ମକର ସଂକ୍ରାନ୍ତି ପାଇଁ ସାରା ଦେଶ ଉତ୍ସବ ମୁଖର

ଭିନ୍ନତା ମଧ୍ୟରେ ଏକତା - ଭିନ୍ନ ଭିନ୍ନ ନାମରେ ପାଳିତ ହେଉଛି ଗୋଟିଏ ପର୍ବ

Copy Editor AH | Published On: Jan 14, 2018 05:40 PM IST | Updated On: Jan 14, 2018 06:02 PM IST |   91


 
ନୂଆଦିଲ୍ଲୀ : ଆଜି ପବିତ୍ରି ମକର ସଂକ୍ରାନ୍ତି । ଶୀତ ଋତୁର ଶେଷ ସମୟ ଏବଂ ଫସଲ ଅମଳ ଋତୁରେ ପାଳିତ ହେଉଥିବା ଏହି ପର୍ବ ଦେଶର ବିଭିନ୍ନ ଭାଗରେ ଭିନ୍ନ-ଭିନ୍ନ ନାମରେ ପାଳନ କରାଯାଉଛି । ତାମିଲନାଡୁରେ ଏହାକୁ ପୋଙ୍ଗଲ, ଗୁଜରାଟରେ ଉତ୍ତରାୟଣ, ଆସାମରେ ଭୋଗଲି ବିହୁ ଓ ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି । ଉତ୍ତର ପ୍ରଦେଶରେ ଲୋକମାନେ ଆହ୍ଲାବାଦ୍‌ ସଂଗମ ସ୍ଥଳରେ ପବିତ୍ର ବୁଡ଼ ପକାଉଛନ୍ତି । ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ତ୍ରିବେଣୀ ସଂଗମ ସ୍ଥଳୀରେ ମକର ସଂକ୍ରାନ୍ତି ଉପଲକ୍ଷେ ଲୋକମାନେ ପବିତ୍ର ବୁଡ଼ ପକାଇ ପୁଣ୍ୟ ଅର୍ଜନ କରୁଛନ୍ତି । ଆସାମର ଲୋକମାନେ ଆନନ୍ଦ ଉଲ୍ଲାସର ସହିତ ଭୋଗଲି ବିହୁ ଉତ୍ସବ ପାଳନ କରୁଛନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।


ମକର ସଂକ୍ରାନ୍ତି ଅବସରରେ ତାମିଲନାଡୁରେ ଲୋକମାନେ ସୂର୍ଯ୍ୟ ଓ ଗୋମାତାଙ୍କୁ ପୂଜା କରୁଛନ୍ତି । ଏହି ଅବସରରେ ସେମାନେ ସୁସ୍ୱାଦୁ ମିଷ୍ଟାନ୍ନ ପ୍ରସ୍ତୁତ କରିଛନ୍ତି । ମଦୁରାଇ ନିକଟ ଆଲାଙ୍ଗାନାଲୁର ଓ ପାଲାମେଡୁରେ ଜଲ୍ଲିକାଟୁ ବା ଷଣ୍ଢ ଳଢେଇ ଅନୁଷ୍ଠିତ ହେଉଛି । ତେବେ ପ୍ରାଣୀମାନଙ୍କ ପ୍ରତି ଯେପରି ନିଷ୍ଠୁରତା ପ୍ରଦର୍ଶନ କରା ନ ଯାଏ ସେଥି ପ୍ରତି ଧ୍ୟାନ ଦିଆଯାଇଛି । ପଶ୍ଚିମବଙ୍ଗରେ ପୌଷ ପୂର୍ଣ୍ଣମୀ ଉପଲକ୍ଷେ ଲୋକମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ସୂର୍ଯ୍ୟ ଉପାସନା କରିଛନ୍ତି । ନେପାଳ ସମେତ ଦେଶର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୨୦ଲକ୍ଷ ଶ୍ରଦ୍ଧାଳୁ ବଙ୍ଗୋପସାଗର ଓ ହୁଗୁଳି ନଦୀର ସଂଗମ ସ୍ଥଳ ଗଙ୍ଗାସାଗର ମେଳାରେ ପବିତ୍ର ବୁଡ଼ ପକାଇଛନ୍ତି । ମକର ସଂକ୍ରାନ୍ତି ଅବସରରେ ହିମାଚଳ ପ୍ରଦେଶରେ ହଜାର ହଜାର ଶ୍ରଦ୍ଧାଳୁ ସିମଳା ନିକଟରେ ତାତାପାନି ଏବଂ କୁଲୁ ଜିଲାର ମଣିକର୍ଣ୍ଣ ଏବଂ ବଶିଷ୍ଟ ଘାଟରେ ପବିତ୍ର ବୁଡ ପକାଇଛନ୍ତି ।


ଗୁଜରାଟରେ ଏହାକୁ ଧାର୍ମୀକ ପରମ୍ପରା ସହ ଉତ୍ତରାୟଣ ଭାବେ ପାଳନ କରାଯାଉଥିବା ବେଳେ, ଗୁଡି ଉଡାକୁ ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରାଯାଇଥାଏ । ସେହିପରି ରାଜସ୍ତାନରେ ଲୋକେ ପାରମ୍ପରିକ ରୀତିରେ ସକାଳୁ ସ୍ନାନ ସହିତ ଦାନ ଧର୍ମ କରି ମକର ସଂକ୍ରାନ୍ତି ପାଳନ କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


ରାଜ୍ୟର ପୁରପଲ୍ଳୀରେ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ମକର ସଂକ୍ରାନ୍ତି ପାଳନ କରାଯାଉଛି । ସୂର୍ଯ୍ୟ ଉପାସନା ସହିତ ଦେବବେଦୀ ମନ୍ଦିରରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ନୂଆ ଅରୁଆ ଚାଉଳ, ଗୁଡ, କଦଳୀ, ଘିଅରେ ପ୍ରସ୍ତୁତ ମକର ଚାଉଳ ଠାକୁରଙ୍କୁ ଅର୍ପଣ କରାଯାଇଛି । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । କଟକ ସମେତ ବିଭିନ୍ନ ସହରର ଆକାଶରେ ରଙ୍ଗ ବେରଙ୍ଗ ଗୁଡିର ସମାହାର ଦେଖିବାକୁ ମିଳିଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।