ଗଣମାଧ୍ୟମର ସ୍ୱାଧୀନତା

.

Published On: Jan 10, 2018 11:28 PM IST | Updated On: Jan 11, 2018 08:21 PM IST |   101

ପ୍ରେସ ସ୍ୱାଧୀନତା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିଲେ ହେଁ ଏହା ସମ୍ବିଧାନ ସ୍ବୀକୃତ ନୁହେଁ। କାର୍ଯ୍ୟପାଳିକା, ବିଧାନପାଳିକା ଓ ନ୍ୟାୟପାଳିକା ଭାରତୀୟ ସମ୍ବିଧାନରେ ଯେଉଁ କ୍ଷମତା ଓ ଅଧିକାର ପାଇଛନ୍ତି ଗଣମାଧ୍ୟମକୁ ଗଣତନ୍ତ୍ରରେ ସେମିତି କିଛି ନିର୍ଦିଷ୍ଟ ବୈଧାନିକ କ୍ଷମତା ମିଳିନାହିଁ। ଏହା ସତ୍ତ୍ବେ ଗଣତନ୍ତ୍ରକୁ ସ୍ବଚ୍ଛ ଓ ମଜବୁତ କରିବାପାଇଁ ଗଣମାଧ୍ୟମ ଏକ ଜାଗ୍ରତ ପ୍ରହରୀଭାବେ ନିରନ୍ତର କାର୍ଯ୍ୟକରି ଆସୁଥିବାରୁ ଏହା ଆତ୍ମଘୋଷିତ ଅଥବା ଉପାଧିପ୍ରାପ୍ତ ଭାବେ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ପାଇଆସିିଛି। ଭାରତରେ ଶାସନ ବ୍ୟବସ୍ଥା, ବିଶେଷତଃ ସରକାର ଓ ଗଣମାଧ୍ୟମ ଭିତରେ ସମ୍ପର୍କ ନିବିଡ଼ ନୁହେଁ। ଗଣମାଧ୍ୟମର ଅଭିବ୍ୟକ୍ତି ଓ ପରିପ୍ରକାଶର ଯେଉଁ ସ୍ୱାଧୀନତା ଆଇନତଃ ରହିଛି ତାହା ନିରଙ୍କୁଶ ନୁହେଁ। କୌଣସି ଏକ ଖବର ଯଦି କାହାର ସ୍ବାର୍ଥ ହାନି କଲା କିମ୍ବା କିଏ କ୍ଷତିଗ୍ରସ୍ତ ହେଲା ତା’ ବିରୋଧରେ ଆଇନଗତ ପ୍ରତିକାର ଲୋଡ଼ି ନ୍ୟାୟ ପାଇବାର ଅଧିକାର ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର ରହିଛି। ଏଥିପାଇଁ ମାନହାନି ମାମଲାଠାରୁ ଆରମ୍ଭ କରି ଭାରତୀୟ ପିଙ୍ଗଳ ଆଇନର ବିଭିନ୍ନ ଧାରାରେ ନାନା ପ୍ରକାର ମାମଲା ଦାଏର କରାଯାଇପାରିବ। ଦେଶଦ୍ରୋହ ଆଇନରେ ସରକାର ମଧ୍ୟ ଗଣମାଧ୍ୟମକୁ ବନ୍ଦ କରି ଏହାର ମାଲିକ, ସଂପାଦକ, ସାମ୍ବାଦିକଆଦିଙ୍କୁ ତଳିତଳାନ୍ତ କରିବାକୁ ସକ୍ଷମ। ବିଭିନ୍ନ ସମୟରେ ସରକାର ନିଜକୁ ଗଣମାଧ୍ୟମର ଆକ୍ରମଣରୁ ସୁରକ୍ଷିତ କରି ରଖିବାପାଇଁ ବିଭିନ୍ନ କଳା ଆଇନ ମଧ୍ୟ ଆଣିଥାନ୍ତି ଏବଂ ଅଭିବ୍ୟକ୍ତି ଓ ପରିପ୍ରକାଶ ସ୍ୱାଧୀନତାର କଣ୍ଠରୋଧ କରିଥାନ୍ତି।
ନିକଟରେ ‘ଆଧାର’ ତଥ୍ୟ ପ୍ରଘଟ ପ୍ରସଙ୍ଗରେ ଗୋଟିଏ ଖବରକାଗଜର ସାମ୍ବାଦିକଙ୍କ ବିରୋଧରେ ସରକାର ଓ କର୍ତ୍ତୃପକ୍ଷ ମାମଲା ରୁଜୁ କରିବା ଏକ ହାସ୍ୟାସ୍ପଦ ଘଟଣା। ବ୍ୟବସ୍ଥାକୁ ସଂପୂର୍ଣ୍ଣ ସୁରକ୍ଷିତ କରିବା ପରିବର୍ତ୍ତେ ନିଜର ଅପାରଗତାକୁ ଢ଼ାଙ୍କିବା ପାଇଁ ସାମ୍ବାଦିକଙ୍କୁ ନିଶାଣ କରିବା କେବଳ ସରକାରୀ ତ୍ରୁଟି ଓ ଦୁର୍ବଳତାକୁ ପଦାରେ ପକାଇଛି। ତେବେ ସେ ଯା’ହେଉ ସର୍ବୋଚ୍ଚ ଅଦାଲତ ଭୁଲ୍‌ ଖବର ପ୍ରକାଶ ପାଇଁ ମାନହାନି ମକଦ୍ଦମା ହୋଇପାରିବ ନାହିଁ ବୋଲି ସଦ୍ୟ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ। ଖବର ପ୍ରକାଶନ ବା ପ୍ରସାରଣ ସମୟରେ ସାମାନ୍ୟ କିଛି ତ୍ରୁଟି ଅଥବା ଅତିରଞ୍ଜନ ପାଇଁ ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଅଦାଲତର କାଠଗଡ଼ାକୁ ଟଣାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଦାଲତ ସ୍ବୀକାର କରିଛନ୍ତି ଯେ ବଡ଼ ଦୁର୍ନୀତି ଓ କିଛି ସମ୍ବେଦନଶୀଳ ଖବର ପ୍ରକାଶନବେଳେ ତ୍ରୁଟି ରହିଲେ ଏହା ବିରୋଧରେ ମାନହାନି ମାମଲା କରିବାର ବ୍ୟବସ୍ଥା ଅଛି। ଏଭଳି ସାମ୍ବିଧାନିକ ବୈଧତା ସତ୍ତ୍ବେ ଏସବୁ ତ୍ରୁଟି ଓ ଅତିରଞ୍ଜନକୁ ମାନହାନି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଗଣତନ୍ତ୍ରରେ ସହନଶୀଳତାର ଆବଶ୍ୟକତା ରହିଛି ଏବଂ ଗଣମାଧ୍ୟମକୁ ସ୍ୱାଧୀନ ଓ ଚାପମୁକ୍ତ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଛୋଟମୋଟ କଥାରେ ମାନହାନି ମକଦ୍ଦମା ଗ୍ରହଣୀୟ ହେବନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଯୁଗାନ୍ତକାରୀ ତଥା ସଂଘର୍ଷରତ ଭାରତୀୟ ଗଣମାଧ୍ୟମ ପାଇଁ ବିଶେଷ ମହତ୍ତ୍ବ ରଖେ। ଗଣମାଧ୍ୟମର ପୂର୍ଣ୍ଣ ସ୍ୱାଧୀନତାକୁ ଏହା ଏକ ନ୍ୟାୟିକ ଅନୁମୋଦନ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହାକୁ ଏକ ସୁଯୋଗ ଭାବି ଗଣମାଧ୍ୟମ ତାହାର ଦୁରୁପଯୋଗ କରିବା ଅନୁଚିତ। ଖବର ହିଁ ଖବର ଓ ଏହାର ପ୍ରକାଶ, ପ୍ରଚାରରେ ତ୍ରୁଟିବିଚ୍ୟୁତି କିମ୍ବା ଅତିରଞ୍ଜନର ସ୍ଥାନ ନାହିଁ। ଆତ୍ମ ସଂଯମ ଓ ଆତ୍ମ ନିୟନ୍ତ୍ରଣ ଗଣମାଧ୍ୟମର ସବୁଠୁ ବଡ଼ ଭୂଷଣ। ନିଜେ ଠିକ୍‌ ରହିଲେ ଅନ୍ୟର ଭୁଲ୍‌କୁ ଦର୍ଶାଇବା ଶୋଭନୀୟ ହେବ। ସେ ଲକ୍ଷ୍ମଣରେଖା ଗଣମାଧ୍ୟମ ନିଜେ ନିର୍ଦ୍ଧାରଣ କରୁ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ