ଆସାମକୁ ୫୧ ରନ୍‌ରେ ହରାଇଲା ଓଡ଼ିଶା

ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଟ୍ୱେଣ୍ଟି-୨୦ କ୍ରିକେଟ

Copy Editor AH | Published On: Jan 10, 2018 09:07 PM IST | Updated On: Jan 10, 2018 09:08 PM IST |   197



କଟକ : ରାଞ୍ଚିରେ ଚାଲିଥିବା ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଟ୍ୱେଣ୍ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ଆସାମକୁ ୫୧ ରନ୍‌ରେ ପରାସ୍ତ କରି ପୂର୍ବାଞ୍ଚଳ ଲିଗ୍‌ର ୨ୟ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ବିଜୟ ଲାଭ କରିଛି । ବଙ୍ଗଳା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପରାସ୍ତ ହୋଇଥିବା ଓଡ଼ିଶା ବୁଧବାର ଆସାମକୁ ସହଜରେ ପରାସ୍ତ କରିଛି । ବୋଲରଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଓଡ଼ିଶା ଏହି ବିଜୟ ହାସଲ କରିଛି । ଓଡ଼ିଶା ପ୍ରଥମେ ବ୍ୟାଟିଂକରି ୨୦ଓଭର ଶେଷରେ ୯ ୱିକେଟ ହରାଇ ୧୨୮ ରନ୍‌ କରିଥିଲା । ଜବାବରେ ଆସାମ ୧୭.୨ ଓଭରରେ ମାତ୍ର ୭୭ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା । ପ୍ରୟାସ ସିଂହ ଓ ଅଭିଷେକ ରାଉତ ୩ଟି ଲେଖାଁଏ ୱିକେଟ ନେଇ ଓଡ଼ିଶା ପାଇଁ ବିଜୟ ଆଣି ଦେଇଥିଲେ । ଓଡ଼ିଶା ଏହି ବିଜୟରୁ ୪ ପଏଣ୍ଟ ପାଇ ଖାତା ଖୋଲିଥିବା ବେଳେ ଆସାମ କ୍ରମାଗତ ୨ୟ ପାଇଁ ପରାଜିତ ହୋଇଛି । ଶୁକ୍ରବାର ତ୍ରିପୁରା ବିରୋଧରେ ଓଡ଼ିଶା ୩ୟ ଲିଗ୍‌ ମ୍ୟାଚ୍‌ ଖେଳିବ ।


ଟସ୍‌ ଜିତି ଆସାମ ଫିଲ୍‌ଡିଂ ନେବା ପରେ ଓଡ଼ିଶାର ଓପ୍‌ନର ଭଲ ବ୍ୟାଟିଂ କରିଥିଲେ । ଅଢ଼େଇ ଓଭରରେ ସ୍କୋର୍‌ ୨୨ ରନ୍‌ ହୋଇଥିବା ବେଳେ ରାଜେଶ ଧୁପର ୧୧ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ । ପରେ ଶୁଭ୍ରାଂଶୁ ସେନାପତି ୧୩ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌କରି ଆଉଟ ହେବା ବେଳକୁ ଓଡ଼ିଶା ୬ ଓଭରରେ ୪୯ ରନ୍‌ କରିଥିଲା । ତେବେ ଏହାପରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଏବଂ ପରବର୍ତ୍ତୀ ୧୪ ଓଭରରୁ ୭୯ ରନ୍‌ ଯୋଡ଼ି ୮ଟି ୱିକେଟ ହରାଇଥିଲା । ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ଚମକ୍ରାର ବ୍ୟାଟିଂକରି ୧୩ଟି ବଲ୍‌ରୁ ୪ଟି ଚୌକା ସହ ୨୨ ରନ୍‌କରି ଆଉଟ ହୋଇ ଯାଇଥିଲେ । ଅଭିଷେକ ରାଉତ ୧୬ଟି ବଲ୍‌ରୁ ମାତ୍ର ୧୦ ଓ ପ୍ରୟାସ ସିଂହ ୪ ରନ୍‌କରି ବିଦାୟ ନେଇଥିଲେ । ଦେବାଶିଷ ସାମନ୍ତରାୟ ୨୫ ବଲ୍‌ ଖେଳି ଗୋଟିଏ ଚୌକା ସହ ସର୍ବାଧିକ ୨୫ ରନ୍‌ କରିଥିଲେ । ପରେଶ ପଟେଲ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ଓ ଦେବବ୍ରତ ପ୍ରଧାନ ୨ଟି ଚୌକା ସହ ୧୧ ରନ୍‌ କରିଥିଲେ । ଲଗ୍ନଜିତ ସାମଲ ୯ଟି ବଳ୍‌ରୁ ୧୧ ରନ୍‌କରି ଅପରାଜିତ ଥିଲେ । ଅଧିନାୟକ ଆବୁ ନଚିମ୍‌ ଅହମ୍ମଦ ଓ ପ୍ରୀତମ ଦାସ ୨ଟି ଲେଖାଏଁ ୱିକେଟ ପାଇଥିଲେ । ଆସାମ ୧୩୯ ରନ୍‌ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଓହ୍ଲାଇବା ପରେ ନିୟମିତ ଭାବେ ୱିକେଟ ହରାଇଥିଲା । ପଲ୍ଲବ ଦାସ ୦ ଓ ଶିବଶଙ୍କର ରାୟ ୭ ରନ୍‌କରି ବିଦାୟ ନେଇଥିଲେ । ତେବେ ଅନ୍ୟପଟେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଋଷଭ ଦାସଙ୍କୁ ଆଉଟ୍‌କରି ଦେବବ୍ରତ ପ୍ରଧାନ ଓଡ଼ିଶାକୁ ବଡ଼ ସଫଳତା ଦେଇଥିଲେ । ଋଷଭ ୧୯ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍‌ କରିଥିଲେ । ଅମିତ ସିହ୍ନା ୧୭ ରନ୍‌ କରିଥିଲେ । ଆସାମ ୪୧ ରନ୍‌ରେ ଶେଷ ୮ଟି ୱିକେଟ ହରାଇଥିଲା । ଋଷଭ ଓ ଅମିତଙ୍କୁ ଛାଡ଼ି କେହି ମଧ୍ୟ ଦୁଇଅଙ୍କ ବିଶିଷ୍ଟ ସ୍କୋର୍‌ କରି ପାରିନଥିଲେ । ପୂର୍ବରୁ ମହାରାଷ୍ଟ୍ର ପାଇଁ ରଣଜୀ ଓ ରାଜସ୍ଥାନ ପାଇଁ ଆଇପିଏଲ୍‌ ଖେଳିଥିବା ଲେଗ୍‌ସ୍ପିନର ଅଭିଷେକ ରାଉତ ୩ଟି ୱିକେଟ ନେଇଥିଲେ । ମିଡିୟମ୍‌ ପେସ୍‌ ବୋଲର ପ୍ରୟାସ ସିଂହ ଠାକୁର ୩ ଓଭରରୁ ମାତ୍ର ୬ ରନ୍‌ଦେଇ ୩ଟି ୱିକେଟ ପାଇଥିଲେ । ଦଳର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ । ବୁଧବାର ପୂର୍ବାଞ୍ଚଳ ଲିଗ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ତ୍ରିପୁରାକୁ ୨୪ ରନ୍‌ରେ ଘରୋଇ ଝାଡ଼ଖଣ୍ଡ ପରାସ୍ତକରି ତା’ର ଅଭିଯାନ ଆରମ୍ଭ କରିଛି ।

 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।