ଅକ୍ରୂରଙ୍କ ଗୋପପୁର ଗମନ, ଯମୁନା ନଈରେ କୃଷ୍ଣପାଦ ଦର୍ଶନ

ଅକ୍ରୂରଙ୍କ ଗୋପପୁର ଗମନ, ଯମୁନା ନଈରେ କୃଷ୍ଣପାଦ ଦର୍ଶନ

Copy Editor AH | Published On: Dec 31, 2017 05:19 AM IST |   106


ଗୋପପୁର/ମଥୁରାନଗରୀ : ଦେବର୍ଷି ନାରଦଙ୍କ ପରାମର୍ଶକ୍ରମେ କଂସ ଧନୁଯାତ୍ରା ମହୋତ୍ସବ ଆୟୋଜନ କରିବାର ନିଷ୍ପତି ନେଇଛନ୍ତି। ଏଣୁ ଏକ ଚିଟାଉ ଲେଖିଛନ୍ତି ନନ୍ଦରାଜାଙ୍କ ନାମେ। କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ପାଇଁ ପଠାଇବା ପାଇଁ ଏଥିରେ ନିର୍ଦେଶ ରହିଥିଲା। ଏହି ଚିଟାଉ ଧରି କୃଷ୍ଣବଳାରାମଙ୍କୁ ଆଣିବା ପାଇଁ ପୂର୍ବତନ ମନ୍ତ୍ରୀ ଅକ୍ରୂରଙ୍କୁ ଦାୟିତ୍ୱ ଦେଇଛନ୍ତି। ନିଜ ଅନ୍ତରର ସଦିଚ୍ଛା ଖୁବ ଶୀଘ୍ର ପୂରଣ ହେବା ଦେଖି ଗଦ୍‌ ଗଦ୍‌ ହୋଇ ଉଠିଛନ୍ତି ମନ୍ତ୍ରୀ ଅକ୍ରୂର। ନିଜର ଅତି ପ୍ରିୟ କୃଷ୍ଣଙ୍କୁ ଖୁବ ଶୀଘ୍ର ନିକଟରେ ପାଉଥିବା ଦୃଶ୍ୟ ତାଙ୍କ ଆଖି ଆଗରେ ଘୁରି ବୁଲୁଛି। ଲୋତକପୂର୍ଣ୍ଣ ଆଖିରେ କୃଷ୍ଣ ପ୍ରେମରେ ବିଭୋର ଅକ୍ରୂରଙ୍କ ସହ ମଥୁରାବାସୀ ମଧ୍ୟ ଅଶ୍ରୁସ୍ନିଗ୍ଧ ହୋଇପଡିଛନ୍ତି। ରାମନାମ ଗାଇ ଗାଇ ଅକୃର ଆରମ୍ଭ କରିଛନ୍ତି ଗୋପପୁର ଯାତ୍ରା। ସମଗ୍ର ମଥୁରାନଗରବାସୀ କୃଷ୍ଣବଳରାମଙ୍କ ଦର୍ଶନର ଆବେଗ ନେଇ ଉଚ୍ଛତ୍ସିତ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ମନ୍ତ୍ରୀ ଅକ୍ରୂରଙ୍କୁ। ଯମୁନାକୂଳରେ କୃଷ୍ଣଙ୍କୁ ସ୍ମରଣ କରନ୍ତେ ନଈରେ ସୃଷ୍ଟି ହୋଇଛି ଗମନୀୟ ପଥ । ଗୋପପୁରକୁ ପହଞ୍ଚିବା ପରେ ପବିତ୍ର ଧୂଳିକୁ ମୁଣ୍ଡରେ ବୋଲି ନଦୀ ତୁଠରେ କୃଷ୍ଣପାଦ ଦର୍ଶନ କରି ଗଦ୍‌ ଗଦ୍‌ ହୋଇ ଉଠିଲେ କୃଷ୍ଣ ପ୍ରେମୀ ଅକ୍ରୂର। ଗୋପ ଧୂଳିକୁ ନିଜର ସର୍ବାଙ୍ଗରେ ବୋଲି କୃଷ୍ଣପ୍ରେମରେ ବିହ୍ୱଳିତ ହୋଇପଡିଛନ୍ତି। ସେଇ ପାଦ ଚିହ୍ନ ଉପରେ ଲୋଟି ପଡି ଭକ୍ତି ପୂର୍ଣ୍ଣ ଅଶ୍ରୁ ଢ଼ାଳି ନିଜ ଜୀବନକୁ ଧନ୍ୟ କରିବା ସହ ଗୋପନଗରୀକୁ ଆରମ୍ଭ କରିଛନ୍ତି ତାଙ୍କ ଯାତ୍ରା। ଗୋପପୁରକୁ ପହଞ୍ଚିବା ପୂର୍ବରୁ ବୃନ୍ଦାବନ ପଡିଆରେ ପହଞ୍ଚି ହଠାତ୍‌ ଗୋପାଳଙ୍କ ସହ ଖେଳୁଥିବା ବ୍ରଜବିହାରୀ ଶ୍ରୀକୃଷ୍ଣଙ୍କୁ ଦେଖି ରଥରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି କୃଷ୍ଣ ଭକ୍ତ ଅକ୍ରୂର ଏବଂ କହି ଉଠିଛନ୍ତି ହେ ମାଧବ, ହେ ବାସୁଦେବ ମୋ ନେତ୍ର ଆଜ କଣ ଦେଖୁଛି। ସ୍ୱୟଂ ଗୋଲକବିହାରୀ ମୋର ସମ୍ମୁଖେ। ଆଜି ମୋର ନେତ୍ର ପବିତ୍ର ହୋଇଉଠିଛି। ମୋର ନର ଜନ୍ମ ସାର୍ଥକ ହୋଇଛି। ମୁଁ ଆଜି ମୋକ୍ଷ ପ୍ରାପ୍ତି କରିଛି।


କୃଷ୍ଣବଳରାମଙ୍କୁ ସାଥିରେ ନେଇ ଗୋପପୁରରେ ପ୍ରବେଶ କରି ସାକ୍ଷାତ କରିଛନ୍ତି ଯାଇ ନନ୍ଦରାଜାଙ୍କୁ ଏବଂ କଂସଙ୍କ ଚିଟାଉ ପ୍ରଦାନ କରିଛନ୍ତି। କଂସର ଚିଟାଉ ପଢ଼ି ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି ନନ୍ଦରାଜା। ଅପରପକ୍ଷରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାଚର୍ଚ୍ଚନାରେ ସମସ୍ତେ ବ୍ୟସ୍ତ ଥିବାରୁ ଇର୍ଷାନ୍ୱିତ ହୋଇଛନ୍ତି ଦେବରାଜ ଇନ୍ଦ୍ର ଏବଂ ଲଗାତର ସାତ ଦିନ ଧରି କରିଛନ୍ତି ଅବିଶ୍ରାନ୍ତ ବର୍ଷା। ଫଳରେ ଜଳାର୍ଣ୍ଣବରେ ଉବୁଡୁବୁ ହୋଇପଡିଛି ସମଗ୍ର ଗୋପପୁର। ସମସ୍ତ ଗୋପନଗ୍ରବାସୀ ଏଥିରୁ ତ୍ରାହି ପାଇବା ପାଇଁ ଭଗବାନ କୃଷ୍ଣଙ୍କୁ ଗୁହାରୀ କରିବାରୁ ଭଗବାନ ଶ୍ରୀକୃଷ୍ଣ ନିଜର କନିଷ୍ଠାଙ୍ଗୁଳିରେ ଗିରି ଗୋବର୍ଦ୍ଧନ ପର୍ବତକୁ ଟେକି ଧରି ସମସ୍ତ ଗୋପପୁରବାସୀଙ୍କୁ ବର୍ଷାରୁ ଆଶ୍ରୟ ଦେଇଥିଲେ।
ଅନ୍ୟପଟେ ମଥୁରା ନଗରୀରେ ପ୍ରବଳ ପ୍ରତାପୀ କଂସାସୁର ନଗର ଭ୍ରମଣ କରି ନିଜର ପ୍ରଜାଗଣଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି। ରାସ୍ତାରେ ନ୍ୟାୟ ବିଚାର କରିବା ସହ ଦୋଷୀକୁ ଦଣ୍ଡ ଦେଇଛନ୍ତି। ସେହିପରି ଦିଗବିଜୟରେ ବାହାରି ଦେବରାଜ ଇନ୍ଦ୍ରଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିବା ସହ ରମ୍ଭା ମେନକା ଉର୍ବଶୀଙ୍କୁ ନେଇ ଆଣିଛନ୍ତି ମଥୁରାନଗରୀକୁ। କୃଷ୍ଣ ବଳରାମଙ୍କୁ ଛଳନାର ଯାତ୍ରା ଧନୁଯାତ୍ରାକୁ ନିମନ୍ତ୍ରଣ କରି କୌଶଳରେ ହତ୍ୟା କରିବାକୁ ନେଇ ଉତଫୁଲିତ ହୋଇ ରାଜଦରବାରରେ ସୁରାପାନ କରି ମହାରାଜ କଂସ ନୃତ୍ୟଗୀତରେ ମସଗୁଲ ରହିଛନ୍ତି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।