ଓଡ଼ିଶା ଓ ରେଳବାଇ

.

Published On: Jan 19, 2018 11:32 PM IST |   109

ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ବ୍ୟୟବରାଦ ଦାବି କରିବା ଏବଂ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ଭଲ କଥା। ସଂଘୀୟ ବ୍ୟବସ୍ଥାରେ ବେଳେବେଳେ ଶୋଇବା ପୁଅର ଭାଗ ନ’ଥାଏ ଭଳି କଥା ହୋଇଥାଏ। ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଗାମୀ ରେଳବଜେଟରେ ରାଜ୍ୟ ପାଇଁ ୬୫୦୦ କୋଟି ଟଙ୍କାର ଯେଉଁ ବ୍ୟୟବରାଦ ମାଗିଛନ୍ତି ତାହାକୁ କେବଳ ରାଜନୈତିକ ଦୃଷ୍ଟିରେ ବିଚାର କରାଯିବା ଅନୁଚିତ। ଅବଶ୍ୟ ଏକଥା ସତଯେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଓଡ଼ିଶା ରେଳବଜେଟରେ ଅଧିକ ଅର୍ଥ ପାଇଆସୁଛି। ତେବେ ଭୂମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିଳମ୍ବ କାରଣରୁ ବରାଦ ହୋଇଥିବା ଅର୍ଥ ପ୍ରାୟତଃ ଖର୍ଚ୍ଚ ହୋଇପାରୁନାହିଁ। ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ପ୍ରତିବନ୍ଧକ ସୃଷ୍ଟି କରୁଛି।


ସ୍ବତନ୍ତ୍ର ରେଳବଜେଟର ଉଚ୍ଛେଦ ହୋଇଥିବାରୁ ସାଧାରଣ ବଜେଟରେ ରେଳବାଇ ଯେଉଁ ଅର୍ଥ ପାଇବ ତାହାକୁ ବିଭିନ୍ନ ପ୍ରକଳ୍ପ ପାଇଁ ବାଣ୍ଟିବ ଏବଂ ତଦନୁସାରେ ରାଜ୍ୟମାନଙ୍କୁ ଅର୍ଥ ଯୋଗାଇ ଦିଆଯିବ। ଏଭଳି ସ୍ଥିତିରେ ରେଳମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ସହଜ ହୋଇନ’ପାରେ। ତଥାପି କେନ୍ଦ୍ର ସରକାର ଚାହିଁଲେ ଅର୍ଥ ଯୋଗାଣରେ ଅସୁବିଧା ରହିବନାହିଁ। ଓଡ଼ିଶା ଦେଶର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ସବୁଠୁ ଅଧିକ ଅଭିବୃଦ୍ଧିଶୀଳ ଏବଂ ଏହାର ଖଣିଜସଂପଦ ଉତ୍ସ ଓ ଭୌଗୋଳିକ ସ୍ଥିତି ଏଥିପାଇଁ ବିଶେଷ ସହାୟକ ହୋଇଛି। ଗୋଟିଏ ରାଜ୍ୟର ବିକାଶରେ ରେଳ ଭିତ୍ତିଭୂମିର ଆବଶ୍ୟକତା ଓ ଗୁରୁତ୍ବ ବୁଝାଇ କହିବାର ଆବଶ୍ୟକତା ନାହିଁ। ଏହା କେବଳ ଓଡ଼ିଶାର ବିକାଶଧାରାକୁ ତ୍ବରାନ୍ବିତ କରିବ ନାହିଁ, ଦେଶର ସାମାଜିକ-ଆର୍ଥିକ-ଶିଳ୍ପଗତ ଉତ୍‌ଥାନରେ ଏକ ଅଣୁଘଟକର ଭୂମିକା ନିର୍ବାହ କରିବ।
ଓଡ଼ିଶାର ରେଳପଥ ବିସ୍ତାର ଜାତୀୟ ହାରଠାରୁ କମ୍‌ ଥିବାବେଳେ ଏହା କେନ୍ଦ୍ରୀୟ ରେଳପାଣ୍ଠିକୁ ଅପେକ୍ଷାକୃତ ବହୁ ଅଧିକ ରାଜସ୍ବ ଦେଉଛି। ତେଣୁ ମୁଖ୍ୟମନ୍ତ୍ରୀ ଯାହାସବୁ ମାଗିଛନ୍ତି ତାହାକୁ ରାଜନୈତିକ ଦୃଷ୍ଟିରୁ ନ’ଦେଖି କେନ୍ଦ୍ର ବାସ୍ତବତା ଦୃଷ୍ଟିରୁ ବିଚାର କରିବା ଉଚିତ। ସବୁଇଚ୍ଛା ତ’ ପୂରଣୀୟ ନୁହେଁ; ତଥାପି ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରେଳବାଇ ଆଗାମୀ ବଜେଟରେ ଓଡ଼ିଶା ପ୍ରତି ଯଥାର୍ଥ ଧ୍ୟାନ ଦେବବୋଲି ଆଶା କରିବା।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ