ଧୁପରଙ୍କ ୯୦ ସତ୍ତ୍ୱେ ବଙ୍ଗଳାଠାରୁ ଓଡ଼ିଶା ପରାସ୍ତ

ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଟ୍ୱେଣ୍ଟି୨୦ କ୍ରିକେଟ

Copy Editor AH | Published On: Jan 08, 2018 11:14 PM IST |   240


କଟକ: ଚଳିତ ଘରୋଇ ସିଜିନ୍‌ରେ ଓଡ଼ିଶା କ୍ରିକେଟ ଦଳର ଦୟନୀୟ ପ୍ରଦର୍ଶନ ଅବ୍ୟାହତ ରହିଛି । ରଣଜୀ ଟ୍ରଫିର ବିଫଳ ଅଭିଯାନ ପରେ ରାଞ୍ଚିରେ ସୋମବାର ଆରମ୍ଭ ହୋଇଥିବା ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ପୂର୍ବାଞ୍ଚଳ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଛି ଓଡ଼ିଶା । ଓଡ଼ିଶାକୁ ସହଜରେ ୭ ୱିକେଟରେ ପରାସ୍ତକରି ତାରକାଖଚିତ ବଙ୍ଗଳା ପୂରା ୪ ପଏଣ୍ଟ ପାଇଛି । ଓପ୍‌ନର ରାଜେଶ ଧୁପର ୯୦ ରନ୍‌ର ଇନିଂସ ଖେଳିଥିଲେ ହେଁ ଓଡ଼ିଶାକୁ ପରାଜୟରୁ ବଞ୍ଚିବା ପାଇଁ ଏହା ଯଥେଷ୍ଟ ନଥିଲା । ଧୁପରଙ୍କ ୯୦ ରନ୍‌ର ଇନିିଂସ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୫ ୱିକେଟରେ ୧୫୭ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ପାରିଥିଲା । ତେବେ ବଙ୍ଗଳାର ଦୁଇ ଓପ୍‌ନର ଏହି ସ୍କୋର୍‌କୁ ଉପହାସ କରି ଆରମ୍ଭରୁ ଓଭର ପିଛା ୧୦ ରନ୍‌ ହାରରେ ସ୍କୋର୍‌ କରିଥିଲେ ଏବଂ ୧୩୪ ରନ୍‌ର ଓପ୍‌ନିଂ ଭାଗିଦାରୀ କରିବାରୁ ୧୮.୪ ଓଭରରେ ବଙ୍ଗଳା ୩ ୱିକେଟ ହରାଇ ବିଜୟୀ ହୋଇଥିଲା । ବୁଧବାର ଦିନ ୧ଟାରେ ଆସାମ ବିରୋଧରେ ଓଡ଼ିଶା ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବ । ସୋମବାର ପୂର୍ବାଞ୍ଚଳ ଲିଗ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଆସାମକୁ ତ୍ରିପୁରା ୮ ରନ୍‌ରେ ପରାସ୍ତ କରିଛି ।


ଓଡ଼ିଶା ଟସ୍‌ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍‌ନିଂ ଯୋଡ଼ି ପ୍ରଥମ ୬ ଓଭରର ପାୱରପ୍ଲେରେ ୫୪ ରନ୍‌କରି ବଙ୍ଗଳା ବୋଲିଂକୁ ଚାପରେ ପକାଇଥିଲେ । ବିଶେଷକରି ରାଜେଶ ଧୁପର ସମସ୍ତ ବୋଲରଙ୍କୁ ପ୍ରହାର କରିବା ଆରମ୍ଭ କରିଥିଲେ । ଓପ୍‌ନିଂ ଯୋଡ଼ି ୭ମ ଓଭରରେ ୫୬ ରନ୍‌ କରିବା ପରେ ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ପ୍ରଥମେ ଆଉଟ ହୋଇ ଯାଇଥିଲେ । ଏହି ବାମହାତି ୧୮ ବଲ୍‌ରୁ ୫ଟି ଚୌକା ସହ ୨୩ ରନ୍‌ କରିଥିଲେ । ତେବେ ଦଳରେ ପ୍ରୟାସ ସିଂହ ଠାକୁର, ଶୁଭ୍ରାଂଶୁ ସେନାପତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପରି ବ୍ୟାଟ୍‌ସମ୍ୟାନ ଦଳରେ ଥିଲେ ହେଁ ପରେଶ ପଟେଲ ଓ ଦେବାଶିଷ ସାମନ୍ତରାୟଙ୍କୁ ବ୍ୟାଟିଂ ପଠାଇବାର ତ୍ରୁଟି ଅନୁରାଗ କରିଥିଲେ । ବାମହାତି ପରେଶ ୬ଟି ବଲ୍‌ରୁ ୧ ରନ୍‌ କରିଥିବା ବେଳେ ଦେବାଶିଷ ୮ ଓଭରରୁ ଅଧିକ ସମୟ କ୍ରିଜ୍‌ରେ ରହି ୧୭ ବଲ୍‌ରୁ ୨ଟି ଚୌକା ସହ ମାତ୍ର ୧୯ ରନ୍‌ କରି ପାରିଥିଲେ । ତେବେ ଅନ୍ୟପଟୁ ଧୁପର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବାରୁ ଓଡ଼ିଶାର ରନ୍‌ଗତି ବଜାୟ ରହିଥିଲା । ୧୬ଶ ଓଭରର ପ୍ରଥମ ୨ଟି ବଲ୍‌ରେ ଦେବାଶିଷ ଓ ଶୁଭ୍ରାଂଶୁ ସେନାପତି ଆଉଟ ହେବା ପରେ ଧୁପର ଏକା ମୋର୍ଚ୍ଚା ସମ୍ଭାଳିଥିଲେ । ପରବର୍ତ୍ତୀ ୨୮ ବଲ୍‌ରୁ ଓଡ଼ିଶା ୩୯ ରନ୍‌ କରି ପାରିଥିଲା । ପ୍ରୟାସ ସିଂହ ଠାକୁର ୧୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ଉପଯୋଗୀ ୨୦ ରନ୍‌କରି ଅପରାଜିତ ଥିଲେ । ଇନିଂସର ଅନ୍ତିମ ବଲ୍‌ରେ ରନ୍‌ଆଉଟ ହୋଇଥିବା ରାଜେଶ ଧୁପର ୬୪ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୯୦ ରନ୍‌ କରିଥିଲେ । ବଙ୍ଗଳାର ଋତିକ ଚାଟାର୍ଜୀ ଓ ଅଧିନାୟକ ମନୋଜ ତିୱାରୀ ୨ଟି ଲେଖାଏଁ ୱିକେଟ ପାଇଥିଲେ ।


ସମ୍ମୁଖରେ ୧୫୮ ରନ୍‌ର ଲକ୍ଷ୍ୟ ଥିବା ବେଳେ ବଙ୍ଗଳାର ଓପ୍‌ନିଂ ଯୋଡ଼ି ବିଧ୍ୱଂସୀ ଢଙ୍ଗରେ ଇନିଂସ ଆରମ୍ଭକରି ଓଭର ପିଛା ୧୦ ରନ୍‌ ହାରରେ ସ୍କୋର୍‌ କରିଥିଲେ । ୧୪ଶ ଓଭରରେ ଓପ୍‌ନିଂ ଯୋଡ଼ି ୧୩୪ ରନ୍‌ କରିବା ପରେ ଦଳର ବିଜୟ ନିଶ୍ଚିତ ହୋଇ ଯାଇଥିଲା । ବିବେକ ସିଂହ ୬୪ ରନ୍‌କରି ରନ୍‌ଆଉଟ ହୋଇ ଯାଇଥିଲେ । ବିବେକ ୪୩ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୬୪ ରନ୍‌ କରିଥିଲେ । ପରେ ମନୋଜ ତିୱାରୀ ୩ ରନ୍‌କରି ଆଉଟ ହୋଇଥିଲେ । ଅନ୍ୟ ଓପ୍‌ନର ତଥା ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ପାଇଁ ଖେଳିଥିବା ଶ୍ରୀବତ୍ସ ଗୋସ୍ୱାମୀ ୭୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ବାମହାତି ଗୋସ୍ୱାମୀ ୫୨ ବଲ୍‌ରୁ ୨ଟି ଛକା ଓ ୯ଟି ଚୌକା ସହ ୭୯ ରନ୍‌ କରିଥିଲେ । ଦେବବ୍ରତ ପ୍ରଧାନ ଓ ଅଭିଷେକ ରାଉତ ଓଡ଼ିଶା ପାଇଁ ଭଲ ବୋଲିଂ କରିଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।