ପୁଲିସକୁ ଆକ୍ରମଣ ବିଜେପିକୁ ମହଙ୍ଗା ପଡ଼ିଲା

୨୫ନେତାଙ୍କ ନାଁରେ ମାମଲା, ୪ଗିରଫ

Copy Editor RKD | Published On: Jan 13, 2018 02:02 AM IST |   302

କଟକ : କଟକ ମହାନଗର ନିଗମ(ସିଏମସି)ର ସ୍ଥାଣୁତା ଓ ଅପାରଗତା ନେଇ ଗତକାଲି ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସକୁ ଆକ୍ରମଣ କରିବା ବିଜେପି ନେତାଙ୍କ ପାଇଁ ମହଙ୍ଗା ପଡିଛି। ପୁଲିସକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨୫ରୁ ଊର୍ଦ୍ଧ୍ବ ବିଜେପି ନେତାଙ୍କ ନାଁରେ ପୁଲିସ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ୩୦୭ ଦଫା ଲଗାଇଛି। ଏହି ମାମଲାରେ ପୁଲିସ ଶୁକ୍ରବାର ନଗର ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନ, ନଗର ଯୁବମୋର୍ଚ୍ଚା ସଭାପତି ଜ୍ୟୋତିରଞ୍ଜନ ପଲେଇ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ସିକନ୍ଦର ଅଲ୍ଲୀଙ୍କୁ ଗିରଫ କରିଛି। ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ପୁଲିସ ଅନ୍ୟ ଅଭିଯୁକ୍ତ ବିଜେପି ନେତାଙ୍କୁ ଗିରଫ କରିବା ସକାଶେ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ପୁଲିସର ଏପରି ଆକ୍ରୋଶମୂଳକ କାର୍ୟ୍ୟାନୁଷ୍ଠାନକୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଦୃଢଭାବେ ନିନ୍ଦା କରିଛନ୍ତି। ସହରବାସୀ ଦୁର୍ଦିନରେ କାଳାତିପାତ କରୁଛନ୍ତି। ବିକାଶ ନାଁରେ କଟକ ଶ୍ରୀହୀନ ହୋଇପଡିଲାଣି। ବିଭିିନ୍ନ ଯୋଜନାରେ ଆସୁଥିବା କୋଟିକୋଟି ଟଙ୍କା ବିଜେଡି ନେତା ଓ ପ୍ରଶାସକଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ୍‌ ହୋଇଚାଲିଛି। ସହରବାସୀଙ୍କ ସମସ୍ୟା ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ପୁଲିସ ଶାସକ ଦଳର ହାତବାରସି ସାଜିଛି। ପୁଲିସ ମାଡରେ ଅନେକ ବିଜେପି ନେତା ଆହତ ହୋଇଛନ୍ତି; କିନ୍ତୁ ପୁଲିସକୁ ଆକ୍ରମଣ ଅଭିଯୋଗରେ ପୁଲିସ ଯେପରି ଦମନଲୀଳା ଚଳାଇଛି ଆଗାମୀ ଦିନରେ କଟକବାସୀ ତାହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ସିଏମସିର ଅପାରଗତା ଯୋଗୁଁ ସହରବାସୀ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଜାଇକା ଯୋଜନାରେ ଜାଣିଶୁଣି ସ୍ୱେରେଜ ଓ ଡ୍ରେନେଜ ନିର୍ମାଣ କାର୍ୟ୍ୟ ମନ୍ଥର ଗତିରେ ଚାଲିଛି। ସିଏମସିର ସ୍ଥାଣୁତା ପ୍ରତିବାଦରେ ବିଜେପି ପକ୍ଷରୁ ଗତକାଲି ସିଏମସି କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଅତିରିକ୍ତ ଡିସିପି ଗୁପ୍ତ ମହାକୁଡ ଓ ଅନ୍ୟ ଜଣେ କନଷ୍ଟେବଳ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ବିଜେପିର ପୂର୍ବତନ ମନ୍ତ୍ରୀ ସମୀର ଦେ, ନୟନକିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ, ନଗର ସଭାପତି ଶ୍ରୀ ପ୍ରଧାନ, ଶ୍ରୀ ଘୋଷ, ଶ୍ରୀ ପଲେଇଙ୍କ ସମେତ ୨୫ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ଏହାର ପ୍ରତିବାଦରେ ଗତକାଲି ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ପୁରୀଘାଟ ଥାନା ଘେରାଉ କରାଯାଇଥିଲା। ତୁରନ୍ତ ମାମଲା ପ୍ରତ୍ୟାହାର ସହିତ ଅଟକ ବିଜେପି କର୍ମୀଙ୍କୁ ଛାଡିଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କ ଦାବିପ୍ରତି କର୍ଣ୍ଣପାତ କରିନଥିଲା। ଗତକାଲି ଅଟକ ଥିବା ୪ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିଲା। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଚଳାଇଥିବାରୁ ଗିରଫ ସଂଖ୍ୟା ବଢିବା ସମ୍ଭାବନା ରହିଛି।

Tags:

Like Us

Breaking News

ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର