୭ ଗ୍ୟାରେଜ ସମେତ ୧୩ଟି ଗାଡ଼ି ଭସ୍ମୀଭୂତ

ମଧୁବନ ଗ୍ୟାରେଜ ଅଞ୍ଚଳରେ ଭୟାଭୟ ଅଗ୍ନିକାଣ୍ଡ; ୧.୫ କୋଟି କ୍ଷତି

Copy Editor AH | Published On: Jan 02, 2018 01:57 AM IST |   230



ବାରିପଦା : ନୂଆବର୍ଷର ଆଗମନରେ ସମସ୍ତେ ଉତ୍ସବ ମନାଉଥିବା ବେଳେ ବାରିପଦା ସହରର ମଧୁବନ ମିନି ଷ୍ଟାଡିୟମ ନିକଟସ୍ଥ ଚାରି ଏକର ଜମି ଉପରେ ଥିବା ସାତୋଟି ଗ୍ୟାରେଜ ସମେତ ୧୩ ଗୋଟି ଗାଡିରେ ଗତ ରାତି ପ୍ରାୟ ୩ଟା ସମୟରେ ଭୟାଭୟ ଅଗ୍ନିକାଣ୍ଡ ଘଟି ପୋଡି ଯାଇଛି। ଆନୁମାନିକ କ୍ଷୟକ୍ଷତିର ପରିମାଣ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଗ୍ୟାରେଜ ମାଲିକଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣା ପଡି ନ ଥିବା ବେଳେ ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ କେନ୍ଦ୍ରର ଦମକଳ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ତିନି ଘଣ୍ଟା ସମୟ ନେଇଥିଲେ ଏବଂ କୌଣସି ଦୁବୃର୍ତ୍ତ ଜାଣିଶୁଣି ଏହି ନିଆଁ ଲଗାଇଥିବା ଅଗ୍ନିଶମ କେନ୍ଦ୍ରର ଅଧିକାରୀ ପ୍ରକାଶ ଜେନାଙ୍କଠାରୁ ପ୍ରକାଶ।


ସେଠାର ଗୋଟିଏ ଗ୍ୟାରେଜରେ ଶୋଇଥିବା ଜଣେ କର୍ମଚାରୀଙ୍କ ବକ୍ତବ୍ୟ ଅନୁଯାୟୀ ରାତି ପ୍ରାୟ ଅଢେଇଟା ସମୟରେ ୩/୪ ଜଣ ଯୁବକ ପହଞ୍ଚି ତାଙ୍କୁ ଧମକ ଚମକ ଦେବାରୁ ସେ ଭୟରେ ନିଦରେ ଶୋଇବାର ନାଟକ କରି ପଡି ରହିଥିଲେ ଏବଂ ସେହି ଯୁବକମାନେ ପାଖ ଗ୍ୟାରେଜରୁ ଏକ ଟିଭି ଓ ଗ୍ୟାରେଜ ଯନ୍ତ୍ରପାତିର ସେଟ୍‌ ବକ୍ସ ନେଇ ପଳାଇଯିବାର ପ୍ରାୟ ୧୦ ମିନିଟ୍‌ ପରେ ହୁ ହୁ କରି ଜଳୁଥିବା ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁରେ ଟାୟାର ଫାଟିବାର ପ୍ରଚଣ୍ଡ ଶବ୍ଦ ମଧ୍ୟ ହୋଇଥିଲା। ସେଠାର ଚକ୍ରି ଟ୍ରାକ୍ଟର ୱାର୍କ୍ସସପ ଗ୍ୟାରେଜର ଶୋଇଥିବା ଜଣେ ମେକାନିକ ଶେଖ୍‌ ଆସିକୁଲଙ୍କ ପ୍ରଚଣ୍ଡ ଶବ୍ଦରେ ନିଦ ଭାଙ୍ଗିବାରୁ ସେ ନିଜେ ପିନ୍ଧିଥିବା ଜାକେଟ୍‌ଟି ଅଧା ଜଳୁଥିବା ଦେଖି ପ୍ରାଣ ବିକଳରେ ଜାକେଟ୍‌ ଖୋଲି ବାହାର କରି ପିଙ୍ଗି ଦେବାରୁ ବର୍ତ୍ତି ଯାଇଥିଲେ। ଗ୍ୟାରେଜ ଅଞ୍ଚଳରେ ଥିବା ୨୫/୩୦ଟି କୁକୁଡା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି।


ଏହି ଗ୍ୟାରେଜଗୁଡିକୁ ମରାମତି ପାଇଁ ଆସି ପାର୍କିଂ ହୋଇଥିବା ୧୩ଟି ଗାଡି ମଧ୍ୟରୁ ୬ଟି ଟ୍ରାକ୍ଟର ଓଆର-୧୧ସି-୦୫୩୦, ଓଆର-୧୧ଇ-୯୮୮୩, ଓଆର-୧୧ଜି-୩୯୭୨, ଓଆର-୧୧ଜି-୭୨୮୨, ଓଆର-୧୧ଏଚ-୨୭୯୫ ଓ ଓଆର-୧୧ଏଚ-୪୦୮୯; ଗୋଟିଏ ଇଣ୍ଡିକା କାର ଓଆର-୦୭ଜେ-୮୧୦୭; ଗୋଟିଏ ଭିକ୍‌ଟା କାର ଓଆର-୧୧ଜି-୭୦୮୫; ଗୋଟିଏ ବୋଲେରୋ ଓଆର-୧୧କେ-୪୩୪୩ ଏବଂ ଚାରୋଟି ପିକ୍‌ଅପ ମଧ୍ୟରୁ ଗୋଟିଏ ଓଡି-୧୧-୪୧୪୪ ଓ ଅନ୍ୟ ତିନୋଟି ନୂଆ ପିକ୍‌ ଅପ ଗାଡି ରହିଥିଲା ଏବଂ ସେଗୁଡିକ ପୋଡିଯାଇଛି। ପୋଡି ଯାଇଥିବା ପାର୍କିଂ ଗାଡି ସମେତ ଗ୍ୟାରେଜଗୁଡିକ ମଧ୍ୟରୁ ଭବତୋଷ ଲେଙ୍କାଙ୍କ ତ୍ରିଶକ୍ତି ମଟର ଗ୍ୟାରେଜର ଏକ ଲକ୍ଷ ଟଙ୍କା, କାର୍ତ୍ତିକ ମହାନ୍ତଙ୍କ ମା’ମଙ୍ଗଳା ଅଟୋ ଇଲେକ୍ଟ୍ରିକ ୱାର୍କ ସପ୍‌ରେ ଥିବା ମଟର ଗାଡି ସମେତ ୩୦ଟି ବ୍ୟାଟେରୀରେ ୫୦ ଲକ୍ଷ ଟଙ୍କା, ଶେଖ୍‌ ସୋନାଙ୍କ ଚକ୍ରି ଟ୍ରାକ୍ଟର ୱାର୍କ ସପ୍‌ରେ ୧୫ ଲକ୍ଷ ଟଙ୍କା, ଶେଖ୍‌ ଜିଆଉଦ୍ଦିନଙ୍କ ସଲିମ ମଟର ଗ୍ୟାରେଜ ସମେତ ମଟର ଗାଡି ଯନ୍ତ୍ରପାତିର ୩୦ ଲକ୍ଷ ଟଙ୍କା, ବାବୁଲା ପଲେଇଙ୍କ ଗ୍ୟାରେଜରେ ଗାଡି ଆଦି ସମେତ ୩୬ ଲକ୍ଷ ଟଙ୍କା, ଦିଲ୍ଲୀପ ରଥଙ୍କ ଗ୍ୟାରେଜ ସମେତ ୪ଟି ମଟର ସାଇକେଲରେ ଅଢେଇ ଲକ୍ଷ ଟଙ୍କା ଏବଂ ଶେଖ୍‌ ବାବୁଲିଙ୍କ ରଙ୍ଗ ସ୍ଫ୍ରେ ମେସିନ, ରଙ୍ଗ ବାବଦ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ କ୍ଷତି ହୋଇଥିବାର ପ୍ରକାଶ କରିଛନ୍ତି। ଏ ସଂପର୍କରେ ଟାଉନ ଥାନାରେ ସୋମବାର ୨/୧୮ ନମ୍ବରର ଏକ ମାମଲା ୪୩୬ ଦଫାରେ ରୁଜୁ ହୋଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତତ୍‌ସହିତ ଏହି ଅଗ୍ନିକାଣ୍ଡ ନେଇ କ୍ଷୟକ୍ଷତି ଆକଳନ ସଂପର୍କରେ ବାରିପଦା ତହସିଲର ରେଭିନ୍ୟୁ ଇନ୍ସପେକ୍ଟର ବିଶ୍ୱଜିତ ଦଲେଇଙ୍କ ଦ୍ୱାରା ମଧ୍ୟ ସରଜମିନ ତଦନ୍ତ ଚାଲିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଗ୍ୟାରେଜ ମାଲିକମାନେ ସର୍ବସ୍ୱ ହରାଇଥିବାରୁ କ୍ଷତିପୂରଣ ଦିଆଯିବାକୁ ଦାବି କରିଛନ୍ତି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।