ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍‌

ଜଣକୁ ଧରି ଲୋକେ ଛେଚିଲେ,ଆଉ ଜଣେ ଫେରାର

Copy Editor RKD | Published On: Jan 12, 2018 01:13 AM IST |   248

କଟକ : ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର-ନୂଆପଡା ରାସ୍ତାର ମଧ୍ୟସ୍ଥଳରେ ଗୁରୁବାର ରାତିରେ ମାଲଗୋଦାମରୁ ଗୋଦାମ ବନ୍ଦ କରି ଘରକୁ ଫେରୁଥିବା ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତଙ୍କମାନେ ଟଙ୍କା ଲୁଟି ନେଇଛନ୍ତି। ସ୍ଥାନୀୟ ଲୋକେ ପିଛାକରି ଜଣକୁ କାବୁ କରିନେଇ ନିର୍ଘାତ ପିଟିଥିବା ବେଳେ ଅନ୍ୟଜଣେ ଲୁଟ୍‌ ଗାଡି ସହିତ ଟଙ୍କାକୁ ଧରି ଖସିପଳାଇଯିବାରେ ସମର୍ଥ ହୋଇଛି। ଧରାପଡିଥିବା ଦୁର୍ବୃତ୍ତକୁ ପୁଲିସ ଜିମା ଦିଆଯାଇଥିଲେ ହେଁ ଲୁଟ୍‌ ଟଙ୍କା,ଗାଡି କିମ୍ବା ଲୁଟିଆ ସଂପର୍କରେ କିଛି ସୂଚନା ମିଳିପାରିନାହିଁ। ମିଳିଥିବା ସୂଚନା ମୁତାବକ ନୂଆପଡ଼ା ଅଞ୍ଚଳର ଧୀରେନ୍ଦ୍ର ବେହେରାଙ୍କ ମାଲଗୋଦାମରେ ଏକ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଆଜି ରାତିରେ ଧୀରେନ୍ଦ୍ର ଗୋଦାମ ବନ୍ଦ କରି ତାଳଦଣ୍ଡା କେନାଲ ବି୍ରଜଦେଇ ଗାଡିରେ ଘରକୁ ଫେରୁଥିବା ବେଳେ ପଛରୁ ମୁହଁରେ ରୁମାଲ ବାନ୍ଧି ବାଇକ୍‌ରେ ଆସୁଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ସାଇଡ୍‌ ମାରି ଉଦ୍ୟମ କରିଥିଲେ;କିନ୍ତୁ ସେଥିରେ ବିଫଳ ହୋଇଥିଲେ। ସେମାନଙ୍କ ଏଭଳି ବ୍ୟବହାର ଦେଖି ଧୀରେନ୍ଦ୍ର ଗାଡିକୁ ଜୋର୍‌ରେ ଚଳାଇବା ସହିତ ରାଜେନ୍ଦ୍ରନଗର ଦେଇ ପଳାଇ ଯାଉଥିବାବେଳେ ମଙ୍ଗଳା ମନ୍ଦିର ନିକଟରେ ପୁଣି ଦୁର୍ବୃତ୍ତଦ୍ୱୟ ତାଙ୍କୁ ଧକ୍କା ମାରିଥିଲେ। ଗାଡି ସହିତ ଧୀରେନ୍ଦ୍ର ତଳେ ପଡିଯିବା ପରେ ଦୁର୍ବୃତ୍ତଦ୍ୱୟ ଏକ ଗାମୁଛା ତାଙ୍କ ବେକକୁ ବାନ୍ଧିଦେବା ଏକ ଛୁରି ଲଗାଇ ପାଟି ବନ୍ଦ କରିବାକୁ କହି ଲୁଟ୍‌ପାଟ୍‌ ଘଟାଇଥିଲେ। ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧରିଥିବା ଏକ ଲୁହାଛଡ଼ରେ ପିଟି ଲହୁଲୁହାଣ କରିଦେଇଥିଲେ। ଜଣେ ଧୀରେନ୍ଦ୍ରଙ୍କ ଗାଡି ସହିତ ଟଙ୍କାକୁ ଲୁଟିନେଇ ପ୍ରଥମେ ପଳାଇ ଯାଇଥିଲା। ଏହାପରେ ଅନ୍ୟଜଣେ ଦୁର୍ବୃତ୍ତ ଆସିଥିବା ବାଇକ୍‌ରେ ପଳାଇଯାଉଥିବା ବେଳେ ଧୀରେନ୍ଦ୍ର ପାଟିକରି ଉଠିଥିଲେ। ସ୍ଥାନୀୟ କିଛି ଯୁବକ ତୁରନ୍ତ ଦୁର୍ବୃତ୍ତକୁ କାବୁ କରିନେବା ସହିତ ଘଟଣା ଜାଣିବା ପରେ ପ୍ରବଳ ମାଡ ମାରି ପୁଲିସ ଜିମା ଦେଇଥିଲେ। ଅଭିଯୋଗକ୍ରମେ ପୁଲିସ ଘଟଣାରେ ତଦନ୍ତ ଜାରି ରଖିଛି।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।