ପିଲାଙ୍କୁ ମାତୃଭାଷା ପଢ଼ାଇବା ଜରୁରୀ: ମନୋଜ ଦାସ

ପିଲାଙ୍କୁ ମାତୃଭାଷା ପଢ଼ାଇବା ଜରୁରୀ: ମନୋଜ ଦାସ

Copy Editor RRM | Published On: Jan 19, 2018 11:44 PM IST |   428

ଭୁବନେଶ୍ୱର: ମଣିଷ ଜୀବନରେ ଶୈଶବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ଶିଶୁକୁ ଉପଯୁକ୍ତ ଶିକ୍ଷା ଓ ଶୈକ୍ଷିକ ବାତାବରଣ ଯୋଗାଇଦେଲେ ସେ ଅନାୟାସରେ ସାତଆଠଟି ଭାଷାକୁ ଆୟତ୍ତ କରିପାରିବ। ଫଳରେ ସେ ମାତୃଭାଷା ଶିଖିବା ସହ ତା’ ପ୍ରତି ମମତା ଜାଗିବ ଏବଂ ତାହାର ଅଭିବ୍ୟକ୍ତି ଓ ଚିନ୍ତାଶକ୍ତି ଶକ୍ତିଶାଳୀ ହେବ ବୋଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାହିତି୍ୟକ, ସ୍ତମ୍ଭକାର, ସମ୍ପାଦକ ତଥା ଅରବିନ୍ଦ ଦର୍ଶନର ବ୍ୟାଖ୍ୟାକାର ପଦ୍ମଶ୍ରୀ ମନୋଜ ଦାସ ମତବ୍ୟକ୍ତ କରିଛନ୍ତି।
ଆଜି ପୂର୍ବାହ୍ନରେ ଭୁବନେଶ୍ୱରଠାରେ “ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ପଦ୍ମଶ୍ରୀ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଦାସ କହିଥିଲେ ବିବର୍ତ୍ତନ ପ୍ରକ୍ରିୟାରେ ବହୁ ଭାଷା ବିଲୁପ୍ତ ହୋଇଯାଉଛି। ମଣିଷ ନିଜ ଭାଷା ପ୍ରତି ଉଦାସୀନ ହେଲେ ମାତୃଭାଷାର ଅବକ୍ଷୟ ଘଟିବା ଅବଶ୍ୟମ୍ଭାବୀ। ପୁଡ଼ୁଚେରୀ ଶିକ୍ଷା ବ୍ୟବସ୍ଥାର ଉଦାହରଣ ଦେଇ ସେ କହିଥିଲେ ଜଣେ ସାଢ଼େ ତିନିବର୍ଷର ପିଲାକୁ ସ୍କୁଲରେ ନାମ ଲେଖାଇଲେ ସେହି ଛାତ୍ର ବା ଛାତ୍ରୀ ସାଧାରଣତଃ ଇଂରାଜୀ ସମେତ ଚାରିଟି ଭାଷା ଶିଖିଥାଏ। ପରବର୍ତ୍ତୀ ସମୟରେ ଅନ୍ୟ ଭାଷା ପ୍ରତି ତାର ଜିଜ୍ଞାସା ଆସିଲେ ସହଜରେ ସାତରୁ ଆଠଟି ଭାଷାକୁ ଭଲ ଭାବେ ଆୟତ୍ତ କରିପାରିଥାଏ। ଏଣୁ ଜଣେ ବହୁଭାଷୀ ହେବା ମାତୃଭାଷା ପ୍ରତି ଆଦୌ ବିପଜ୍ଜନକ ନୁହେଁ; ବରଂ ଏହା ଶୁଭଙ୍କର, ତାର ଚିନ୍ତାଚେତନାକୁ ଶକ୍ତିଶାଳୀ ଓ ଅଭିବ୍ୟକ୍ତିକୁ ପ୍ରଭାବଶାଳୀ କରିଥାଏ । ଏଣୁ ଜଣେ ଓଡ଼ିଆ ପିଲା ଅନେକ ଭାଷା ଜାଣିଲେ ତାହା ତା ପାଇଁ ଲାଭଦାୟକ। ଜଣେ ଶିଶୁ ଯେଉଁଠାରେ ପ୍ରତିପାଳିତ ହେଉ ନା କାହିଁକି ଯଦି ତା’ର ମାତାପିତା କିମ୍ବା ଅଭିଭାବକ ମାତୃଭାଷାରେ କଥାବାର୍ତ୍ତା କରିବେ, ପିଲାଟି ଭିତରେ ମାତୃଭାଷା ବଞ୍ଚିବ ଓ ସେ ତାହାକୁ ଆୟତ୍ତ କରିବ। ଏଣୁ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ମାତାପିତା ନିଜ ପିଲାଙ୍କ ସହ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତୁ ଏବଂ ପିଲା ଶୁଦ୍ଧ ଓଡ଼ିଆ କିପରି ଶିଖିବ, ଲେଖିବ ସେଥିପାଇଁ ସ୍କୁଲ ଓ ଘର ଭିତରେ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ। ଏଥିପାଇଁ ଭଲ ପୁସ୍ତକ ଯୋଗାଇଦେବାର ଆବଶ୍ୟକତା ମଧ୍ୟ ରହିଛି। ପଠନ ସ୍ପୃହା ଚେତନାକୁ ଉଜ୍ଜୀବିତ ଓ ସୃଜନଶୀଳ କରେ।
ବିଭିନ୍ନ କ୍ଷେତ୍ରରେ ସୃଜନୀଶକ୍ତି କମିଯାଉଥିବାରୁ ପଦ୍ମଶ୍ରୀ ଦାସ କ୍ଷୋଭପ୍ରକାଶ କରି କହିଲେ ଆଜିର ଅନେକ ଲେଖକ ଅନ୍ତଃପ୍ରେରଣା ବିନା ଏବଂ ମହତ୍‌ ଉଦ୍ଦେଶ୍ୟ ନ ରଖି ଲେଖାଲେଖିରେ ନିମଗ୍ନ ରହୁଥିବାରୁ ତାହା ଉପରଠାଉରିଆ ହୋଇଯାଉଛି ଏବଂ ସେଥିରୁ ପାଠକ ମୁହଁ ମୋଡ଼ି ଦେଉଛନ୍ତି। ସେହିପରି ବୈଦ୍ୟୁତିକ ମାଧ୍ୟମ ଜଗତରେ ବିପ୍ଳବ ଆସିଥିବାରୁ ବହୁ ଉଚ୍ଚକୋଟୀର ସାହିତ୍ୟକୃତିକୁ ନେଇ ଚଳଚ୍ଚିତ୍ର ଆଦି ନିର୍ମିତ ହେଉଛି। ଏହା ସ୍ୱାଗତଯୋଗ୍ୟ। ହେଲେ ଅନେକାଂଶରେ ମୂଳଲେଖାର ବାର୍ତ୍ତା ମାଡ଼ ଖାଇଯାଉଛି, ସୃଜନଶୀଳତାର ପରିଭାଷା ବଦଳରେ ଅନ୍ୟକିଛି ଏହାର ଜାଗା ନେଉଛି। ତା’ର କାରଣ ହେଲା ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ -ସଂଳାପକାର ନିଜ ଢାଞ୍ଚାରେ ଫିଲ୍ମ ନିର୍ମାଣ କରୁଛନ୍ତି, ଲେଖକୀୟ କଳାପାଟବତାକୁ ଉପେକ୍ଷା କରୁଛନ୍ତି। ଏ ଦିଗରେ ଗୁରୁତ୍ୱ ଦେବା ଅନିବାର୍ୟ୍ୟ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ