ସାମାଜିକ ଗଣମାଧ୍ୟମ ପ୍ରଭାବରେ ସଂସ୍କୃତି ଅବକ୍ଷୟ ନହେଉ : ମନୋଜ ଦାସ

ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରୀ ମିଟ୍‌

Copy Editor AH | Published On: Jan 11, 2018 09:46 PM IST |   83


ଭୁବନେଶ୍ୱର : ସମ୍ପ୍ରତି ଆମ ଯୁବ ସମାଜ ସାମାଜିକ ଗଣମାଧ୍ୟମ ତଥା ଯାନ୍ତ୍ରିକ ସାମଗ୍ରୀ ମଧ୍ୟରେ ବାନ୍ଧି ହୋଇ ରହୁଛନ୍ତି । ଏହାଦ୍ୱାରା ସୃଜନଶୀଳତା ଗୁରୁତର ବାଧାପ୍ରାପ୍ତ ହେଉଛି । କିଛି ନୂତନତ୍ୱ ଦେଖିବାକୁ ମିଳୁନଥିବା ବେଳେ ଆମ ସଂସ୍କୃତି ଓ ପରମ୍ପରା ଅପଭ୍ରଂଶ ହେବାରେ ଲାଗିଛି ବୋଲି ସୁପ୍ରସିଦ୍ଧ ଲେଖକ ପଦ୍ମଶ୍ରୀ ମନୋଜ ଦାସ କହିଛନ୍ତି । ଗୁରୁବାର ସଂଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଟାଟାଷ୍ଟିଲ୍‌ ଲିଟେରାରୀ ମିଟ୍‌ରେ ଯୋଗଦେବା ଅବସରରେ ଶ୍ରୀ ଦାସ କହିଥିଲେ, ଆମ ଦେଶର ସଂସ୍କୃତି, ପରମ୍ପରା, ଐତିହ୍ୟର କୌଣସି ତୁଳନା ନାହିଁ । ସମଗ୍ର ବିଶ୍ୱ ଆଜି ଭାରତର ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଉଛି । କିନ୍ତୁ ବିଶ୍ୱର ଏହି ସର୍ବପୁରାତନ ସଂସ୍କୃତି ଆଜି ଅବକ୍ଷୟଗାମୀ ହେବାରେ ଲାଗିଛି । ଆମର ଦେଶବାସୀ ନିଜ ପରମ୍ପରାକୁ ଉଚିତ୍‌ ସମ୍ମାନ ଜଣାଉ ନାହାନ୍ତି । ଯଦି ଆମେ ଆମର ପରମ୍ପରାକୁ ସୁରକ୍ଷା ନଦେବା ତେବେ ଆମ ବିକାଶଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ କହିଥିଲେ ।


ଲେଖକମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ । ଜଣେ ଲେଖକର କୌଣସି ନିର୍ଦିଷ୍ଟ ପରିଚୟ ନଥାଏ । ବିଭିନ୍ନ କ୍ଷେତ୍ରରେ ସେ ନିଜର ସୃଜନଶୀଳତା ଜରିଆରେ ଲୋକଙ୍କୁ ନୂତନ ଭେଟି ଦେଇଥାଏ । କିନ୍ତୁ ଆଜି ଆଉ ଆଗଭଳି ଲେଖାରେ ସୃଜନଶୀଳତା ଦେଖିବାକୁ ମିଳୁନାହିଁ । କିଛି ନୂଆ କରି ଦେଖାଇବାର ଯେଉଁ ଆଗ୍ରହ ଥାଏ, ତାହା ଆଉ ଆମ ଯୁବପିଢ଼ିଙ୍କ ମଧ୍ୟରେ ଦେଖାଯାଉ ନାହିଁ । ଏହାର କାରଣ ହେଉଛି ଆମେ ନିଜକୁ ସମ୍ପୂର୍ଣ୍ଣ ବସ୍ତୁବାଦୀ କରି ଦେଇଛୁ । ସାମାଜିକ ଗଣମାଧ୍ୟମ ଓ ମୋବାଇଲ୍‌ରେ ଆମ ଜୀବନଧାରାକୁ କରାୟତ୍ତ କରି ରଖିଛି । ଏପରି ଅଭ୍ୟାସ ଆମକୁ ନୂଆ ଚିନ୍ତାଧାରା ଠାରୁ ଦୂରେଇ ନେଉଛି ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି ।


ସେ ଆହୁରି କହିଥିଲେ ଆଜିର ଲେଖକ ପିଢ଼ି ବିଶ୍ୱବ୍ୟାପ୍ତ ବ୍ୟବସାୟ ମନୋଭାବର ଶିକାର ହୋଇଛନ୍ତି । କିପରି ଅଧିକରୁ ଅଧିକ ପୁସ୍ତକ ବିକ୍ରୟ ହେବ, ଧନ ପ୍ରତିଷ୍ଠା କିପରି ମିଳିବ, ତାହା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ଦ୍ୱାରା ଲେଖକଙ୍କ ମଧ୍ୟରେ ଆତ୍ମ ବିଶ୍ୱାସର ଘୋର ଅଭାବ ଦେଖା ଦେଉଛି । ତେଣୁ ଆମକୁ ଏହି ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ହେବ ବୋଲି ସେ କହିଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀଙ୍କ ଦ୍ୱାରା ପରିଚାଳିତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ଅବସରରେ ଭାରତୀୟ ବଂଶୋଦ୍ଭବ ରକ୍ସିନ୍‌ ବଣ୍ଡ୍‌ କହିଥିଲେ, ଜାତୀୟତାବାଦ ଠାରୁ ଦେଶଭକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଜଣେ ଦେଶପ୍ରେମୀ ହିଁ ଦେଶ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିପାରେ । ଭାରତ ଏପରି ଏକ ରାଷ୍ଟ୍ର ଯେଉଁଠାରେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ଧର୍ମର ଲୋକଙ୍କ ପାଇଁ ବଞ୍ଚିବାର ଅଧିକାର ମିଳୁଛି । ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ନିଜର ପରାକାଷ୍ଠା ପ୍ରତିପାଦିତ କରି ପାରିଛି ବୋଲି ସେ କହିଥିଲେ । ସୁପ୍ରସିଦ୍ଧ ସାମ୍ବାଦିକ ତଥା ଲେଖକ ମାର୍କ ଟଲି କହିଥିଲେ, ଏବେ ସୋସିଆଲ୍‌ ମିଡିଆ ଦ୍ୱାରା ମିଥ୍ୟା ଖବର ବେଶ୍‌ ଜୋର୍‌ସୋର୍‌ରେ ପ୍ରଚାର କରାଯାଉଛି । ସୋସିଆଲ୍‌ ମିଡିଆର ଗୋଟିଏ ଭଲ ଦିଗ ଥିବା ବେଳେ ଏହାର ଅନ୍ୟ ଦିଗଟି ଅନ୍ଧକାରମୟ । ତେଣୁ ସାମ୍ବାଦିକମାନେ ଖବର ପରିବେଶ ପୂର୍ବରୁ ତାହାର ସତ୍ୟାସତ୍ୟ ସମ୍ପର୍କରେ ଅନୁସନ୍ଧାନ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।