ପ୍ରଧାନବିଚାରପତିଙ୍କ ପଦକ୍ଷେପକୁ ଅପେକ୍ଷା

ବିଚାର ବ୍ୟବସ୍ଥାରେ ନୂଆମୋଡ଼ ଆଣିବ ଆଗମୀ ସପ୍ତାହ

Copy Editor AH | Published On: Jan 13, 2018 10:04 PM IST |   164

ପ୍ରତିନିଧିମଣ୍ଡଳୀ ଗଢ଼ିଲା ବାର୍‌ କାଉନ୍‌ସିଲ ,୧୫ ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ: ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ : ଭାରତୀୟ ବିଚାର ବ୍ୟବସ୍ଥାର ଇତିହାସରେ ଆଗାମୀ ସପ୍ତାହଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାରିଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହର ସମାଧାନ ପାଇଁ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ପଦକ୍ଷେପକୁ ସାରା ଦେଶ ଅପେକ୍ଷା କରିଛି। ଇତିମଧ୍ୟରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଏବଂ ବିଭିନ୍ନ ବାର୍‌ ଆସୋସିଏସନ୍‌ ସମେତ ବରିଷ୍ଠ ଆଇନ ବିଶାରଦମାନେ ଏ ବିଷୟରେ ବିଚାରବିମର୍ଶ କରିଛନ୍ତି।


ପ୍ରଧାନବିଚାରପତିଙ୍କ ସମ୍ଭାବ୍ୟ ପଦକ୍ଷେପ ମଧ୍ୟରେ ପୂର୍ଣ୍ଣପୀଠ ଡକାଯିବା ବିଷୟରେ ଆଇନଜ୍ଞମାନେ ଚର୍ଚ୍ଚା କରୁଥିବାବେଳେ ସୁପ୍ରିମକୋର୍ଟର ପ୍ରାଶାସନିକ ବ୍ୟାପାର ବିଶେଷତଃ ମୋକଦ୍ଦମା ନ୍ୟସ୍ତ କରିବା ଧାରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅପରପକ୍ଷରେ ୪ ବରିଷ୍ଠ ବିଚାରପତି ସିଧାସଳଖ ସାମ୍ବାଦିକ ସମ୍ମିଳନୀ ଡାକିବା ନେଇ ଶୃଙ୍ଖଳାଗତ ପ୍ରଶ୍ନ ମଧ୍ୟ କେହି କେହି ଉଠାଇଛନ୍ତି। ମୋଟାମୋଟି ଭାବରେ ଚଳିତ ସପ୍ତାହରେ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନିଷ୍ପତ୍ତି ଭାରତୀୟ ବିଚାର ବ୍ୟବସ୍ଥା ପ୍ରତି ସର୍ବାଧିକ ଗୁରୁତ୍ୱ ବହନ କରେ।


ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଓ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଦୂର କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆ(ବିସିଆଇ) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ ନେଇ ଶନିବାର ସନ୍ଧ୍ୟାରେ ବାର୍‌ କାଉନସିଲ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ୟାର ସମାଧାନ ପାଇଁ କାଉନସିଲ ପକ୍ଷରୁ ସର୍ବସମ୍ମତିକ୍ରମେ ୭ ଜଣିଆ ପ୍ରତିନିଧିମଣ୍ଡଳୀ ଗଠନ କରାଯାଇଛି। ଏହି ପ୍ରତିନିଧିମଣ୍ଡଳୀ ଆସନ୍ତାକାଲି(ରବିବାର) ସକାଳ ୯ଟାରେ ସୁପ୍ରିମ୍‌କୋର୍ଟର ମୁଖ୍ୟବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ଭେଟି ସମସ୍ୟାର କିପରି ସମାଧାନ ହୋଇ ପାରିବ ସେ ସଂକ୍ରାନ୍ତରେ ଆଲୋଚନା କରିବେ। ଏହି ପ୍ରତିନିଧିମଣ୍ଡଳୀ ଆସନ୍ତାକାଲି ସୁପ୍ରିମ୍‌କୋର୍ଟର ସମସ୍ତ ବିଚାରପତିଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ଅର୍ଦ୍ଧାଧିକ ବିଚାରପତି ସେମାନଙ୍କୁ ଭେଟିବା ପାଇଁ ସମୟ ଦେଇଛନ୍ତି। ଆଉ କେତେଜଣ ନୂଆଦିଲ୍ଲୀ ବାହାରେ ଥିବାରୁ ଫୋନଯୋଗେ ସେମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିବା ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି। ବୈଠକ ପରେ ବିସିଆଇ ଅଧ୍ୟକ୍ଷ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆମେ ଆମର ଭାବନା ବିଚାରପତିମାନଙ୍କୁ ଅବଗତ କରାଇବୁ। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରର ନ୍ୟାୟପାଳିକାର ମର୍ଯ୍ୟାଦା ଯେପରି କ୍ଷୁଣ୍ଣ ନହୁଏ ସେଥି ପାଇଁ ଆମେ ଉଦ୍ୟମ କରିବୁ। କେତେକ ନେତା ଏହାକୁ ରାଜନୀତିକରଣ କରୁଥିବାରୁ କାଉନସିଲ ସେମାନଙ୍କୁ ଭର୍ତ୍ସନା କରିବା ସହ ଏପରି ନକରିବା ପାଇଁ ଚେତାବନୀ ଦେଇଛି। ଏହି ଘଟଣାକୁ ନ୍ୟାୟପାଳିକାର ଆଭ୍ୟନ୍ତରୀଣ ମାମଲା କହି ପ୍ରଧାନମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଦୂରେଇଯିବା ପ୍ରସଙ୍ଗକୁ କାଉନସିଲ ପକ୍ଷରୁ ସ୍ୱାଗତ କରାଯାଇଛି।


ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ମଦନ ବି. ଲୋକୁର ଓ ଜଷ୍ଟିସ୍‌ କୁରିଏନ ଯୋଶେଫ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅଦାଲତର ପ୍ରଶାସନିକ ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ସହ ମୁଖ୍ୟବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଦେଶର ନ୍ୟାୟପାଳିକା ଇତିହାସରେ ଏହି ପ୍ରଥମ ଘଟଣା ସଂପ୍ରତି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

୧୫ ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ : ଆଟର୍ଣ୍ଣି ଜେନେରାଲ


ପ୍ରଧାନ ବିଚାରପତିଙ୍କ ବିରୋଧରେ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଗଣମାଧ୍ୟମ ସମ୍ମୁଖରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆସନ୍ତା ସୋମବାର ସୁଦ୍ଧା ବିଚାରପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନୋମାଳିନ୍ୟ ଦୂର ହୋଇଯିବ ବୋଲି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଆଶାବ୍ୟକ୍ତ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ସବୁ ବିଚାରପତି ଏକଜୁଟ ହେବେ ବୋଲି ବେଣୁଗୋପାଳ କହିଛନ୍ତି। ଏହି ଘଟଣା ଯେପରି ଅତିରଞ୍ଜିତ ନ ହୁଏ, ସେଥିପ୍ରତି ସରକାର ସତର୍କ ଦୃଷ୍ଟି ରଖିଥିବା ସେ କହିଛନ୍ତି। ଶୁକ୍ରବାରର ଏହି ଘଟଣାରେ ସରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ ମିଶ୍ର ଶନିବାର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ତାଙ୍କ ବାସଭବନରେ ଭେଟିବାପରେ ଏହାକୁ ନେଇ ବିଭିନ୍ନ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସରକାର ଭିତିରିଆ ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ସେ ବ୍ୟକ୍ତିଗତ କାର୍ଯ୍ୟରେ ପ୍ରଧାନ ବିଚାରପତିଙ୍କୁ ଭେଟିଛନ୍ତି ବୋଲି ଶ୍ରୀ ମିଶ୍ର କହିବାପରେ ଏହି ଆଲୋଚନାର ପରିସମାପ୍ତି ଘଟିଛି।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ