‘ଅଧିକ ଆଦର୍ଶ ମଣିଷ ଲୋଡ଼ା’ : ଜଷ୍ଟିସ ପଶାୟତ

ନବବର୍ଷ ଅବସରରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ବନ୍ଧୁମିଳନ ଓ ଜାନୁଆରୀ ସଂଖ୍ୟା ଉନ୍ମୋଚନ

Copy Editor AH | Published On: Jan 02, 2018 02:13 AM IST | Updated On: Jan 02, 2018 02:16 AM IST |   885


କଟକ : ସମ୍ପ୍ରତି ସମାଜରୁ ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟ ଘଟିଚାଲିଛି। ବର୍ତ୍ତମାନ ଆମେ ସମାଜରେ ଆଦର୍ଶ ମଣିଷଙ୍କୁ ଖୋଜିବାକୁ ପଡୁଛି। ଗାନ୍ଧି ଓ ଗୋପବନ୍ଧୁଙ୍କ ଭଳି ମନୀଷୀମାନଙ୍କୁ ଆମର ଆଦର୍ଶ ପୁରୁଷଭାବେ ଉପସ୍ଥାପିତ କରିଚାଲିଛୁ। ନୂଆ ପିଢିରେ ଆମେ କ୍ୱଚିତ ବିକଳ୍ପ ପାଉଛୁ। ଏକ ସମୃଦ୍ଧ ଓ ବିକଶିତ ଜାତି ଗଢିବାକୁ ହେଲେ ଆଦର୍ଶ ମଣିଷ ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ ପଶାୟତ ମତବ୍ୟକ୍ତ କରିଛନ୍ତି।


ଇଂରାଜୀ ନବବର୍ଷ ଅବସରରେ ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ଏକ ବନ୍ଧୁମିଳନ ଓ ପତ୍ରିକାର ଜାନୁଆରୀ ସଂଖ୍ୟାର ଉନ୍ମୋଚନ ଉତ୍ସବ ସୋମବାର ସନ୍ଧ୍ୟାରେ ଗୋପବନ୍ଧୁ ଭବନରେ ଅନୁଷ୍ଠିତ ହୋଇଯାଇଛି। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥିଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଏସଆଇଟିର ଅଧ୍ୟକ୍ଷ ଜଷ୍ଟିସ ପଶାୟତ କହିଲେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ବାସ୍ତବ ପୃଷ୍ଠପୋଷକତ୍ୱ ସବୁ ଓଡ଼ିଆଙ୍କ ହାତରେ। ହାତଗଣତି କେତେଜଣ ବ୍ୟକ୍ତି ଗୋପବନ୍ଧୁଙ୍କ ସ୍ୱପ୍ନକୁ ସାକାର କରିପାରିବେ ନାହିଁ। ଏଥିପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବାକୁ ସେ ଆହ୍ୱାନ ଦେଇଥିଲେ। ଆମ ଜୀବନର ମୂଲ୍ୟ ସତ୍ୟ ଓ ଧର୍ମ ଉପରେ ପ୍ରତିଷ୍ଠିତ ହେବା ଆବଶ୍ୟକ ବୋଲି ଜଷ୍ଟିସ ପଶାୟତ କହିଥିଲେ। ଗୋପବନ୍ଧୁ ଯେଉଁ ମାର୍ଗଦର୍ଶନ କରିଥିଲେ ଆମେ ତାହାର ଅନୁକରଣ କରିପାରିଲେ ସମାଜର ବିକାଶ ସମ୍ଭବ ବୋଲି ସେ କହିଥିଲେ।


ସଭାରେ ପୌରୋହିତ୍ୟ କରି ଶ୍ରୀ ରଥ କହିଲେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଖୁବ କମ୍‌ ଦିନରେ ଲୋକପ୍ରିୟତା ହାସଲ କରିପାରିଛି। ପାଠକଙ୍କ ନିକଟରୁ ପତ୍ରିକାର ପାଠକୀୟ ଆଦୃତି ସଂକ୍ରାନ୍ତରେ ବହୁ ଗଠନମୂଳକ ମତାମତ ଆସୁଛି। ଏହି ପତ୍ରିକାକୁ ଏକ ନିଆରା ପତ୍ରିକାଭାବେ ଗଢିତୋଳିବା ପାଇଁ ପାଠକଙ୍କ ସହଯୋଗ ସେ ଲୋଡିଥିଲେ। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ସମ୍ବେଦନ ବିନା ସାହିତ୍ୟ ସୃଷ୍ଟି ଅସମ୍ଭବ। ଲେଖକମାନେ ସମାଜର ସବାଶେଷ ମଣିଷର କଥା ବୁଝିବା ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରି ସୁପ୍ରିମକୋର୍ଟର ବିଚାରପତିଭାବେ ଜଷ୍ଟିସ ପଶାୟତଙ୍କ ସମ୍ବେଦନଶୀଳତା ଓ ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ସେ ତାଙ୍କ କାର୍ଯ୍ୟକାଳ ସମୟରେ ସମଗ୍ର ବିଶ୍ୱରେ ସର୍ବାଧିକ ମକଦ୍ଦମାର ରାୟ ପ୍ରଦାଶ କରିଥିଲେ ବୋଲି କହିଥିଲେ। ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର ପାଠକଙ୍କ ଭଲପାଇବା ଯୋଗୁଁ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସଫଳତା ସାଉଁଟି ପାରିଛି। ଆଗାମୀ ଦିନରେ ଓଡ଼ିଶାବାସୀ ‘ସମାଜ’ ପରି ଗୋପବନ୍ଧୁଙ୍କ ସତ୍ୟବାଦୀକୁ ପାଠକ ଭଲ ପାଇବେ ବୋଲି ଆଶାପ୍ରକାଶ କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ