୨ମାସ ମଧ୍ୟରେ ପ୍ରତି ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ କର : ହାଇକୋର୍ଟ

୨ମାସ ମଧ୍ୟରେ ପ୍ରତି ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ କର : ହାଇକୋର୍ଟ

Copy Editor AH | Published On: Jan 10, 2018 10:27 PM IST |   80


କଟକ : ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ରୁଜୁ ଏକ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସମସ୍ତ ଜିଲ୍ଲାରେ ଖାଉଟି ପରିଷଦ ଗଠନ ନେଇ ୨ମାସ ମଧ୍ୟରେ ନିର୍ଦେଶ ପାଳନ କରିବା ପାଇଁ ସରକାରଙ୍କୁ ଆଦେଶ ଦେଇଛନ୍ତି । ଯଦି ଏ ନେଇ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ଗତ ଡିସେମ୍ବର ମାସ ୬ତାରିଖରେ ଖାଉଟି ସୁରକ୍ଷା ପରିଷଦ ଗଠନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ କୋର୍ଟଙ୍କ ଆଦେଶ ପାଳନର ବିଳମ୍ବତା ନେଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ ୨୦୧୬ ମସିହା ଜାନୁୟାରୀ ୨୮ତାରିଖରେ ରାଜ୍ୟ ଖାଉଟି ସୁରକ୍ଷା ପରିଷଦ ଗଠିତ ହୋଇଥିବାବେଳେ ୧୦ଟି ଜିଲ୍ଲା ତଥା ବାଲେଶ୍ୱର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ନୟାଗଡ ଓ କଳାହାଣ୍ଡିରେ ପରିଷଦ ଗଠନ ହୋଇଥିଲା । ଅନ୍ୟ ୨୦ଟି ଜିଲ୍ଲାରେ ହୋଇପାରି ନାହିଁ । ତେବେ ଏ ନେଇ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଆଇନ ଅନୁସାରେ ତୁରନ୍ତ ପ୍ରସ୍ତାବ ଗ୍ରହଣ କରି ସରକାରଙ୍କ ନିକଟକୁ ପଠାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଏହି ମାମଲାକୁ ସଂଘ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ମହାପାତ୍ର, ବିରଜା ପ୍ରସନ୍ନ ବଳ, ଏ କେ ସାହୁ, ଦେବପ୍ରସାଦ ମହାପାତ୍ର ପରିଚାଳନା କରୁଛନ୍ତି । ମାମଲାର ବିରରଣୀରୁ ପ୍ରକାଶ ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟିଙ୍କ ହିତ ପାଇଁ ଆଇନ ଅନୁସାରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ଗଠନ କରାଯିବା ସହ ଏଥିରେ ସଦସ୍ୟ ନିଯୁକ୍ତି କରିବା ପାଇଁ ପ୍ରାର୍ଥନା କରାଯାଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ୨୦୦୮ ମସିହାରେ ଓଡିଶା ଉପଭୋକ୍ତା ସଂଘ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା ।

ତେବେ କୋର୍ଟ ଏହି ମାମଲାରେ ୨୦୦୮ ମସିହା ଅକ୍ଟୋବର ୨୭ତାରିଖରେ ଶୁଣାଣି କରି ସମସ୍ତ ଜିଲ୍ଲାରେ ୬ମାସ ମଧ୍ୟରେ ଖାଉଟି ସୁରକ୍ଷା ପରିଷଦ ଆଇନ ଅନୁସାରେ ଗଠନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆଦେଶ ଦେବା ସହ ଆଇନ ଅନୁସାରେ ପ୍ରତି ମାସରେ ଉପଭୋକ୍ତାଙ୍କ ମଧ୍ୟରେ ବୈଠକ ଆୟୋଜନ କରିବା ନିର୍ଦେଶ ଦେଇଥିଲେ; ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟ ଆଦେଶ ପାଳନ କରାଯାଇ ନ ଥିଲା । ତେବେ ସଂଘ ପକ୍ଷରୁ ୨୦୦୯ ମସିହାରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।