୨୦୪୦ ସୁଦ୍ଧା ତୈଳ ଚାହିଦା ୪୫୮ ନିୟୁତ ମେଟ୍ରିକ୍‌ ଟନ୍‌ ଛୁଇଁବ

ରିଫାଇନିଂ, ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକ ଭୁବନେଶ୍ୱରରେ ,୧୩ରେ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

Copy Editor AH | Published On: Jan 11, 2018 10:54 PM IST |   95


ଭୁବନେଶ୍ୱର : ସେଣ୍ଟର ଫର ହାଇ ଟେକ୍ନୋଲୋଜି ବା ସିଏଚ୍ଟି (ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ଏକ ଉପଗ୍ରହିକ ଅନୁଷ୍ଠାନ) ଏବଂ ଭାରତୀୟ ତୈଳ ନିଗମର ମିଳିତ ସହଭାଗିତାରେ ୨୨ତମ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପ ଆଧାରିତ ବୈଷୟିକ ବୈଠକ ଭୁବନେଶ୍ୱରଠାରେ ଚଳିତମାସ ୧୩ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏଭଳି ଏକ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକକୁ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ ବୋଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଏଚ୍ଟିର ଅତିରିକ୍ତ ନିର୍ଦେଶକ ୟୁ . ଡେକା କହିଛନ୍ତି ।


ସମ୍ପ୍ରତି ଦେଶରେ ରହିଥିବା ତୈଳ ବିଶୋଧନାଗାରଗୁଡିକର ବିଶୋଧନ କ୍ଷମତା ବାର୍ଷିକ ୨୪୭.୬ ନିୟୁତ ମେଟ୍ରିକ୍‌ ଟନ୍‌ ରହିଛି । ତେବେ ଦେଶରେ ପେଟ୍ରୋଲିିୟମ୍‌ ଉତ୍ପାଦର ଚାହିିଦା ବାର୍ଷିକ ୧୯୪ ନିୟୁତ ମେଟ୍ରିକ୍‌ ଟନ୍‌ ଅଛି । ୨୦୪୦ ସୁଦ୍ଧା ଏହା ୪୫୮ ନିୟୁତ ମେଟ୍ରିକ୍‌ ଟନ୍‌ ଛୁଇଁବାକୁ ଥିବା ସେ କହିଛନ୍ତି । ବୈଠକରେ ‘୨୦୪୦ ସୁଦ୍ଧା ବିଶୋଧନ ଦକ୍ଷତାରେ ଅଭିବୃଦ୍ଧି’ ସମ୍ପର୍କିତ ଏକ ରିପୋର୍ଟ ମଧ୍ୟ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ‘ଲୁକ୍ ଇଷ୍ଟ ନୀତି’ ଏବଂ ‘ପୂର୍ବୋଦୟ’ ନୀତି ଅନୁଯାୟୀ, ଭୁବନେଶ୍ୱରଠାରେ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ସ ବୈଷୟିକ ବୈଠକ (ଆର୍ପିଟିଏମ୍) ଭଳି ବୈଠକ ଆୟୋଜିତ ହେବ । ‘ହାଇଡ୍ରୋକାର୍ବନ୍ର ଡାଉନ୍ଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ନୂତନ ଧାରା’ ଶୀର୍ଷକ ଏହି ବୈଠକରେ ହାଇଡ୍ରୋକାର୍ବନ୍ କ୍ଷେତ୍ର, ପେଟ୍ରୋକେମିକାଲ୍ସ, ବୈଦୁ୍ୟତିକ ଯାନବାହନ ଏବଂ ବିଶୋଧନ ବ୍ୟବସାୟ, ଶକ୍ତି ସଂରକ୍ଷଣ, ଜୈବ-ମାସ୍ରୁ ଜୈବିକ ଇନ୍ଧନ, ବାଉଁଶ ଫିଡ୍ଷ୍ଟକ୍ରୁ ଜୈବିକ ବିଶୋଧନ ଆଦି କ୍ଷେତ୍ରରେ ବିଶ୍ୱରେ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକ ଉପରେ ମତବିନିମୟ ହେବ । ଏଥିରେ ୧୧ଟି ଦେଶରୁ ପ୍ରାୟ ୯୦୦ ତୈଳ କମ୍ପାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆହୁରିମଧ୍ୟ ଏଥିରେ ଦେଶ ବାହାରୁ ୪୪ଟି ବିଶ୍ୱସ୍ତରୀୟ କମ୍ପାନୀର ପ୍ରାୟ ୧୦୦ ଜଣ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦେବେ । ଏହି ବୈଠକରେ ତୈଳ କମ୍ପାନୀର ଅଧିକାରୀ ଏବଂ ବିଶେଷଜ୍ଞମାନେ ହାଇଡ୍ରୋକାର୍ବନ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ସେମାନଙ୍କ ମତାମତ ରଖିବେ । ବୈଠକରେ ପ୍ରାୟ ୧୫ ଟି ବୈଷୟିକ ଅଧିବେଶନରେ ୬୯ଟି ମୌଖିକ ଉପସ୍ଥାପନ କରାଯିିବ । ଏଥିରେ ୧୨ଟି ଷ୍ଟଲ ପ୍ରଦର୍ଶିତ ହେବ । ଏତଦ୍ବ୍ୟତୀତ ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଭାଗ ନେବାକୁ ଥିବା ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଏକ ବିଶେଷ ଆଲୋଚନା କରିବେ । ଏଥିରେ ଭୁବନେଶ୍ୱରଠାରେ ବିଭିନ୍ନ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ନେଇ ଆଲୋଚନା କରାଯିବ । ଏଥିରେ କେନ୍ଦ୍ର ପ୍ରାକୃତିକ ବାଷ୍ପ ସଚିବ କେ.ଡି. ତି୍ରପାଠୀ, ଜାପାନ ରାଷ୍ଟ୍ରଦୂତ କେଞ୍ଜି ହିରାମାସୁ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ଯୁଗ୍ମ ସଚିବ (ବିଶୋଧନ)ସନ୍ଦୀପ ପୌଣ୍ଡି୍ରକ, ଆଇଓସିଏଲ୍ର ଅଧ୍ୟକ୍ଷ ସଞ୍ଜୀବ ସିଂ, ସିଏଚ୍ଟିର କାର୍ଯ୍ୟନିର୍ବାହୀ ନିର୍ଦେଶକ ବି୍ରଜେଶ କୁମାର, ତୈଳ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବୈଷୟିକ ଜ୍ଞାନକୌଶଳ ଯୋଗାଣକାରୀ, ଗବେଷଣା ଏବଂ ବିକାଶ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧିକାରୀ ଉପସ୍ଥିତ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ ସିଏଚ୍‌ଟିର ପରାମର୍ଶଦାତ୍ତା (ବୈଷୟିକ) ଆର୍‌. କୃଷ୍ଣମୂର୍ତ୍ତି ଉପସ୍ଥିତ ଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।