହୋଇଗଲେ । ଚାରିଆଡ଼ ଉଜ୍ଜ୍ୱଳି ଉଠିଲା । ମାତ୍ର ନାରାୟଣଙ୍କୁ ଚର୍ଚ୍ଚା ପାଇଁ ତାର ବେଳ କାହିଁ? ବସିଥିବା ପିଢ଼ାଟା ତାଙ୍କୁ ବଢ଼ାଇ ଦେଇ କହିଲା, “ୟା ଉପରେ ବସିଥା’ । ମୁଁ ବାପା, ମା’ଙ୍କୁ ପୋଛିପାଛି ସାରେ, ତମ କଥା ବୁଝିବି । ପାଣି ସରସର ଦିହରେ ସେମାନେ କେମିତି ଥରୁଛନ୍ତି, ଦେଖୁନ? ବୁଢ଼ାବୁଢ଼ୀ ହୋଇଗଲେଣି ପରା ।” ଏତିକି କହି ବାପ, ମା’ଙ୍କ ସେବାରେ ଲାଗିଲା। ଭୁଲିଗଲା ନାରାୟଣଙ୍କୁ । ଖୋଇପେଇ ଶୁଆଇ ସାରିବା ପରେ ନାରାୟଣଙ୍କ କଥା ମନେପଡ଼ିଲା । ଧାଇଁଲା ବେଳକୁ କଥା ଫଇସଲା ହୋଇଯାଇଛି । ସେ ପିଢ଼ା ଉପରେ ପଥର ବନି ଯାଇଛନ୍ତି । କି ଅପରାଧ ହୋଇଗଲା ତା’ର! ଆଖି ଲୁହରେ ପାଦ ତାଙ୍କର ଓଦା ହୋଇଗଲା । ଭାବଗ୍ରାହୀ ପ୍ରଭୁ କହିଲେ, ଆରେ ତୋ ପିତୃମାତୃ ସେବାରେ ମୁଁ ମୁଗ୍ଧ । ତୋର ପାଖରେ ସେଠି କାଳ କାଳକୁ ରହିଲି । ସେ ମୂର୍ତ୍ତି ଏବେ ବି ଭାରତ ବିଖ୍ୟାତ । ଏଟା ଗପ ଢ଼େରଙ୍କୁ ଲାଗୁଛି ଏଇଲେ । ପ୍ରଭୁଙ୍କୁ ଅଇଁଠା କୋଳି ଖୁଆଇବାରେ ଲକ୍ଷ୍ମଣ ସେଦିନ ଶବରୀ ଉପରେ ରାଗି ନାଲି ପଡ଼ିଯାଇଥିଲେ । ଶବରୀ ପ୍ରାଣକୁ, ମନକୁ, ଭାବକୁ ସେ ବି ବୁଝି ପାରି ନ ଥିଲେ ସେ ଦିନ । ୟେ ମନର ଗହନ କଥା, ଅସରା । ଯେ ବୁଝିଛି ସେ ଜିତିଛି । ମନ ତ ଏଇଲେ ବେଛପର, ମଇଳା । ରାମକୃଷ୍ଣ କହିଲେ, “ସିଦ୍ଧ ଅଟେ କେଉଁ ଜନ, କୋମଳ ଅଟଇ ଯାହାର ମନ, ମୋ ବାଇଧନ, ଯେହ୍ନେ ସିଝା ବାଇଗଣ ।” କାଲି ବାଣୀଦେବୀ, ବୀଣାପାଣିଙ୍କ ପୂଜୋତ୍ସବ। କେମିତି ପୂଜା ସବୁ ଏଇଲେ ବିଦ୍ୟାଳୟମାନଙ୍କରେ ହେଉଛି? କବି ତ ପ୍ରାର୍ଥନାରେ ଲେଖିଲେ, “କି ଥିଲା ଏ ଦେଶ କି ହେଲା କିସ ହେବରେ ପୁଣି, ନ ହେବ କି ଆଉ ତୋ ପୂଜା ଶଙ୍ଖ ମୁରଜ ଧ୍ୱନି?”
ସତ୍ୟବାଦୀ ବନ ବିଦ୍ୟାଳୟରେ ସରସ୍ୱତୀ ପୂଜା ଓ ଶିକ୍ଷକମାନଙ୍କର ସ୍ୱୟଂ ପୂଜାକର୍ମ ବିଷୟରେ ଯଶସ୍ୱୀ ଚନ୍ଦ୍ରଶେଖର ମିଶ୍ର ତାଙ୍କ ‘ସତ୍ୟବାଦୀର ସାତବର୍ଷ’ ପୁସ୍ତକରେ ଲେଖିଛନ୍ତି, “ଥରେ ଶ୍ରୀପଞ୍ଚମୀ ଗୋଟିଏ ଶୁକ୍ରବାରରେ ପଡ଼ିଥିଲା । ପଣ୍ଡିତ ଭୁବନେଶ୍ୱର ନିଜେ ଏ ଦୁଇ ଉପଲକ୍ଷ୍ୟରେ ପୂଜକ। ସେ ପୂଜା କରିବାବେଳେ ବଡ଼ ନିଷ୍ଠାପର ଓ ଏକାଗ୍ର ଥିବାରୁ ମୃଣ୍ମୟୀ ପ୍ରତିମାରେ ଆମ୍ଭମାନଙ୍କର ପୂଜିତ ଦେବତା ସାକ୍ଷାତ ରୂପ ଧରିବା ପରି ଆମ୍ଭେମାନେ ବୋଧ କରିଥାଉଁ । ସେ ପୂଜା ଅତି ଚମତ୍କାର; ବିଧିକ୍ରମେ ବାଜା ବାଜେ, ତଥାପି ତାହା ଶୃଙ୍ଖଳିତ ଓ ଗମ୍ଭୀର-ଯେପରି କି ମଧୁର ସ୍ୱରରେ ପୂଜକ ପଣ୍ଡିତ ମହାଶୟଙ୍କର ଆହ୍ଲାଦ ଜନ୍ମିବ ଏବଂ ମନ ବିକଳ ହେବନାହିଁ । ପୂଜା ସରିବା ପର୍ଯ୍ୟନ୍ତ ସେ ପାନ ଖାଇ ନ ଥାନ୍ତି, ଅନ୍ନ ସ୍ପର୍ଶ କରି ନ ଥାନ୍ତି । ଆମ୍ଭେମାନେ ପୂଜା ଶେଷରେ ଅତି ଆଦରରେ ତାଙ୍କୁ ପୂଜା ପଇଡ଼ ଦେଉ ଓ ପାନ ଯୋଗାଇ ଦେଉ ।”
କାଇଁ ସେ ନିଷ୍ଠା, କାଇଁ ସେ ପୂଜା, କାହାନ୍ତି ସେ ଗୁରୁ ଓ ଶିଷ୍ୟ ପରମ୍ପରା? କାନ ଫଟା ଡାକବାଜି ଯନ୍ତ୍ରରେ ଯେଉଁ ଗାନ ଓ ତାଳ ମୁଣ୍ଡ ଫଟେଇ ଦେଉଛି, ସେଥିରୁ ‘ମନ’ର ଏ ଭାବ ଉକୁଟୁଛି ତ? ଖାଲି ପୂଜା ଉତ୍ସବରେ ବି ମନ ବାଉଳା ହୋଇଯାଇନି, ଏଥିରୁ ଖାଲି ବାରି ହୋଇପଡ଼ୁଛି ଯାହା । ଖବରକାଗଜ ତ ସନ୍ନ୍ୟାସୀମାନେ ପଢ଼ନ୍ତି ନାହିଁ । ଆମେ ସବୁ ସନ୍ନ୍ୟାସୀ ଚେହେରାର ଯେଉଁ ସଂସାରୀମାନେ ଖବରକାଗଜ ପଢ଼ୁଛୁ, ତାକୁ ଦେଖିଲେ ‘ମନ’ କେମିତି ଅବତାର ଘେନୁଛି ତା ଅନୁଭବ କରିହୁଏ । ଜ୍ଞାନୀ, ଅଜ୍ଞାନ ଏଠି ସମାନ । ଏଠି ଏ ସରକାର ବାହାଦୁର, ନେତା ପ୍ରଭୁମାନେ ପଲିଥିନ ତିଆରି ପାଇଁ ଏପଟେ ଲାଇସେନସ୍‌ ଦେଇ ସେପଟେ ପଲିଥିନ ବ୍ୟବହାର ପାଇଁ ଜୋରିମାନା କରିଥାନ୍ତି। ସିଗ୍ରେଟ୍‌ କମ୍ପାନୀକୁ ସିଗ୍ରେଟ ତିଆରି ଲାଇସେନ୍‌ସ ସେପଟେ ଦେଇ ଏପଟେ ପ୍ରଦୂଷଣ, ସ୍ୱାସ୍ଥ୍ୟ ପାଇଁ କାନ୍ଦଣା ଛାଡ଼ନ୍ତି, ଜୋରିମାନା ହାଙ୍କନ୍ତି । ଧର୍ମାବତାରମାନେ ବିବାଦ ତୁଟାଇବାର, ସମାଧାନ କରିବାର ଅବତାର ବନିଥିବା ବେଳେ ନିଜ ଭିତରେ ‘ବିବାଦରେ’ ଏମାନଙ୍କ “ମନ” ବି ଦାସିଆ, କାଶିଆଙ୍କ ମନଠାରୁ ଟିକିଏ ବି ଭିନ୍ନ ନୁହେଁ, ତା ଧରା ପକେଇ ଦିଅନ୍ତି । ମହାନ ମୂଲ୍ୟବୋଧକୁ ଗମେଇ ଦିଅନ୍ତି ।
ମାତ୍ର ଏକୁ ବୁଝୁଛି କିଏ? ସବୁ ନେପୋଲିଅନଙ୍କ ପାଇଁ “ୱାଟରଲୁ” ଅଛି । ବଡ଼ପଣିଆ, ଅହଂକାର ତ ପାଣିଫୋଟକା । “ପ୍ରତି ଜନେ ଯେହ୍ନେ ଘାରିଅଛି ନିଶା, କି ଛାର କଥାରେ କି ଘୋର ଜିଗୀଷା” । ଏସବୁର ସମାଧାନ ମନରେ ବି । ମନ ତ ସଂସ୍କାରାଧୀନ । ତେଣୁ ସବୁ ‘ମନ’ ସବୁର ସମାଧାନ କେମିତି କରିପାରିବ? ପାଞ୍ଚ ଭାଇରୁ ଜଣେ ଗୀତାର ଅର୍ଜୁନ ବନିଲେ ତ ଜଣେ ମୋକ୍ଷର ଯୁଧିଷ୍ଠିର ବନିଲେ । ଆଉ ଏଙ୍କୁ ବାନ୍ଧିଥିବା ଦ୍ରୌପଦୀ-ଦୌଡ଼ି କେମିତି ଖଣ୍ଡଖଣ୍ଡ ହୋଇ ଛିଡ଼ି ପଡ଼ିଲେ ତା’ ତ ଜଣା ।
ଜୟ ଜଗନ୍ନାଥ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ