ରେଳ ଦୁର୍ଦଶା

.

Published On: Jan 07, 2018 09:15 PM IST |   40

ଭାରତୀୟଙ୍କ ପାଇଁ ରେଳ ଏକ ଜୀବନରେଖା ସଦୃଶ ହୋଇଥିଲେ ହେଁ ସେଥିପ୍ରତି ସରକାର ଯେତିକି ଦୃଷ୍ଟି ଦେବା କଥା ଦେଉନାହାନ୍ତି, ତାହା ଆମେ ଅଙ୍ଗେ ନିଭାଇ ଆସୁଛୁ। ମୋଦି ସରକାର ରେଳଗାଡ଼ି ଚଳାଚଳକୁ ସମୟାନୁବର୍ତ୍ତୀ କରିବା ସହ ରେଳଷ୍ଟେସନଗୁଡ଼ିକର ଆଧୁନିକୀକରଣକୁ ଗୁରୁତ୍ବ ଦେଉଛନ୍ତି ବୋଲି ବାରମ୍ବାର କହୁଥିଲେ ହେଁ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ; ବରଂ ରେଳବାଇ ଅଧିକ ଶୁଳ୍କ ଆଦାୟ କରି ଯାତ୍ରୀମାନଙ୍କୁ ଅର୍ଥହାନି ପ୍ରାଣପୀଡ଼ା ଦେଇଚାଲିଛନ୍ତି। ଗତ ଗୁରୁବାର କଂଗ୍ରେସ ସାଂସଦ ପି.ଏଲ୍. ପୁନିଆ ରାଜ୍ୟସଭାରେ ଆମ ରେଳବ୍ୟବସ୍ଥା ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ, ତାହା ବେଶ୍ ଯଥାର୍ଥ ମନେହୁଏ। ସର୍ବସାଧାରଣଙ୍କ ଯାତାୟାତ ପାଇଁ ରହିଥିବା ଏହି ସର୍ବବୃହତ୍ ବ୍ୟବସ୍ଥାକୁ କାହିଁକି ଯେ ଗୁରୁତ୍ବ ଦିଆଯାଉନାହିଁ, ତାହା ବୁଝିହେଉନାହିଁ।

ଦୁଇ ମାସ ତଳେ ରେଳବାଇ ୪୮ଟି ରେଳଗାଡ଼ିକୁ ‘ସୁପର୍‌ଫାଷ୍ଟ୍’ ଦର୍ଜା ଦେବା ସହ ଅଧିକ ଭଡ଼ା ଆଦାୟ କରିବାର ଘୋଷଣା କରିଥିଲା। ସେହି ଅନୁସାରେ ଏବେ ଅଧିକ ଭଡ଼ା ଆଦାୟ କରାଯିବା ଆରମ୍ଭ ହୋଇଛି; କିନ୍ତୁ ରେଳଗାଡ଼ିଗୁଡ଼ିକର ଗତି ଓ ନିର୍ଦ୍ଧାରିତ ମାନକ ଆଦୌ ବଦଳିନାହିଁ। ପ୍ରାୟ ସମସ୍ତ ରେଳଗାଡ଼ି ବିଳମ୍ବରେ ଚାଲୁଛି। ଶ୍ରୀ ପୁନିଆଙ୍କ ମତରେ କୌଣସି ଟ୍ରେନ ଠିକ୍ ସମୟରେ ନିର୍ଦ୍ଧାରିତ ଷ୍ଟେସନରେ ପହଞ୍ଚୁନଥିବା ସତ୍ତ୍ବେ ଯାତ୍ରୀଙ୍କଠାରୁ ଯେଉଁ ଅଧିକ ଭଡ଼ା ଅସୁଲ କରାଯାଉଛି, ତାହା ସେମାନଙ୍କୁ ଫେରାଇ ଦିଆଯାଉ ବା ଆଦୌ ନିଆ ନ ଯାଉ। ସୂଚନାଯୋଗ୍ୟ, ଛଅ ମାସ ପୂର୍ବେ ଭାରତର ମହାଲେଖା ପରୀକ୍ଷକ ଓ ନିୟନ୍ତ୍ରଣ (ସିଏଜି) ମଧ୍ୟ ତାଙ୍କ ରିପୋର୍ଟରେ କହିଥିଲେ ଯେ ଯାତ୍ରୀ ସୁପର୍‌ଫାଷ୍ଟ୍ ଟ୍ରେନଭଡ଼ା ଦେଉଛନ୍ତି, କିନ୍ତୁ ଟ୍ରେନ ଯଦି ସେହି ଗତିରେ ଚାଲୁନାହିଁ ସେମାନଙ୍କୁ ଭଡ଼ାଟଙ୍କା ଫେରାଇ ଦିଆଯାଉ। ଏନେଇ ସରକାର ଚିନ୍ତା କରିବା ବଦଳରେ ରାଜ୍ୟସଭାରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ସଫେଇ ଦେଇ କହିଛନ୍ତି ଯେ ବର୍ଷବର୍ଷ ଧରି ମୌଳିକ ଢାଞ୍ଚା ଅବ୍ୟବସ୍ଥିତ ହୋଇ ରହିଥିବାରୁ ଏପରି ଘଟୁଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ରେଳବାଇ ତା’ର ପୁରୁଣା ଭିତ୍ତିଭୂମି ଉପରେ ହିଁ ନୂଆ ହୋଇ ଦୌଡ଼ିବାର ସ୍ବପ୍ନ ଦେଖୁଛି ଓ ଦେଖାଉଛି, ଯାହା ଅବାସ୍ତବ। ଏହା ସରକାର ନିଜେ ମଧ୍ୟ ବୁଝିବା ଉଚିତ। ଆହୁରି ମଧ୍ୟ ବର୍ତ୍ତମାନର ସରକାର ରେଳ ବ୍ୟବସ୍ଥାକୁ ନେଇ କଥାରେ ଯେତିକି କହୁଛି, କାମରେ ତାହା କରୁନଥିବା ସ୍ପଷ୍ଟ ହେଲାଣି। କେବଳ କେତେକ ଷ୍ଟେସନରେ ମାଗଣା ୱାଇଫାଇ ଲଗାଇ ଆଧୁନିକ କରିଦେଲୁ ବୋଲି ଭାବିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ। ରେଳବାଇ ଏବେ ବିଭିନ୍ନ ସୁବିଧା, ସୁରକ୍ଷା ବଢ଼ାଇବା, ଫ୍ଲେକ୍ସି ଓ ପ୍ରିମିୟମ୍ ଭଡ଼ା ବୃଦ୍ଧି ଓ ଅନ୍ୟାନ୍ୟ ଉପାୟରେ ଯାତ୍ରୀଙ୍କଠାରୁ ପ୍ରକୃତ ଭଡ଼ାଠୁ ବହୁତ ଅଧିକ ଟଙ୍କା ଆଦାୟ କରୁଥିଲେ ହେଁ କୌଣସି ସୁବିଧାସୁଯୋଗ ଯାତ୍ରୀଙ୍କୁ ଠିକ୍‌ଭାବେ ମିଳୁନାହିଁ। ରେଳ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି। ରେଳବାଇରେ ଲକ୍ଷାଧିକ ପଦ ଖାଲିପଡ଼ିଛି, ଯାହାକୁ ସରକାର ପୂରଣ କରିବାକୁ ପଦକ୍ଷେପ ନେଉନାହାନ୍ତି। ବିଡ଼ମ୍ବନାର କଥା ଯେ ଗୋଟିଏ ପଟେ ସମ୍ଭ୍ରାନ୍ତ ବର୍ଗଙ୍କ ପାଇଁ ଋଣ ଟଙ୍କାରେ ବୁଲେଟ୍ ଟ୍ରେନ ଚଳାଇବା କଥା ଚିନ୍ତା କରାଯାଉଥିବାବେଳେ ଦେଶର ସର୍ବସାଧାରଣ ରେଳବ୍ୟବସ୍ଥାକୁ ସର୍ବନିମ୍ନ ସୁବିଧାସୁଯୋଗଯୁକ୍ତ ଓ ସୁରକ୍ଷିତ କରିବାରେ ସରକାର ଅବହେଳା କରିଚାଲିଛନ୍ତି। ଏହା ଆଦୌ ବାଞ୍ଛନୀୟ ନୁହେଁ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।