ଶତକ ମାରିଲେ ଦ୍ରାବିଡ଼ ଓ ଜୋଷୀଙ୍କ ପୁଅ

୧୪ ବର୍ଷରୁ କମ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Copy Editor AH | Published On: Jan 10, 2018 11:28 PM IST |   307

 -ସମିତ ଦ୍ରାବିଡ଼-୧୫୦ ରନ୍‌, -ଆର୍ଯ୍ୟନ୍‌ ଜୋଷୀ-୧୫୪ ରନ୍‌ 


ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ ଦଳର ଦୁଇ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ ଓ ସୁନୀଲ ଜୋଷୀଙ୍କ ପୁଅ ଆନ୍ତଃସ୍କୁଲ୍‌ କ୍ରିକେଟ୍‌ରେ ଶତକ ମାରିଛନ୍ତି । କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ୍‌ (କେଏସ୍‌ସିଏ) ଆନୁକୂଲ୍ୟରେ ଖେଳା ଯାଉଥିବା ବିଟିଆର୍‌ କପ୍‌ ୧୪ ବର୍ଷରୁ କମ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦ୍ରାବିଡ଼ଙ୍କ ପୁଅ ସମିତ ଦ୍ରାବିଡ଼ ମାଲ୍ୟା ଆଦିତି ଇଣ୍ଟରନ୍ୟାସନାଲ ସ୍କୁଲ୍‌ ପାଇଁ ଖେଳି ଶତକ ହାସଲ କରିଛନ୍ତି । ଫଳରେ ସମିତଙ୍କ ସ୍କୁଲ୍‌ ବିବେକାନନ୍ଦ ସ୍କୁଲ୍‌କୁ ୪୧୨ ରନ୍‌ର ବିପୁଳ ବ୍ୟବଧାନରେ ପରାସ୍ତ କରିଛି ।

ସମିତ ଏହି ମ୍ୟାଚ୍‌ରେ ୧୫୦ ରନ୍‌ର ଇନିଂସ ଖେଳିଥିଲେ । ମାଲ୍ୟା ଆଦିତି ଇଣ୍ଟରନ୍ୟାସନାଲ ସ୍କୁଲ୍‌ ପାଇଁ ଶତକ ମାରିଥିବା ୨ୟ ଖେଳାଳି ହେଲେ ଆର୍ଯ୍ୟନ୍‌ ଜୋଷୀ । ଆର୍ଯ୍ୟନ୍‌ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ବାମହାତି ସ୍ପିନର ସୁନୀଲ ଜୋଷୀଙ୍କ ସୁପୁତ୍ର । ଏହି ମ୍ୟାଚ୍‌ରେ ଆର୍ଯ୍ୟନ୍‌ ହିଁ ସର୍ବାଧିକ ୧୫୪ ରନ୍‌ ସ୍କୋର୍‌ କରିଥିଲେ । ରାହୁଲ ଦ୍ରାବିଡ଼ ଓ ସୁନୀଲ ଜୋଷୀଙ୍କ ପୁଅଙ୍କ ଶତକ ବଳରେ ୫୦ ଓଭରରେ ମାଲ୍ୟା ଆଦିତି ଇଣ୍ଟରନ୍ୟାସନାଲ ସ୍କୁଲ୍‌ ୫ ୱିକେଟରେ ବିଶାଳ ୫୦୦ ରନ୍‌ କରିଥିଲା । ଜବାବରେ ବିବେକାନନ୍ଦ ସ୍କୁଲ୍‌ ୮୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା । ଗତ ୨ ବର୍ଷ ହେଲା ସମିତ ଦ୍ରାବିଡ଼ ସ୍କୁଲ୍‌ ଓ କ୍ଲବ୍‌ସ୍ତରୀୟ କ୍ରିକେଟ୍‌ରେ ନିୟମିତ ରନ୍‌ ସ୍କୋର୍‌ କରୁଛନ୍ତି । ୨ ବର୍ଷ ତଳେ ତାଙ୍କ ପିତା ରାହୁଲ ଦ୍ରାବିଡ଼ଙ୍କ କ୍ଲବ୍‌ ବାଙ୍ଗାଲୋର ୟୁନାଇଟେଡ୍‌ କ୍ରିକେଟ କ୍ଲବ୍‌ ପାଇଁ ଟାଇଗର କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳି ଫ୍ରାଙ୍କ୍‌ ଆଣ୍ଟୋନି ପବ୍ଲିକ୍‌ ସ୍କୁଲ୍‌ ପାଇଁ ୧୨୫ ରନ୍‌ ସ୍କୋର୍‌ କରିଥିଲେ । ପୁଣି ୨୦୧୫ରେ ଗୋପାଳନ୍‌ ଚ୍ୟାଲେଞ୍ଜ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମିତ ଦ୍ରାବିଡ଼ ‘ସର୍ବଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌’ ପୁରସ୍କାର ପାଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମାଲ୍ୟା ଆଦିତି ଇଣ୍ଟରନ୍ୟାସନାଲ ସ୍କୁଲ୍‌ ପାଇଁ ଖେଳି ସମିତ ଅପରାଜିତ ୭୭, ୯୩ ଓ ୭୭ ରନ୍‌ ସ୍କୋର୍‌ କରିଥିଲେ । ବହୁବର୍ଷ ଧରି ରାହୁଲ ଦ୍ରାବିଡ଼ ଓ ସୁନୀଲ ଜୋଷୀ କର୍ଣ୍ଣାଟକ ପାଇଁ ଏକାଠି ଖେଳିବା ସହ ଭାରତ ପାଇଁ ଏକାଠି ଖେଳିଥିଲେ । ବର୍ତ୍ତମାନ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡ଼ ବିଶ୍ୱକପ୍‌ ଦଳ ସହ ନୁ୍ୟଜିଲାଣ୍ଡରେ ଅଛନ୍ତି । ଅନ୍ୟପକ୍ଷରେ ସୁନୀଲ ଜୋଷୀ ବାଂଲାଦେଶ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଅଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।