ବିଚରା ଲାଲୁ

.

Published On: Jan 08, 2018 11:12 PM IST |   109

ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତାଦଳର ମୁଖିଆ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ସ୍ବତନ୍ତ୍ର ସିବିଆଇ ଅଦାଲତ ଦ୍ବାରା ସାଢ଼େ ତିନିବର୍ଷ କାରାଦଣ୍ଡାଦେଶ ପାଇଛନ୍ତି। ଏହି ଦଣ୍ଡ ଘୋଷଣାର ପ୍ରାକ୍‌ ଓ ପରବର୍ତ୍ତୀ କାଳର ଘଟଣାବଳୀକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି ଯେ ଆମର ପ୍ରଭାବଶାଳୀ ନେତାମାନେ ଦଣ୍ଡରୁ ଖସିବା ଏବଂ ଦଣ୍ଡକୁ ନିଜର ଏକ ନୈତିକ ବିଜୟଭାବେ ପ୍ରଦର୍ଶନ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।
ଗୋଖାଦ୍ୟ ଦୁର୍ନୀତିର ଗୋଟିଏ ମାମଲା (କୋଟିଏ ପାଖାପାଖି ଠକେଇ)ରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଦଣ୍ଡ ଘୋଷଣା ପାଇଁ ବିଚାରପତି ତିନିଥର ତାରିଖ ବଦଳାଇଲେ। ସେଥିରେ ଗୋଟିଏ କାରଣ ଥିଲା ଲାଲୁଙ୍କ ସମ୍ପର୍କୀୟ ତାଙ୍କ ଉପରେ ଚାପ ପକାଇ ବାର୍ଦ୍ଧକ୍ୟଜନିତ କାରଣରୁ ଦୋଷୀଙ୍କୁ ଦଣ୍ଡ କୋହଳ କରିବାକୁ କହିଥିଲେ। ଏବେ ଲାଲୁ ଦଣ୍ଡାଦେଶ ପାଇବା ପରେ କହୁଛନ୍ତି ଯେ ତାଙ୍କର ଏହି ଦୁର୍ଦିନ ପଛରେ ବିଜେପିର ହାତ ରହିଛି। ବିଜେପିର ଚାପ ଓ ଇଂଗିତରେ ସେ କାମ ନକରିବାରୁ ତାଙ୍କୁ ଏ ଦଶା ଭୋଗିବାକୁ ପଡ଼ିଛି।
ତାଙ୍କ ପୁଅ ତଥା ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ବୀ ଯାଦବ ଏହି ଘଟଣାରେ ତାଙ୍କ ପିତାଙ୍କୁ ଜଣେ ନାୟକଭାବେ ଉପସ୍ଥାପିତ କରିବାକୁ ସୁଯୋଗ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ପାଟନାରେ ଏକ ଦଳୀୟ ସଭାରେ ସେ କହିଛନ୍ତି ଯେ ତାଙ୍କ ପିତା ସାଧାରଣ ଜନତାଙ୍କର ଜଣେ ତ୍ରାଣକର୍ତ୍ତା ଥିଲେ। ଏଥିରେ ଈର୍ଷାନ୍ବିତ ବିରୋଧୀମାନେ ତାଙ୍କୁ ଜାଣିଶୁଣି ମିଛ ମକଦ୍ଦମାରେ ପକାଇ ଫସାଇଛନ୍ତି। ଏହା ବିରୋଧରେ ସେ ଜନତାଙ୍କ ଅଦାଲତକୁ ଯାଇ ନ୍ୟାୟ ମାଗିବେ।
ଉଭୟ ଦଳ ଓ ପିତାଙ୍କ ଦୁର୍ଦିନ ସମୟରେ ତେଜସ୍ବୀଙ୍କ ଏଭଳି ପ୍ରତିକ୍ରିୟା ସ୍ଥିତିର ସମ୍ମୁଖୀନ ହେବାପାଇଁ ଏକ ଭଲ ରାଜନୈତିକ କୌଶଳ। ନିଜକୁ ବଞ୍ଚାଇବାକୁ ତ ବାହାନା ଲୋଡ଼ା। ଲାଲୁ ଏହି ଦଣ୍ଡାଦେଶ ଫଳରେ ନିଃଶେଷ ହୋଇନାହାନ୍ତି ଏବଂ ନିର୍ବାଚନ ଲଢ଼ିବା ଏବଂ ଏଥିରେ ଭାଗ ନେବା ଅଧିକାର ହରାଇଥିଲେ ମଧ୍ୟ ନିଜ ଦଳ, ପରିବାର ଓ ବିରାଦାରଙ୍କ ରାଜନୈତିକ ଉତ୍‌ଥାନ, ଥଇଥାନ ପାଇଁ କାମ କରିବାର ସମସ୍ତ ସୁଯୋଗ ତାଙ୍କର ରହିଛି। ଏହି ଗୋଖାଦ୍ୟ ଦୁର୍ନୀତି ପ୍ରସଙ୍ଗ ଓ ମାମଲା ଆଜିକାଲିର ନୁହେଁ; ୨୫ବର୍ଷରୁ ଅଧିକ ପୁରୁଣା। ଆହୁରି ବଡ଼କଥା ହେଲା ଏହି ଦୁର୍ନୀତି ମାମଲା ଗୋଟିଏରେ ମଧ୍ୟ ସୀମିତ ନୁହେଁ, ଏକାଧିକ। ମୋଟ ୯୬୦ କୋଟି ଟଙ୍କାର ଏହି ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ଆହୁରି ଚାରିପାଞ୍ଚଟି ମାମଲାର ବିଚାର ଚାଲିଛି।
ସିବିଆଇ କେନ୍ଦ୍ରସରକାରଙ୍କ ବୋଲକରା ହୋଇପାରେ। ଏ ନେଇ ଲାଲୁ ଓ ତାଙ୍କ ପରିବାରର ସନ୍ଦେହ ପ୍ରଶ୍ନାତୀତ। ସେଇଥିପାଇଁ ବୋଧହୁଏ ଲାଲୁ କେତେବେଳେ କଂଗ୍ରେସ ତ କେତେବେଳେ ବାମପନ୍ଥୀ ଓ ଅନ୍ୟଦଳଙ୍କ ସହ ବୁଝାମଣା କରି କେନ୍ଦ୍ରରେ କ୍ଷମତାରେ ରହିଆସୁଥିଲେ ଏବଂ ନିଜକୁ ସିବିଆଇ ଆକ୍ରମଣରୁ ସୁରକ୍ଷିତ କରି ଆସୁଥିଲେ। ଏବେ ବୋଧହୁଏ ସେ ସମୀକରଣ ବଦଳି ଯାଇଛି ! ଏହି ‌ମାମଲାରେ ସେ ହୁଏତ ଶୀଘ୍ର ଜାମିନ ପାଇଯିବେ, ଅନ୍ୟ ମାମଲାଗୁଡ଼ିକ କିନ୍ତୁ ତାଙ୍କ ବେକରେ କାଳସର୍ପ ଭଳି ଗୁଡ଼େଇ ହୋଇରହିବ।
ଲାଲୁ ଏବେ ବୃଦ୍ଧ ଓ ଅସୁସ୍ଥ। ପ୍ରାୟ ଏକଶହ କୋଟି ଟଙ୍କାର ଏକ ଦୁର୍ନୀତିରେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜାଣିଶୁଣି ଫସାଇ ଦିଆଯାଇଛି ଓ ସେ ଗୋଟାପଣ ନିର୍ଦୋଷ, ଏକଥା ଖୁବ୍‌ କମ୍‌ ଲୋକ ବିଶ୍ବାସ କରିବେ। ବାହାନା ନ ଦେଖାଇ, ବୟାନବାଜି ନ’କରି ସେ ନିଜକୁ ନିର୍ଦୋଷ ପ୍ରମାଣ କରିପାରିଲେ ସାଧାରଣରେ ପ୍ରଶଂସାର ପାତ୍ର ହେବେ ଏବଂ ନିଜର ରାଜନୈତିକ ଅଧିକାର ଫେରିପାଇବେ। ସିବିଆଇ ସିନା ସରକାରଙ୍କ ପୋଷା, ଅଦାଲତ ଅନ୍ତତଃ ନୁହେଁ- ଏକଥା ଲାଲୁଙ୍କୁ ମନେ ପକାଇଦେବାର ଆବଶ୍ୟକତା ନାହିଁ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ