ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ଭାରତ

 ସେଞ୍ଚୁରିଅନ୍‌ରେ ୨ୟ ଟେଷ୍ଟ

Copy Editor AH | Published On: Jan 12, 2018 09:50 PM IST |   182


ସେଞ୍ଚୁରିଅନ୍‌ : ଶନିବାରଠାରୁ ସ୍ଥାନୀୟ ସୁପରସ୍ପୋର୍ଟସ ପାର୍କରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫ୍ରିଡମ୍‌ ସିରିଜ୍‌ର ୨ୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପେସ୍‌ ଆକ୍ରମଣର ମୁକାବିଲା କରିନପାରି ପରାସ୍ତ ହୋଇଥିଲା ଭାରତୀୟ ଦଳ । ୨୦୮ ରନ୍‌ ମଧ୍ୟ ବିଶ୍ୱର ୧ନଂ ଦଳ ଭାରତ ପାଇଁ ଅପହଞ୍ଚ ହୋଇଥିଲା । ଏହା ୩ ମ୍ୟାଚ୍‌ର ସିରିଜ୍‌ ହୋଇଥିବାରୁ ଏବଂ ଭାରତ ପ୍ରଥମ ଟେଷ୍ଟରେ ହାରିଥିବାରୁ ଦ୍ୱିତୀୟ ମ୍ୟାଚ୍‌ ଭାରତ ପାଇଁ ନକ୍‌ଆଉଟ୍‌ ମ୍ୟାଚ୍‌ ପାଲଟି ଯାଇଛି । ସିରିଜ୍‌ ଜିତିବା ପାଇଁ ଭାରତକୁ ୨ୟ ଟେଷ୍ଟ ନିଶ୍ଚୟ ଜିତିବାକୁ ପଡ଼ିବ । ପୁଣି ସିରିଜ୍‌ ପରାଜୟରୁ ବଞ୍ଚିବା ଲାଗି ବିରାଟ ବାହିନୀକୁ ୨ୟ ଟେଷ୍ଟକୁ ଅତିକମ୍‌ରେ ଡ୍ର ରଖିବାକୁ ପଡ଼ିବ । କେପ୍‌ଟାଉନ୍‌ରେ ଭାରତୀୟ ପେସ୍‌ ଆକ୍ରମଣ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୧୩୦ ରନ୍‌ରେ ଅଲ୍‌ଆଉଟ ହେବା ପରେ ଘରୋଇ ଦଳ ସାମାନ୍ୟ ସତର୍କ ହୋଇପଡ଼ିଛି । ଦଳର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟସମ୍ୟାନ୍‌ଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ରହିଛି ।


ଦକ୍ଷିଣ ଆଫ୍ରିକା ଦଳରେ ଥିବା ବ୍ୟାଟସମ୍ୟାନ୍‌ ମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଟେଷ୍ଟରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ଦ୍ୱିତୀୟ ଟେଷ୍ଟରେ ସେମାନେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଥିବେ । ବିଶେଷ କରି ହାସିମ ଆମଲା ଓ ଏବି ଡିଭିଲୟର୍ସଙ୍କ ପରି ବରିଷ୍ଠ ଖେଳାଳି ଘରୋଇ ମାଟିରେ ଯଦି ଅଧିକ ରନ୍‌ ହାସଲ କରିବାରେ ସକ୍ଷମ ହୁଅନ୍ତି ତେବେ ଏହି ଦଳକୁ ଦ୍ୱିତୀୟ ଟେଷ୍ଟରେ ପରାସ୍ତ କରିବା ଭାରତ ନିମନ୍ତେ କାଠିକର ପାଠ ହୋଇଯିବ । ଦକ୍ଷିଣ ଆଫ୍ରିକାର ବୋଲରମାନେ ପ୍ରଥମ ଟେଷ୍ଟରେ ଆଶାନୁରୂପକ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଦ୍ୱିତୀୟ ଟେଷ୍ଟ ନିମନ୍ତେ ପ୍ରସ୍ତୁତ ପିଚ୍‌ରେ ବଲ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପରି ବାଉନ୍‌ସ ହେବାର ଆଶା କରାଯାଉଥିବାରୁ ଭାରତୀୟ ବ୍ୟାଟସମ୍ୟାନ୍‌ମାନେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କିପରି ଭାବେ ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଦଳରେ ଥିବା ଦ୍ରୁତ ବୋଲର କାଗିସୋ ରାବାଡା, ମର୍ନେ ମର୍କେଲ ଓ ବିଶେଷ କରି ଭନର୍ନ ଫିଲାଣ୍ଡର ପୁନର୍ବାର ଭାରତୀୟ ବ୍ୟାଟିଂ ଲାଇନ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିବାକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଆଘାତଜନିତ କାରଣରୁ ଅନ୍ୟତମ ପ୍ରମୁଖ ଦ୍ରୁତ ବୋଲର ଡେଲ ଷ୍ଟେନ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି । ଅନ୍ୟପକ୍ଷରେ ଡୁଆନେ ଓଲିଭିଏର୍‌ ଓ ଲୁଙ୍ଗି ଏନ୍‌ଗିଡିଙ୍କୁ ଦଳରେ ସାମିଲ କରାଯାଇଛି । ଉଭୟ ବୋଲର ଘଣ୍ଟାକୁ ୧୪୦ କିମିରୁ ଅଧିକ ଗତିରେ ବୋଲିଂ କରିବାକୁ ସକ୍ଷମ ଥିବାରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ ତାହା ଦେଖିବାକୁ ବାକି ରହିଲା । ସେହିପରି ଅଲରାଉଣ୍ଡର୍‌ କ୍ରିସ୍‌ ମୋରିସ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ କେତେକ କ୍ରିକେଟ୍‌ ପଣ୍ଡିତ ମତ ଦେଇଛନ୍ତି । ସେ ଯାହାହେଉ ନା କାହିଁକି ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ପୁନର୍ବାର ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରଙ୍କ ବିରୋଧରେ କଡା ସଂଘର୍ଷ କରିବା ପଡ଼ିବ ତାହା ନିଶ୍ଚିତ ।


ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟ ନିମନ୍ତେ ଚୂଡ଼ାନ୍ତ ଭାରତୀୟ ଦଳରେ କେତେକ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି । ବିଶେଷ କରି ଦଳ ତରଫରୁ କିଏ ବ୍ୟାଟିଂ ଓପନ୍‌ କରିବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବିଶେଷ କରି ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଦୁଇ ଓପନର୍‌ ମୁରଲୀ ବିଜୟ ଓ ଶିଖର ଧାୱନ୍‌ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଧାୱନ୍‌ଙ୍କ ସ୍ଥାନରେ କେଏଲ୍‌ ରାହୁଲଙ୍କୁ ଦଳରେ ସାମିଲ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଉଭୟ ବିଜୟ ଓ ଧାୱନ୍‌ ପ୍ରଥମ ଟେଷ୍ଟରେ ବିଫଳତାର ସ୍ୱାଦ ଚାଖିଥିଲେ ମଧ୍ୟ ବିଜୟଙ୍କ ନିକଟରେ ଦକ୍ଷିଣ ଆଫି୍ରକାରେ ଖେଳିବାର ଅଧିକ ଅଭିଜ୍ଞତା ଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଆଲୋଚନା ହେଉଛି । ସେହିପରି ବିଦେଶ ମାଟିରେ ଅଜିଙ୍କ୍ୟ ରାହାଣେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଥିବାରୁ ମଧ୍ୟଭାଗରେ ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯିବାକୁ ବହୁ ପୂର୍ବତନ କ୍ରିକେଟର୍‌ ମତ ଦେଇଛନ୍ତି । ତେବେ ରୋହିତ ଗତ କେତୋଟି ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ବେଳେ ରାହାଣେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିôବାରୁ ରୋହିତଙ୍କୁ ଦ୍ୱିତୀୟ ଟେଷ୍ଟ ନିମନ୍ତେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେବା ସପକ୍ଷରେ ନାହିଁ ଟିମ୍‌ ମ୍ୟାନେଜମେଣ୍ଟ । ଅଧିନାୟକ କୋହଲି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଥିଲେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ପିଚ୍‌ରେ ବାଉନ୍‌ସ ଓ ଗତି ରହୁଥିବାରୁ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ଏଥିସହ ଖାପ୍‌ ଖୁଆଇବାକୁ ପଡ଼ିବ । ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭଲ ପ୍ରଦର୍ଶନ କରିବାର ଆଶା ରହିଛି । ତେବେ ଅନ୍ୟ ବ୍ୟାଟସମ୍ୟାନ୍‌ଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି । ଏପରି ନ ହେଲେ ଭାରତ ହାତରୁ ସିରିଜ୍‌ ହାତଛଡ଼ା ହୋଇଯିବା ନିଶ୍ଚିତ । ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ଯଶପ୍ରୀତ୍‌ ବୁମରା ପ୍ରଥମ ଟେଷ୍ଟରେ ଠିକ୍‌ଠାକ୍‌ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଟେଷ୍ଟରେ ସେମାନଙ୍କ ମଧ୍ୟରୁ କାହାକୁ ବାଦ୍‌ ଦିଆଯିବା ସମ୍ଭାବନା କମ୍‌ । ସେହିପରି ସେଞ୍ଚୁରିଅନ୍‌ ପିଚ୍‌ରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ସଫଳତା ପାଇବେ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ସିରିଜ୍‌ ଜିତିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଥିବା ବେଳେ ଏହି ମ୍ୟାଚ୍‌ ଜିତି କିମ୍ବା ଅମୀମାସିଂତ ରଖି ସିରିଜ୍‌ ପରାଜୟରୁ ବଞ୍ଚିବାକୁ ଭାରତୀୟ ଦଳ ଚାହୁଁଥିବାରୁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି ।

Tags:

Like Us

Breaking News

ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର