ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଓଡ଼ିଶା ଏକ ନମ୍ବର

୨୦୧୭ରେ ନିର୍ମାଣ ହୋଇଛି ୪୩,୨୨୨କିମି ରାସ୍ତା

Copy Editor AH | Published On: Jan 12, 2018 10:23 PM IST | Updated On: Jan 12, 2018 10:33 PM IST |   414


ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଜାତୀୟସ୍ତରରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ବୈଠକରୁ ଏହା ଜଣାପଡ଼ିଛି । ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମ ଉନ୍ନୟନ ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ।


ଯୋଜନାର ଅଗ୍ରଗତି ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅଧିକ ୩୫୦୦କିମି ରାସ୍ତା ନିର୍ମାଣ ପୂର୍ଣ୍ଣାଙ୍ଗ କରିବା, ରାସ୍ତା ନିର୍ମାଣରେ ନୂତନ ସବୁଜ ଜ୍ଞାନକୌଶଳର ବ୍ୟବହାର ଏବଂ ନିର୍ମାଣର ଗୁଣାତ୍ମକ ମାନ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଗ୍ରାମ ଉନ୍ନୟନ ବିଭାଗର ଯନ୍ତ୍ରୀ ମୁଖ୍ୟ ଭରତଚନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୭ ଡ଼ିସେମ୍ବର ସୁଦ୍ଧା ରାଜ୍ୟରେ ସମୁଦାୟ ୧୮୬୨୪ କୋଟି ଟଙ୍କା ବିନିଯୋଗ କରାଯାଇ ୪୩,୨୨୨କିମି ରାସ୍ତା ନିର୍ମାଣ କରାଯାଇଛି । ଏହାଫଳରେ ୧୯,୮୬୨ଟି ଗ୍ରାମକୁ ସଡ଼କ ସଂଯୋଗ କରାଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫୦୦କିମି ରାସ୍ତା ସମ୍ପୂର୍ଣ୍ଣ ହେବା ସହିତ ନୂତନ ରାସ୍ତାଗୁଡ଼ିକର କାମ ତ୍ୱରାନ୍ୱିତ କରାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଅଧିକ ୩୫୦୦କିମି ରାସ୍ତା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ ।


ବୈଠକରେ ପ୍ରାୟ ୫୦୦କୋଟି ଟଙ୍କା ଅଟକଳରେ ନୂତନ ୧୬୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା । ଏଥିରେ ୩୬ଟି ପୋଲ ନିର୍ମାଣ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୫୮୨କିମି ରାସ୍ତାର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୧୯,୭୬୫କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତନ୍ମଧ୍ୟରୁ ଡିସେମ୍ବର ଶେଷ ସୁଦ୍ଧା ପ୍ରାୟ ୧୮୬୨୪କୋଟି ଟଙ୍କା ବିନିଯୋଗ କରାଯାଇଛି । ଇଞ୍ଜିନିୟର ଶ୍ରୀ ପ୍ରଧାନ ରାସ୍ତା ନିର୍ମାଣରେ ଅଧିକ ଫଳପ୍ରସୂ ନୂତନ ସବୁଜ ଜ୍ଞାନକୌଶଳ ଯୋଜନା ଉପସ୍ଥାପନ କରିଥିଲେ । କୋଲ୍‌ଡ଼ ମିକ୍ସ, ରୋଲର କମ୍ପାଟେଡ଼ କଂକ୍ରିଟ ପେଭମେଣ୍ଟ, ପାନେଲ କଂକ୍ରିଟ, ଆଇରନ ସ୍ଲାଗ, ଟେରାଜାଇମ କମ୍ପାଉଣ୍ଡ, ପ୍ଲାଷ୍ଟିକ ବର୍ଜ୍ୟ, ନାନୋ ଟେକ୍ନୋଲୋଜି ଆଦି କୌଶଳ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଏହି କୌଶଳଗୁଡ଼ିକ ନିର୍ମାଣ ମୂଲ୍ୟ ଓ ସମୟ ଦୃଷ୍ଟିରୁ ଅଧିକ ଉପଯୋଗୀ ହେବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଥିଲେ । ଏହି କୌଶଳଗୁଡ଼ିକ ପ୍ରୟୋଗ କରି ରାଜ୍ୟରେ ପ୍ରାୟ ୯୫୪କିମି ରାସ୍ତା ସଫଳତାର ସହ ନିର୍ମାଣ କରାଯାଇଛି ବୋଲି ଗ୍ରାମ ଉନ୍ନୟନ ସଚିବ କହିଥିଲେ । ଅଧିକ ୪୫୦୦କିମି ରାସ୍ତା ନିର୍ମାଣରେ ଏହି ସବୁଜ କୌଶଳ ପ୍ରୟୋଗ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ରାଜ୍ୟରେ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁର ବ୍ୟବହାରକୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ ।


ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମିନା ଓ ଅନ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

Tags:

Like Us

Breaking News

ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର ।