କଠିନ ପରିଶ୍ରମରେ ବିଶ୍ୱାସ କରେ : ନବୀନ

ନବୀନ ପଟ୍ଟନାୟକଙ୍କ ସହ ‘ସମାଜ’ ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାର

Copy Editor AH | Published On: Dec 25, 2017 10:59 PM IST |   1123

-ଓଡ଼ିଶାରେ କଂଗ୍ରେସକୁ ହାଲ୍‌କା ଭାବେ ନିଆଯାଇପାରିବ ନାହିଁ , -ରାଜ୍ୟବାସୀଙ୍କ ସେବା କରିବା ଭିତରେ ଲେଖାଲେଖି ପାଇଁ ସମୟ ମିଳୁନି

ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନୂତନ ଆଞ୍ଚଳିକ ରାଜନୈତିକ ଦଳ ଭାବେ ଜନ୍ମନେଇଥିବା ବିଜୁ ଜନତା ଦଳ (ବିଜେଡି) ଇତିମଧ୍ୟରେ ୨୦ବର୍ଷ ପୂରଣ କରିଛି। ପ୍ରତିଷ୍ଠା ଦିବସରୁ ଏହାର ସଭାପତି ରହିଆସିଥିବା ବିଜୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ନିରଂକୁଶ କ୍ଷମତାରେ କ୍ରମାଗତ ଚତୁର୍ଥ ପାଳିରେ ରାଜ୍ୟ ଶାସନ କରୁଛନ୍ତି। ଆସନ୍ତାକାଲି ବିଜେଡ଼ି ଏହାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ରାଜନୈତିକ ଆହ୍ୱାନ ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନବୀନ ପଟ୍ଟନାୟକଙ୍କ ସହ ‘ସମାଜ’ ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାର।

ସମାଜ: ଦେଶର ୧୯ଟି ରାଜ୍ୟ ଏବେ ବିଜେପି କବଳରେ । ପୂର୍ବୋଦୟ ଯୋଜନାରେ ବିଜେପିର ଆଖି ବର୍ତ୍ତମାନ ଓଡ଼ିଶା ଉପରେ । ଯେକୌଣସି ମତେ ଓଡ଼ିଶାରେ କ୍ଷମତା ଅକ୍ତିଆର କରିବାକୁ ଦଳ ଲକ୍ଷ୍ୟ ରଖିଛି । ଦଳ ଏଠାରେ ୧୨୦ସିଟ୍‌ ହାତେଇବ ବୋଲି ବିଜେପି ସଭାପତି ଅମିତ ଶାହା କହିଛନ୍ତି । ଏହାର କିପରି ମୁକାବିଲା କରିବେ ?
ଉତ୍ତର: ମୁଁ ସଂଖ୍ୟାରେ ବିଶ୍ୱାସ ରଖେନି। କଠିନ ପରିଶ୍ରମରେ ବିଶ୍ୱାସ କରେ। ଲୋକଙ୍କ ପାଇଁ ଭଲ କାମ କରିଛୁ। ରାଜ୍ୟବାସୀ ଆମ କାର୍ଯ୍ୟକଳାପକୁ ବିଚାର କରି ଅôଧକ ସଂଖ୍ୟାରେ ସମର୍ଥନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି।
ସମାଜ: ଦୀର୍ଘ୨୨ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ବିଜେପିକୁ ଜିତିବା ପାଇଁ ଗୁଜରାଟରେ ଅଣନିଃଶ୍ୱାସୀ ହେବାକୁ ପଡିଲା । ଓଡ଼ିଶାରେ ଆପଣ ଚାରିଥର କ୍ଷମତାକୁ ଆସି ୧୭ବର୍ଷ ଶାସନ କଲେଣି । ଏଠି ବି ସରକାରଙ୍କୁ ଆସ୍ଥାବିରୋଧୀ ଭୋଟ୍‌ର ଭୟ ରହିଛି । ୨୦୧୯ରେ ଜିତିବା ପାଇଁ ଆପଣ କେଉଁ ରଣନୀତି ଆପଣାଇବେ ?
ଉତ୍ତର: ଆମେ କଥା ନୁହେଁ; କାମରେ ବିଶ୍ୱାସ କରୁ। ବିଜୁ ଜନତା ଦଳ ଦେଶର ଏକମାତ୍ର ରାଜନୈତିକ ଦଳ ଯିଏ ତା’ର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି । ଆମର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ହେଉଛି ନିର୍ବାଚନ ପାଇଁ ଶ୍ରେଷ୍ଠ ରଣନୀତି । ଓଡ଼ିଶାରେ ଆସ୍ଥାବିରୋଧୀ ଭୋଟ୍‌ର ଭୟ ନାହିଁ । ମୋର ଦୃଢ ବିଶ୍ୱାସ ଓଡ଼ିଶାବାସୀଙ୍କ ଆଶୀର୍ବାଦ ବିଜୁ ଜନତା ଦଳ ପ୍ରତି ରହିଛି ଓ ରହିବ ।
ସମାଜ: ଗୁଜରାଟରେ ବିଜେପି ପାଇଁ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଓଡ଼ିଶାରେ ବିଜେଡ଼ି ପାଇଁ କିଏ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଭାବୁଛନ୍ତି ?
ଉତ୍ତର: ପଞ୍ଜାବ ଓ ଗୁଜରାଟ ନିର୍ବାଚନ ପରେ କଂଗ୍ରେସକୁ ହାଲ୍‌କା ଭାବରେ ଗ୍ରହଣ କରାଯାଇପାରିବ ନାହିଁ ।
ସମାଜ: କେଉଁ କ୍ଷେତ୍ରରେ ଆପଣଙ୍କ ସରକାର ଗତ ୧୭ବର୍ଷରେ ସବୁଠୁ ବଡ ସଫଳତା ପାଇଛି? ଆଉ କେଉଁ ବିକାଶ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାର ଯୋଜନା ରଖିଛନ୍ତି?
ଉତ୍ତର: ଗତ ୧୭ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ଏକ ନିର୍ଦିଷ୍ଟସ୍ତରରେ ପହଞ୍ଚି ସାରିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟର ବିକାଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ମୋର ଲକ୍ଷ୍ୟ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଚାଉଳ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଏକ ବଳକା ରାଜ୍ୟ ହୋଇପାରିଛି । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇବାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଶିଶୁ ମୃତ୍ୟୁହାର ହ୍ରାସ ଜାତୀୟ ହାରଠାରୁ କମ୍‌ ରହିଛି । ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଉପରେ ରହିଛି । କୃଷି ଉତ୍ପାଦନ ବଢିଛି । ଚାଷୀର ରୋଜଗାର ବଢିଛି । ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ଦେଶର ଦ୍ରୁତତମ ରାଜ୍ୟ।
ସମାଜ: ମନ୍ତ୍ରୀମାନଙ୍କର ବିଭାଗ ଉପରେ କର୍ତ୍ତୃତ୍ୱ ରହୁନି, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅମଲାତନ୍ତ୍ର ନେଉଛନ୍ତି । ସରକାରଙ୍କ ସମ୍ପର୍କରେ ଏଭଳି ଚର୍ଚ୍ଚାକୁ ଆପଣ କିପରି ଖଣ୍ଡନ କରିବେ ?
ଉତ୍ତର: ଏହା ସମ୍ପୂର୍ଣ୍ଣ ଭୁଲ୍‌ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅନୁଯାୟୀ ଉଭୟ ମନ୍ତ୍ରିମଣ୍ଡଳ ଓ ଅମଲାତନ୍ତ୍ର ସେମାନଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ସମାଜ: ୨୦୧୯ ନିର୍ବାଚନ ପରେ ବ୍ୟକ୍ତିଗତ ଭାବେ ଆପଣ କାହାକୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ?
ଉତ୍ତର: ଆମେ ଗଣତନ୍ତ୍ର ବ୍ୟବସ୍ଥା ମଧ୍ୟରେ ରହିଛୁ; ଯେଉଁଠି ଜନତା ଶ୍ରେଷ୍ଠ ବିଚାରକ । ଜନତାଙ୍କ ନିଷ୍ପତ୍ତି ସର୍ବୋତ୍କୃଷ୍ଟ ବୋଲି ମୁଁ ବିବେଚନା କରେ । ଏଣୁ ଏ କ୍ଷେତ୍ରରେ ଜନତାଙ୍କ ନିଷ୍ପତ୍ତି ହିଁ ମୋର ନିଷ୍ପତ୍ତି ।
ସମାଜ: ଏନଡିଏ ସରକାର ୨୦୧୪ରେ କ୍ଷମତାକୁ ଆସିବାପରେ ରାଜ୍ୟକୁ କେନ୍ଦ୍ର ଅନୁଦାନ ବଢ଼ିଛି ବୋଲି ବିଜେପି ଦାବି କରୁଛି। ରାଜ୍ୟ ସରକାର ପ୍ରଥମଥର ପାଇଁ ଚତୁର୍ଥ ପାଳି କ୍ଷମତାକୁ ଆସିବା ପରେ ଖୋଲା ବଜାରରୁ ଋଣ ଆଣିଲେ। ରାଜ୍ୟର ଆର୍ଥିକ ନିଅଣ୍ଟିଆ ସ୍ଥିତିକୁ କିଭଳି ମୁକାବିଲା କରିବେ?
ଉତ୍ତର: କେନ୍ଦ୍ରୀୟ ଅନୁଦାନ ବୃଦ୍ଧି ନେଇ ବିଜେପି ଦାବିର ସତ୍ୟତା ସମସ୍ତେ ଜାଣନ୍ତି । ରାଜ୍ୟର ଆର୍ଥିକ ପରିଚାଳନା ସଠିକ୍‌ ମାର୍ଗରେ କରାଯାଉଛି ଏବଂ ଖୋଲାବଜାର ଋଣ ଉଠାଣ ନିର୍ଦ୍ଧାରିତ ସୀମା ମଧ୍ୟରେ ହିଁ କରାଯାଉଛି।
ସମାଜ: ରାଜନୈତିକ ଜୀବନର ଜଞ୍ଜାଳ ଭିତରେ ଆପଣଙ୍କ ଲେଖିବାର ନିଶା ଓ ସୃଜନଶୀଳତାକୁ କିଭଳି ବଞ୍ଚାଇ ରଖିଛନ୍ତି? ଏ କ୍ଷେତ୍ରରେ ଭବିଷ୍ୟତ ପାଇଁ କିଛି ଯୋଜନା ରହିଛି କି ?
ଉତ୍ତର: ଏ ସମ୍ପର୍କରେ ଖୋଲା ମନରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଆପଣ ଜାଣନ୍ତି ମୁଁ ତିନିଖଣ୍ଡ ବହି ଲେଖିଛି। ରାଜନୈତିକ ଜୀବନରେ ବ୍ୟସ୍ତତା ଯୋଗୁଁ ଲେଖାଲେଖି ପାଇଁ ସମୟ ବାହାର କରିବା ସମ୍ଭବ ହେଉନି। ଦେଖିବା, ଲେଖିବାର ଇଚ୍ଛାକୁ ଆଗାମୀ ଦିନରେ କିପରି ଆଗେଇ ନେଇ ହେବ ସେ ନେଇ ଚେଷ୍ଟା କରିବି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।