ଉଦ୍‌ଘାଟନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ସିଡିଏରେ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Copy Editor AH | Published On: Dec 30, 2017 05:30 AM IST |   808

-ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ: ସମୀର,  -ଆମେ ବି ଚୁଡ଼ି ପିନ୍ଧିନାହୁଁ: ଦେବାଶିଷ

କଟକ : ମର୍କତନଗର ସେକ୍ଟର-୭ରେ ନିର୍ମିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନକୁ ନେଇ ବିଜେପି ଓ ବିଜେଡି ପୁଣି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରୀୟ ଅନୁଦାନରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଥିବା ବିଜେପି ନେତା ମତ ଦେଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବା ପୂର୍ବରୁ ଶୁକ୍ରବାର ବିଜେପି ଜିଲା ସଭାପତି ଏହାକୁ ଆଗୁଆ ଉଦ୍‌ଘାଟନ କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଦୃଢ ବିରୋଧ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ବିଜେପି ନେତାଙ୍କ ଏ ପ୍ରକାର କାର୍ଯ୍ୟକୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ବହୁ ଦଳୀୟ ନେତା ବିରୋଧ କରିଛନ୍ତି। ଏ ପ୍ରକାର ହୀନ କାର୍ଯ୍ୟରୁ ବିଜେପି ନେତା ଦୂରେଇ ରହିବାକୁ ସେ ଚେତାବନୀ ଦେଇଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲେ ଏହାର ଜବାବ ଦିଆଯିବ। ବିଜେଡି କର୍ମୀ ଚୁଡି ପିନ୍ଧି ନାହାନ୍ତି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି। ଅପରପକ୍ଷରେ ବିଜେଡିର ଏଭଳି ମିଥ୍ୟା ସୂଚନାକୁ ବିଜେପିର ବରିଷ୍ଠ ନେତା ସମୀର ଦେ ଦୃଢ ପ୍ରତିବାଦ କରିଛନ୍ତି। କଟକର ବିକାଶ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି। ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। କିନ୍ତୁ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହାକୁ ନିଜର ବୋଲି ଦାବି କରୁଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଦୃଢ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସମୀର ଓ ଦେବାଶିଷଙ୍କ ଏଭଳି ବକ୍ତବ୍ୟରୁ ଆସନ୍ତାକାଲି ଉଦ୍‌ଘାଟନ ଉତ୍ସବରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଉଦ୍‌ଘାଟନ ଉତ୍ସବ ପାଇଁ କମସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସିପି ପ୍ରମୋଦ ରଥ କହିଛନ୍ତି।


ବିଜେପି ଅଭିଯୋଗ କରିଛି ଯେ, ବିଭିନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟକୁ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ଏହିସବୁ କେନ୍ଦ୍ରୀୟ ସହାୟତାକୁ ଆତ୍ମସାତ କରୁଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ସିଡିଏ ସେକ୍ଟର-୭ରେ ୨୫ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଅର୍ଥ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ସହରାଞ୍ଚଳ ଅର୍ଥରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଥିବା ଦର୍ଶାଇଛନ୍ତି। ସରକାରଙ୍କ ଏଭଳି ମିଥ୍ୟା ସୂଚନାକୁ ବିଜେପି ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଛି। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଏମିତି ଏକାଧିକ ଉନ୍ନୟନ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ସହାୟତାରେ ହେଉଥିଲେ ମଧ୍ୟ ରାଜ୍ୟ ସରକାର ସେଗୁଡିକୁ ନିଜେ କରୁଥିବା ଘୋଷଣା କରିଚାଲିଛନ୍ତି। ସେକ୍ଟର-୭ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ସରକାରଙ୍କ ସହାୟତାରେ ନିର୍ମାଣ ହୋଇଥିବା ସରକାର ଘୋଷଣା କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। କେବଳ ସେତିକି ନୁହେଁ, ବିଜେପି ପକ୍ଷରୁ ଆଜି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ଦୟାନିଧି ଲେଙ୍କା, ଯୁବମୋର୍ଚ୍ଚା ପ୍ରଭାରୀ ଦେବାଶିଷ ଘୋଷ, ଜ୍ୟୋତିରଞ୍ଜନ ପଲାଇ, ପ୍ରଶାନ୍ତ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।


ପ୍ରକାଶ ଯେ, ୨୨ ହଜାର ବର୍ଗଫୁଟ୍‌ ଜମିରେ ଦୁଇମହଲା ବିଶିଷ୍ଟ ଏହି କେନ୍ଦ୍ରଟି ନିର୍ମାଣ ହୋଇଛି। ଏହାର ନିର୍ମାଣ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଽାମ୍ପର ବ୍ୟବସ୍ଥା କରାଯାଇଛି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ପେଡିଆଟ୍ରିକ୍‌, ସର୍ଜରୀ, ମେଡିସିନ୍‌, ଅର୍ଥୋପେଡିକ୍‌ ଖୋଲାଯିବା ସହିତ ଅପରେସନ୍‌ ଥିଏଟର (ଓ.ଟି)ର ମଧ୍ୟ ବ୍ୟବସ୍ଥା ରହିଛି। ୨୫ ଶଯ୍ୟାବିଶିଷ୍ଟ ଏହି କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ ପାଇଁ ମଧ୍ୟ ସ୍ୱତନ୍ତ୍ର ଗୃହ ତିଆରି କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ବହିର୍ବିଭାଗ ଏବଂ ଜରୁରୀକାଳୀନ ବିଭାଗ ରହିଛି। ଏଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।