ସଂସ୍କୃତି ଭବନ ଲୋକାର୍ପିତ

ସଂସ୍କୃତି ଭବନ ଲୋକାର୍ପିତ

Copy Editor AH | Published On: Jan 02, 2018 06:35 AM IST |   139


ପୁରୀ : ଲୋକାର୍ପିତ ହୋଇଛି ସଂସ୍କୃତି ଭବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି । ୩କୋଟି ଟଙ୍କା ବ୍ୟୟରେ ନିର୍ମିତ ସଂସ୍କୃତି ଭବନରେ ୧୫୦ ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି । ସେଥିରେ ଶବ୍ଦ ନିୟନ୍ତ୍ରଣ ଏବଂ ଶୀତାପ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି । ଏଥିପାଇଁ ୨୦୧୨-୧୩ ଆର୍ଥିକ ବର୍ଷରେ ୨କୋଟି ୭୨ଲକ୍ଷ ଟଙ୍କା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମଞ୍ଜୁର କରିଥିଲା । କଲକାତାର ଏକ ଠିକାଦାର ସଂସ୍ଥାଦ୍ୱାରା ୩ହଜାର ବର୍ଗଫୁଟ ବିଶିଷ୍ଟ ସଂସ୍କୃତି ଭବନ ନିର୍ମାଣ କରାଯାଇଛି । ପୁରୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସଂସ୍କୃତି ଭବନ ନିର୍ମାଣର ଆବଶ୍ୟକତା ରହିଥିଲା । ସହରବାସୀଙ୍କ ଦୀର୍ଘବର୍ଷର ଦାବି ସରକାର ପୂରଣ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଡଃ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ସଂସ୍କୃତି ବିଭାଗ ସଚିବ ଡଃ ମନୋରଞ୍ଜନ ପାଣିଗ୍ରାହୀ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଜିଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଜିଲା ସଂସ୍କୃତି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ । ଜିଲାପାଳ ଏଥିପାଇଁ ଭଡାଧାର୍ଯ୍ୟ କରିବେ ବୋଲି ସଚିବ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ୩କୋଟିର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ୨ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଅଚଳ ହୋଇପଡିଛି । ମୁଖ୍ୟ ପ୍ରବେଶପଥ କବାଟରେ ଲାଗିଥିବା ଆଲମୁନିୟମ କବ୍‌ଜା ଓ ହାଣ୍ଡେଲ ଉପୁଡି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପୂର୍ବରୁ କେତେକ ବ୍ୟକ୍ତି ସଂସ୍କୃତି ସଚିବ ଓ ଜିଲାପାଳଙ୍କୁ ତାହା ଦେଖାଇଛନ୍ତି । ଶ୍ରୀ ପଟ୍ଟନାୟକ ଯିବାର କିଛିସମୟ ପରେ ବାରଣ୍ଡା ଉପର ଛାତତଳ ସିଲିଂର ୨ଟି କାଠ ପ୍ଲେଟ ପୁଣିଥରେ ଖସି ପଡିଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ସେସବୁର ମରାମତି କରାଯାଉଛି । ୨ବର୍ଷ ତଳୁ ସଂସ୍କୃତି ଭବନ ନିର୍ମାଣ ସରିଥିଲେ ମଧ୍ୟ ମୁଖ୍ୟ ଫାଟକରେ ନୂଆ ଗ୍ରୀଲ୍‌ କିମ୍ବା ନାମଫଳକ ଏପର୍ଯ୍ୟନ୍ତ ଲଗାଯାଇ ନାହିଁ । ଗାଲିଚାରେ ଲାଗିଥିବା ଉଇ ନଷ୍ଟ ପାଇଁ ରାସାୟନିକ ପ୍ରଲେପ ଦିଆଯାଇଛି । ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି ।
ଭାଙ୍ଗି ଯାଇଥିବା ହ୍ୟାଣ୍ଡେଲ ଓ କବ୍‌ଜା ତୁରନ୍ତ ପରିବର୍ତ୍ତନ ପାଇଁ ସଂସ୍କୃତି ସଚିବ ଶ୍ରୀ ପାଣିଗ୍ରାହୀ ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଓଟିଡିସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟି.କେ ପଣ୍ଡା କହିଛନ୍ତି ଯେ ଦୀର୍ଘଦିନ ଧରି ସଂସ୍କୃତି ଭବନ ତାଲାପଡି ରହିବା ଯୋଗୁଁ କେତେକ ଉପକରଣରେ କଳଙ୍କି ଲାଗିଯାଇଛି । ସେଗୁଡିକ ପରିବର୍ତ୍ତନ କରାଯିବ । ନିମ୍ନମାନର କାର୍ଯ୍ୟନେଇ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।