ଭାରତ ଉପରେ ପରମାଣୁ ଆକ୍ରମଣ ନେଇ ସେନାମୁଖ୍ୟଙ୍କ ଆଶଙ୍କା

ଭାରତ ଉପରେ ପରମାଣୁ ଆକ୍ରମଣ ନେଇ ସେନାମୁଖ୍ୟଙ୍କ ଆଶଙ୍କା

Copy Editor RKD | Published On: Jan 12, 2018 11:25 PM IST |   982

ନୂଆଦିଲ୍ଲୀ : ଭାରତ ଉପରେ ପରମାଣୁ ଆକ୍ରମଣ ହେବା ନେଇ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଆଶଙ୍କା ପ୍ରକାଶ କରିଛନ୍ତି । ବିଶେଷକରି ଚୀନ ପଟୁ ଏହି ଆକ୍ରମଣ ହୋଇପାରେ ବୋଲି ସେ କହିଛନ୍ତି । ଏହି ଶତ୍ରୁ ରାଷ୍ଟ୍ର ପ୍ରତ୍ୟକ୍ଷ ଭାବେ ଭାରତ ଉପରେ ଅଣୁଅସ୍ତ୍ର ପ୍ରୟୋଗ ପରିବର୍ତ୍ତେ ଆତଙ୍କବାଦୀ ସଂଗଠନ କିମ୍ବା ଅନ୍ୟ ବେସରକାରୀ ସଂଗଠନ ଦ୍ୱାରା ପ୍ରୟୋଗ କରିପାରନ୍ତି । ଭାରତ ସୀମା ମଧ୍ୟକୁ ଚୀନର ଅନୁପ୍ରବେଶ ଉପରେ ଉଦ୍‌ବେଗ ପ୍ରକାଶ ପୂର୍ବକ ସେନାମୁଖ୍ୟ ଶୁକ୍ରବାର ଏହା କହିଛନ୍ତି । ତେବେ ଚୀନର ଏହି ଯୋଜନାକୁ ଭାରତ କେବେହେଲେ ସଫଳ ହେବାକୁ ଦେବ ନାହିଁ ବୋଲି ସେ କହିଛନ୍ତି । କାରଣ ଚୀନ ପରି ଭାରତ ମଧ୍ୟ ଏକ ଶକ୍ତିଶାଳୀ ରାଷ୍ଟ୍ର ।
ସେନାମୁଖ୍ୟ କହିଛନ୍ତି ଯେ ଭାରତ ସୀମା ମଧ୍ୟରେ ଚୀନ ନିଜର ଆଧିପତ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି । ମାତ୍ର ଏହି ଯୋଜନାକୁ ଭାରତ କେବେହେଲେ ସଫଳ ହେବାକୁ ଦେବ ନାହିଁ । ଏପରି ସମୟରେ ଭାରତ ତାର ସାମରିକ ଶକ୍ତିକୁ ଉତ୍ତର ସୀମାରେ ଦୃଢ କରିବା ଦରକାର । ସେ କହିଛନ୍ତି ଯେ ଆତଙ୍କବାଦୀ କିମ୍ବା ଅଣ ସରକାରୀ ସଂଗଠନଗୁଡିକ ଦ୍ୱାରା ଅଣୁଅସ୍ତ୍ର ପ୍ରୟୋଗ ହେବାର ଆଶଙ୍କା । ରାସାୟନିକ, ଜୈବିକ ଓ ଅଣୁ (ସିଆରବିଏନ୍‌) ଅସ୍ତ୍ର ପ୍ରୟୋଗ ଦ୍ୱାରା ଭାରତ ବହୁତ କ୍ଷତି ହେବ । ଏଥିରେ ଅନେକ ଜୀବନ ହାନି ହେବା ସହ ଧନ, ସମ୍ପତ୍ତି ନଷ୍ଟ ହେବ । ଚୀନର ଏପରି ଯୋଜନା ମୁକାବିଲା କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ରହିଛି ବୋଲି ଜେନେରାଲ ରାୱତ କହିଛନ୍ତି । ସେ କହିଛନ୍ତି ଯେ ଚୀନ ସୀମାରେ ଭାରତ ସୈନିକ ସର୍ବଦା ତୀକ୍ଷ୍ମ ନଜର ରଖିଛନ୍ତି ।
ଏପରିସ୍ଥିତିରେ ଭାରତ ଏହାର ସାମରିକ ଶକ୍ତି ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସେନାମୁଖ୍ୟ କହିଛନ୍ତି । ବିଶେଷକରି ଅସ୍ତ୍ରଶସ୍ତ୍ର ପରିବହନ ଦିଗ ଉପରେ ଗୁରୁତ୍ୱ ଦିଆଯିବା ଦରକାର । ବର୍ତ୍ତମାନ ସମୟରେ ଭାରତ ପଶ୍ଚିମ ସୀମା ପରିବର୍ତ୍ତେ ଉତ୍ତର ସୀମାରେ ନିଜର ଶକ୍ତି ବଦ୍ଧି କରିବା ଦରକାର । ଏପରିକି ପଶ୍ଚିମ ସୀମାରୁ ଉତ୍ତର ସୀମାକୁ ଯେପରି ସୈନିକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇପାରି ତା’ର ବ୍ୟବସ୍ଥା ହେବା ଦରକାର । ସିକ୍କିମ ସୀମାରେ ନିୟୋଜିତ ଭାରତୀୟ ସୈନିକମାନଙ୍କ ଦାବିକୁ ସରକାର ପୂରଣ କରିଥିବା ସେନାମୁଖ୍ୟ ସୂଚନା ଦେଇଛନ୍ତି । ଏଠାକାର ସୀମାନ୍ତ ପୋଷ୍ଟରେ ମୁତୟନ ସୈନିକଙ୍କୁ ଅତ୍ୟାଧୁନିକ ବୁଲେଟ ପ୍ରୁଫ ହେଲମେଟ ଯୋଗାଇ ଦିଆଯାଇଛି । ଚୀନ ସୈନିକମାନେ ନିଜକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିଥିବାବେଳେ ଭାରତ ମଧ୍ୟ ଏଦିଗରେ ଅନୁରୂପ ଉନ୍ନତି ଆଣିବା ଦରକାର ।
ପାକିସ୍ତାନକୁ ଆମେରିକାର ସାମରିକ ସହାୟତା ବନ୍ଦ ସମ୍ପର୍କରେ ମଧ୍ୟ ସେନାମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତ ଭାବିବା ଉଚିତ୍‌ ନୁହେଁ ଯେ ଆମେରିକା ଏହାର ସମସ୍ତ କାମକୁ ତୁଲାଇନେବ । ଆମେରିକାର ସାମରିକ ସହାୟତା ବନ୍ଦ ଦ୍ୱାରା ପାକିସ୍ତାନ କେତେ ପ୍ରଭାବିତ ହେଉଛି ତାକୁ ଭାରତ ଆକଳନ କରିବା ଦରକାର । ଆମେ ଯାହା କରିବାକୁ ଚାହୁଁଛେ ତାକୁ ଆମେରିକା କରିବ ବୋଲି ଭାରତ ଭାବିବ ଉଚିତ ନୁହେଁ । ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ଉପରେ ଭାରତ ଦୃଢ ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ବୋଲି ସେନାମୁଖ୍ୟ କହିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।