ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡ଼ିଶା ପ୍ରଥମ

ମୟୂରଭଞ୍ଜରେ ସର୍ବାଧିକ ସଫଳତା

Copy Editor AH | Published On: Jan 12, 2018 10:53 PM IST |   175



ଭୁବନେଶ୍ୱର  : ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ସାରା ଦେଶରେ ଆଗୁଆ ରହିଛି। ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ୨୦୦୬ରୁ ଆଇନ ପ୍ରଣୟନ ହେବାଠାରୁ ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶା ସରକାର ୪ଲକ୍ଷ ୧୨ହଜାର ୮୭୧ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ବା ପଟ୍ଟା ପ୍ରଦାନ କରିଛି; ଯାହା ସାରା ଦେଶରେ ସର୍ବାଧିକ। ସେହିପରି ୬୨୮ଜଣ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ମୋଟ ୬ଲକ୍ଷ ୨୮ହଜାର ୩୪୬ଜଣ ଆବେଦନକାରୀଙ୍କ ମଧ୍ୟରୁ ଉପରୋକ୍ତ ସଂଖ୍ୟକଙ୍କୁ ଜମି ଅଧିକାର ପ୍ରଦାନ ଜନିତ କାର୍ଯ୍ୟାନ୍ୱୟନ ହାର ଦୃଷ୍ଟିରୁ ମଧ୍ୟ ଓଡ଼ିଶା ଶୀର୍ଷରେ ରହିଛି। କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଓଡ଼ିଶା ପଛକୁ ଛତିଶଗଡ଼, ମଧ୍ୟପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନା ରହିଛି।


ଜଙ୍ଗଲ ଜମିରେ ୨୦୦୫ ଡିସେମ୍ବର ୧୩ତାରିଖ ପୂର୍ବରୁ, ତିନି ପୁରୁଷ ଧରି ବା ଅନ୍ୟୂନ ୭୫ବର୍ଷ ବସବାସ କରିଥିବା ଆଦିବାସୀ କିମ୍ବା ଅଣଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ପାଇଁ ଆଇନଗତ ବ୍ୟବସ୍ଥା ରହିଛି। ଏହି ଅନୁସାରେ ଉପରୋକ୍ତ ସଂଖ୍ୟାରେ ଅଧିକାର ପ୍ରଦାନ କରିଥିବା ସୂଚନା ମିଳିଛି। କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ନିକଟରେ ସଂସଦରେ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଅକ୍ଟୋବର, ୨୦୧୭ ସୁଦ୍ଧା ଓଡ଼ିଶା ଉଭୟ ବ୍ୟକ୍ତିଗତ ଓ ଦାବି ଅନୁସାରେ ଜମି ଅଧିକାର ପ୍ରଦାନ ହାର ଦୃଷ୍ଟିରୁ ଶୀର୍ଷରେ ରହିଛି। କେବଳ ସେତିକି ନୁହେଁ; ଓଡ଼ିଶା ସରକାର ୫୯୬୪ଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ପଟ୍ଟା ଆକାରରେ ୨ଲକ୍ଷ ୪୭ହଜାର ୧୧୦ହେକ୍ଟର ଜମି ପ୍ରଦାନ କରାଯାଇଥିବାବେଳେ ଅନ୍ୟମାନଙ୍କୁ ୪୯୦ହେକ୍ଟର ଜମିର ପଟ୍ଟା ବଣ୍ଟନ କରାଯାଇଛି। ସେହିପରି ଗୋଷ୍ଠୀ ଅରଣ୍ୟ ସମ୍ପଦ ଅଧିକାର କ୍ଷେତ୍ରରେ ବନବାସୀଙ୍କୁ ମୋଟ ୧୩ଲକ୍ଷ ୩୦୩୨ହେକ୍ଟର ଜମି ବଣ୍ଟନ କରାଯାଇଛି। ଉଭୟ ବାବଦରେ ଯଥାକ୍ରମେ ୬ଲକ୍ଷ ୯୫୫୩ଏକର ଓ ୩ଲକ୍ଷ ୨୭୧୭୧ଏକର ଜମି ପ୍ରଦାନ କରାଯାଇଛି। ଓଡ଼ିଶାର ସମସ୍ତ ଜିଲାରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ ହୋଇଥିବାବେଳେ ମୟୂରଭଞ୍ଜ ଜିଲାରେ ଏହା ସର୍ବାଧିକ ସଫଳତା ଲାଭ କରିଛି। ଏହି ଜିଲାର ୪୯୦୦୮ ବନବାସୀଙ୍କୁ ମୋଟ ୧୩ହଜାର ୩୧୭ହେକ୍ଟର ଜମି ପଟ୍ଟା ବଣ୍ଟନ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ